ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ପାଇପ୍ ଜଳ କର୍ମଚାରୀ ସଂଘ ପକ୍ଷରୁ ଜଳଯୋଗାଣ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଦାବି ପୂରଣ କରିବାରେ ରାଜ୍ୟ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଅବହେଳା କରି ଆସୁଥିବା ଯୋଗୁଁ ଏହାର ପ୍ରତିବାଦରେ ଆସନ୍ତା ୨୩ ରୁ ୨୬ତାରିଖ ଯାଏଁ ରାଜ୍ୟ ବ୍ୟାପି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସୂଚନା ଅନୁଯାଇ ସେମାନଙ୍କ ଦାବି ଗୁଡିକ ହେଲା – ଜନସ୍ୱାସ୍ଥ୍ୟ ବିଭାଗ (ସହରାଞ୍ଚଳ ଜଳଯୋଗାଣ ବିଭାଗ), ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗରେ କାର୍ଯ୍ୟରତ ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ନିଯୁକ୍ତି ନିଷ୍ପତ୍ତି ପର୍ଯ୍ୟନ୍ତ ଟ. ୧୦୦/- ପ୍ରୋତ୍ସାହନ ଭତ୍ତା ପ୍ରଦାନ କରାଯାଉ । ବିଭାଗ ଦ୍ଵୟର ସମସ୍ତ ୱାର୍କଚାର୍ଜ କର୍ମଚାରୀମାନଙ୍କୁ ରେଗୁଲାର କର୍ମଚାରୀର ମାନ୍ୟତା ପ୍ରଦାନ ସହ ସ୍ଥିରୀକୃତ ପେନସନ୍ ପ୍ରଦାନ କରାଯାଉ । ବିଭାଗରେ ନିୟୋଜିତ ଠିକା କର୍ମଚାରୀ ଓ ଏସଇଏମ୍ କର୍ମଚାରୀଙ୍କୁ ସରକାରଙ୍କ ‘ଇ’ ମାଷ୍ଟର ରୁଲରେ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ । କୋଭିଟ ମହାମାରୀରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ବିଭାଗୀୟ କର୍ମଚାରୀଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ । ବିଭାଗରେ କାର୍ଯ୍ୟରତ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର୍ ରୁଲ୍ ସଂଶୋଧନ କରାଯାଇ ଅବସରପ୍ରାପ୍ତ କରମଚାରୀଙ୍କୁ ପେନସନ ପ୍ରଦାନ କରାଯାଉ । ଆଉଟସୋର୍ସିଂ କର୍ମଚାରୀଙ୍କୁ ଉଚ୍ଚ କୁଶଳୀ ହାରରେ ବେତନ ପ୍ରଦାନ ସହ ଇ .ପି.ଏଫ୍. ଓ ଇ.ଏସ୍.ଆଇ.ବ୍ୟବସ୍ଥା ଲାଗୁ କରିଯାଉ । ୱାଟକୋ ସଂସ୍ଥାରେ କାର୍ଯ୍ୟ କରାଇ ଜନସ୍ୱାସ୍ଥ୍ୟ ବିଭାଗରୁ ବେତନ ମିଳୁଥିବାରୁ ୱାଟକୋ ସଂସ୍ଥାରୁ ବେତନ ପ୍ରଦାନ କରାଯାଉ ଇତ୍ୟାଦି ପ୍ରମୁଖ ଦାବି ନେଇ ରାଜ୍ୟ ସରକାରଙ୍କ ସହ ସଂଘ ପକ୍ଷରୁ ବହୁବାର ଆଲୋଚନା କରାଯାଇଥିଲେ ମଧ୍ୟ ସରକାର ତଥା ବିଭାଗୀୟ କର୍ତ୍ତୃପକ୍ଷ ବାରମ୍ବାର ପ୍ରତିଶୃତି ଦେଇ କର୍ମଚାରୀଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରି ଆସିଛନ୍ତି ବୋଲି ଅଭିଯୋଗ କରିବା ସହ ଏହାର ପ୍ରତିବାଦରେ ଦୀର୍ଘ ବର୍ଷ ହେଲା ସଂଘ ଗଣତାନ୍ତ୍ରିକ ପଦ୍ଧତିରେ ରାଜ୍ୟ ସରକାରଙ୍କୁ ଅବଗତ କରାଇ ଆସୁଛି । କିନ୍ତୁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ କର୍ମଚାରୀଙ୍କ ସମସ୍ୟା ଦ୍ବିଗୁଣିତ କରିବାରେ ଲାଗିଛି । ବିଭାଗୀୟ କର୍ମଚାରୀ ବିଭିନ୍ନ ଆପଦକାଳିନ ପରିସ୍ଥିତିରେ ମଧ୍ୟ ଜଳଯୋଗାଣ କାର୍ଯ୍ୟ କରି ଆସୁଛନ୍ତି ଏବଂ ଅଧୁନା ମହାମାରୀ କରୋନା ଭୂତାଣୁର ବ୍ୟାପକ ସଂକ୍ରମଣ ସମୟରେ ମଧ୍ୟ ଜନ ସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସାଧାରଣ ଜଳଯୋଗାଣ ସହ କରୋନା କଣ୍ଟେଇନ୍ ମେଣ୍ଟ ସେଣ୍ଟର ତଥା ହସ୍ପିଟାଲ ଗୁଡିକୁ ଜଳଯୋଗାଣ ମଧ୍ୟ କରି ଆସୁଛନ୍ତି । ରାଜ୍ୟ ସରକାର ଜଳଯୋଗାଣ ବିଭାଗକୁ ଅତ୍ୟାବଶ୍ୟକ ସେବା ସଂସ୍ଥା ଘୋଷଣା କରି କର୍ମଚାରୀଙ୍କୁ ସାଧାରଣ ସୁବିଧା ସୁଯୋଗରୁ ବଞ୍ଚିତ କରି ଆସୁଛନ୍ତି ।ଏବଂ ସେମାନଙ୍କ ନ୍ୟାୟ ପୂର୍ଣ୍ଣ ଦାବି ପ୍ରତି ଅଣଦେଖା କରି ଆସୁଛନ୍ତି । ତେଣୁ ରାଜ୍ୟ ସଂଘର ନିଷ୍ପତ୍ତି ପ୍ରକାରେ ବିଭାଗୀୟ ୧୦ହଜାର କର୍ମଚାରୀ ପେଟ ପାଟଣା ଓ ଜୀବିକା ନିର୍ବାହକୁ ଆଖିଆଗରେ ରଖି ଆସନ୍ତା ୧୬ତାରିଖରେ ଜନସ୍ୱାସ୍ଥ୍ୟ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଭୁବନେଶ୍ୱର କାର୍ଯାଳୟ ସମ୍ମୁଖରେ ଗଣଧାରଣା ଆସନ୍ତା ୨୦ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଣଧାରଣା ସହ ସ୍ମାରକପତ୍ର ପ୍ରଦାନ କରାଯିବ । ଯଦି ସରକାର କର୍ମଚାରୀଙ୍କ ଦାବି ପୂରଣ କରିବାରେ ଅବହେଳା କରନ୍ତି ତେବେ ଆସନ୍ତା ୨୩ ତାରିଖ ଠାରୁ ୨୬ ତାରିଖ ଯାଏଁ ସରକାରୀ ଛୁଟିରେ ସମୁହ ଛୁଟି ଆନ୍ଦୋଳନ କରିବା ପାଇଁ ଦୃଢ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ଜଳଯୋଗାଣ ବନ୍ଦ ଜନିତ ସମସ୍ୟା ପାଇଁ ରାଜ୍ୟ ସରକାର ତଥା ବିଭାଗୀୟ କତ୍ତୃପକ୍ଷ ହିଁ ଦାୟୀ ରହିବେ ଏବଂ ଜନସାଧାରଣ, ବୁଦ୍ଧିଜୀବୀ ତଥା ରାଜନୈତିକ ନେତୃବର୍ଗଙ୍କୁ ଅନୁରୋଧ ଜଳଯୋଗାଣ କର୍ମଚାରୀମାନଙ୍କ ଦାବି ପୂରଣରେ ସହଯୋଗ ପ୍ରଦାନ କରିବେ ବୋଲି କୁହାଯାଇଛି । ଏନେଇ ଖଣ୍ଡ ସମ୍ପାଦକ ଆମ୍ବିରୀ ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତି କାର୍ଯ୍ୟକାରୀ ସଭାପତି କବିରାଜ ସାହୁ, ଉପସଭାପତି ରବି କୁମାର ପାଣିଗ୍ରାହୀ, ଟୁନା ପଣ୍ଡା, କାର୍ଯ୍ୟାଳୟ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ, ଶାଖା ସମ୍ପାଦକ ଅଶୋକ ଜେନା, ପ୍ରଫୁଲ୍ଲ ଗୌଡ, କୋଷାଧ୍ୟକ୍ଷ ରଘୁନାଥ ପାତ୍ର, ଯୁଗ୍ମ ସମ୍ପାଦକ ଚନ୍ଦ୍ର ମାଧବ ମାଝୀ, ପୂର୍ଣଚନ୍ଦ୍ର କୋଠିଆ, ଗିରିଜାପ୍ରସାଦ ସିଂହ, ଜି.ଭେଙ୍କେଟ ରାଓ, କାର୍ଯ୍ୟାଳୟ ସମ୍ପାଦକ ବାଳକୃଷ୍ଣ ଚୌଧୁରୀ ପ୍ରମୁଖ ସହ ପାରଲାଖେମୁଣ୍ଡି ବଡ଼ମାଧପୁର, ଗୋପାଳପୁର ଦକ୍ଷିଣ ପୁର ଜଳଭଣ୍ଡାର ଚିକିଟି ଦିଗପହଣ୍ଡି, ଛତ୍ରପୁର, ଆସ୍କା ଭଞ୍ଜନଗର, ବୌଦ୍ଧ, ଫୁଲବାଣୀ ପ୍ରଭୃତି ଅଞ୍ଚଳର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।