ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡିଜିଟାଲ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଛି । ସ୍ୱାଧିନତାର ୭୦ ବର୍ଷ ପରେ ବି ଆଜି ଓଡ଼ିଶାର ଏକ ଉଚ୍ଚ ଶିକ୍ଷିତ ଗୋଷ୍ଠୀ ନିଜର ଦରଖାସ୍ତ ଫର୍ମ ଯେତେବେଳେ ନିଯୁକ୍ତି କମିଶନକୁ ଆବେଦନ କରେ ସେଥିରେ ଲେଖା ଥାଏ ସେ ଏକ ଠିକା ଓ ଚୁକ୍ତିଭିତ୍ତିକ ପୋଷ୍ଟ ପାଇଁ ଆବେଦନ କରିବା ପାଇଁ ବାଧ୍ୟ ହୋଇଛି କାରଣ ନା ଓଡ଼ିଶାରେ ଅନ୍ୟ କୋଉଠି ଚାକିରୀ ଅଛି ନା ଉଚ୍ଚ ଶିକ୍ଷିତ ମାନେ ଗୁଜୁରାଟକୁ ଗୋତି ଖଟିବାକୁ ଯାଇ ପାରିବେ । ନିଯୁକ୍ତି କମିଶନଙ୍କୁ ଦୀର୍ଘ ପାଞ୍ଚ ବର୍ଷ ପରେ ଲିଖିତ ଓ ମୌଖିକ ପରୀକ୍ଷା କଲା ପରେ ନିଯୁକ୍ତି ମିଳେ; ପୁଣି ଗୋତି ଚୁକ୍ତିଭିତ୍ତିକ ପ୍ରଥା ରୂପରେ ଏବଂ ଏହି କଳୁଷିତ ପ୍ରଥାର ମାୟା ଜାଲରେ ଛନ୍ଦି ହୋଇ କଲବଲ ହୁଏ ଅନେକ ସ୍ୱପ୍ନ ଦେଖିଥିବା ନିରୀହ ଜୀବନଟିଏ । ଏମିତି ଦେଖୁ ଦେଖୁ ଆଶା ଓ ଆକାଂକ୍ଷାର ଦଦରା ଝୁପୁଡିରେ କଟିଯାଏ ଜୀବନର ମୂଲ୍ୟବାନ ୩୫ ବର୍ଷ । ଆମ ରାଜ୍ୟର ବଜେଟ୍ ଯଦି ବଳକା ହୋଇପାରିଛି ତେବେ ଆମର ପଡୋଶୀ ପଶ୍ଚିମ ବଙ୍ଗ, ଝାଡଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର ପରି ଗରିବ ରାଜ୍ୟରେ ନିୟମିତ ଭାବେ ନିଯୁକ୍ତି ମିଳୁ ଥିବା ବେଳେ ଓଡ଼ିଶାରେ କ’ଣ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତିର ଅନବରତ ଧାରା ବଜାୟ ରଖାଯାଉଛି । ଧର୍ଯ୍ୟ ଓ ସହିବାର ସବୁ ସୀମା ଟପିଗଲା ପରେ ବାଧ୍ୟ ହୋଇ କର୍ମଚାରୀ ମାନେ ଆତ୍ମହତ୍ୟା ପରି କୁତ୍ସିତ ପ୍ରଥାକୁ ଆପଣେଇଛନ୍ତି । ସରକାରଙ୍କ ଦରମା କେବଳ ଘର ଭଡାକୁ ନିଅଣ୍ଟ । ନିଜେ ଚଲିବା ବା ଘର ଚଳାଇବା କଷ୍ଟ ।ସେ ବୃଦ୍ଧ ପିତା ମାତାକୁ ପଚାରେ କିଏ । ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ମହାମାରୀରେ ନିଜ ଜୀବନକୁ ବାଜି ଲଗେଇ ଦିନରାତି କାମ କରୁଥିବା ବେଳେ ସରକାର ନିର୍ଦୟ ଭାବେ କର୍ମଚାରୀ ମାନଙ୍କ ସାମାଜିକ ସୁରକ୍ଷାକୁ ଜଳାଞ୍ଜଳି ଦେଇଛନ୍ତି । କରୋନା ଯୋଦ୍ଧାଙ୍କ ପ୍ରତି ଏଭଳି ଅମାନବୀୟ ନିଷ୍ପତ୍ତି ସରକାର ପ୍ରତ୍ୟାହାର କରି ସପ୍ତମ ବେତନ ଅନୁଯାୟୀ ଦରମା ପ୍ରଦାନ ସହ ଅନ୍ୟ ସମସ୍ତ ବିଭାଗର କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀ ତୁରନ୍ତ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା କରନ୍ତୁ ନ ହେଲେ ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ତାଙ୍କ ପରିବାର ସହ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ସଂଘ ସଭାପତି ବିଜୟ ମଲ୍ଲ, ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ବାସୁଦେବ ଭଟ୍ଟ, ଜ୍ୟୋତିପ୍ରକାଶ ମହାପାତ୍ର,କିଷାନ ବରାଇ ଏବଂ ସଞ୍ଜୟ ପଟ୍ଟନାୟକ, ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରହିତ୍ ପ୍ରତିହାରୀ, ବିଶ୍ବଜିତ୍ ବିଶ୍ବାଳ, ଦେବାଶିଷ ନାୟକ, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର, ସ୍ୱାଗତ ନନ୍ଦ, ସନ୍ତୋଷ ଗୌଡ଼, ଅମୂଲ୍ୟ କୁମାର ଭାରିମଲ୍ଲ, ଅନିତା ବେହେରା, ଲୋଜାଳିନ ପଣ୍ଡା, ଅଳକା ମହାନ୍ତି, ରଶ୍ମି ଦାସ ପ୍ରମୁଖ ପ୍ରେସ ବ୍ରିବୃତିରେ କହିଛନ୍ତି ।
ରିପୋର୍ଟ : ବିଜୟ ମଲ୍ଲ