ଓଡିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ସ୍ଥିତ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲରେ ଓଡିଶା ବିଜୁଳି କର୍ମଚାରୀ ସଂଘର ସଭାପତି ଅଳି ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଓଡ଼ିଶାର ବିଦ୍ୟୁତ କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ୧୯୯୬ ମସିହାରେ ଓଡ଼ିଶାରେ ଯେଉଁ ବିଦ୍ୟୁତ ସଂସ୍କାର ହୋଇଥିଲା ତାହା କେବଳ ଜନ ବିରୋଧୀ ନୁହେଁ ଶ୍ରମିକ କର୍ମଚାରୀ ବିରୋଧୀ ଓ ରାଜ୍ୟ ସ୍ୱାର୍ଥ ବିରୋଧୀ । ଯାହା ଫଳରେ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି । ଏହି କ୍ଷତି ବିଦ୍ୟୁତ ବୋର୍ଡର ବିଭାଜନ ଓ ଘରୋଇକରଣ, ଫ୍ରାଞ୍ଚାଇଜ ବ୍ୟବସ୍ଥାର ପ୍ରଚଳନ, ସ୍ଥାୟୀ କାମରେ ଆଉଟସୋର୍ସ ଠିକା ଶ୍ରମିକ ନିଯୁକ୍ତି ହୋଇଥିଲା ବେଳେ ବର୍ତ୍ତମାନ ଏହି ସଂସ୍ଥା ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ୯୦ ଲକ୍ଷ ଉପୋଭୋକ୍ତାମାନଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବାରେ ସରକାର ଅସମର୍ଥ ହୋଇଛନ୍ତି । ଓଡ଼ିଶାରେ ବିଦ୍ୟୁତ ଶିଳ୍ପରେ କାମ କରୁଥିବା ସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା ୨୦ ହଜାରରୁ କମରେ ପହଞ୍ଚିଛି ଯାହା ୧୯୯୬ ମସିହା ତୁଳନାରେ ବହୁତ କମ । ସ୍ଥାୟୀ କର୍ମଚାରୀ ନିଯୁକ୍ତି ନ କରି ଆଉଟସୋର୍ସ ଓ ଠିକା ଶ୍ରମିକମାନଙ୍କୁ ଲଗାଇ କାମ ଚଳାଯାଉଛି । ଆଉଟସୋର୍ସ ଓ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ଦାବିରେ ଆସନ୍ତା ୨୬ ତାରିଖରେ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଂଜିନିୟରସ ଏକତା ମଞ୍ଚ, ଓଏସଇବି ଏମ୍ପ୍ଲୋଇସ ଫେଡେରେସନ, ଓଏସଇବି ଶ୍ରମିକ ମହାସଂଘ, ୱେଷ୍ଟେର୍ଣ୍ଣ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ, ଓଏସଇବି ଡିପ୍ଲୋମା ଇଂଜିନିୟର ଆସୋସିଏସନ,  ଅଲ ଇଂଡିଆ ପାୱାର ଇଂଜିନିୟରସ ଫେଡେରେସନ ଏବଂ ଇଇଏଫଆଇ ପକ୍ଷରୁ ମିଳିତ ଭାବେ ବିଧାନ ସଭା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରାବାହିକ ଭାବେ ଧାରଣା ଦେବା ପାଇଁ ନିଷ୍ପତ୍ତି କରାଯାଇଅଛି । ଆବଶ୍ୟକ ପଡିଲେ ଆନ୍ଦୋଳନକୁ ଉଚ୍ଚସ୍ତରକୁ ମଧ୍ୟ ନେବାକୁ ଯୋଜନା କରାଯିବ ବୋଲି କୁହାଯାଇଛି । ଏହି ଆନ୍ଦୋଳନରେ ସାଉଥକୋ ପକ୍ଷରୁ ସହ ସହ କର୍ମଚାରୀ ଭୁବନେଶ୍ୱରରେ ଯୋଗଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସିଆଇଟିୟୁ ର ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ପ୍ରତାପ ଚୌଧୁରୀ, ସଂଘର କର୍ମକର୍ତ୍ତା ଅଜିତ ପାତ୍ର, ବିଶ୍ୱନାଥ ନାୟକ ଓ ସଂଘର ଅନ୍ୟ କର୍ମକର୍ତ୍ତା ମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା