ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡିଜିଟାଲ ଆନ୍ଦୋଳନ ଅଷ୍ଟମ ଦିନରେ ପହଞ୍ଚିଛି । ଆଜି ଦୀର୍ଘ ତିନି ମାସ ହେଲାଣି ଜୀବନଙ୍କୁ ବାଜି ଲଗେଇ କରୋନା ଯୁଦ୍ଧରେ ସାମିଲ ହୋଇ କର୍ତ୍ତବ୍ୟକୁ ସୁଚାରୁ ରୂପେ ସଂପାଦନ କରୁଥିବା ଓଡିଶାର ହଜାର ହଜାର ଉଚ୍ଚ ଶିକ୍ଷିତ ଯୁବ ସରକାରୀ କର୍ମଚାରୀଙ୍କୁ ଉପେକ୍ଷା କରି ଚାଲିଛନ୍ତି ରାଜ୍ୟ ସରକାର । ସେମାନଙ୍କ ମଧ୍ୟରୁ କିଛି ଜଣ ମଧ୍ୟ କରୋନାରେ ପୀଡିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । କିନ୍ତୁ ବଡ ଦୁଃଖର ବିଷୟ ୨୦୧୪ ପରବର୍ତ୍ତୀ ନିଯୁକ୍ତ ଏହି ଯୁବ କର୍ମଚାରୀମାନଙ୍କୁ ସରକାର ଦେଉ ନାହାନ୍ତି ସମାନ କାମକୁ ସମାନ ଦରମା । ଏପରିକି ସେମାନେ ସର୍ବନିମ୍ନ ଦରମା ପାଇବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ କରାଯାଇଛି । ଏହାସହ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୋଟିଏ ସରକାରୀ କର୍ମଚାରୀ, ନିଜ ପଦବୀର ନିୟମିତ ହାରର ସର୍ବନିମ୍ନ ଦରମା ପାଇବା ପାଇଁ ହକଦାର । ମାତ୍ର ୨୦୧୩-୧୪ ଆର୍ଥିକ ବର୍ଷରୁ ସରକାର ଏକ ଅସାମ୍ବିଧାନିକ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ପାରିତ କରି ରାଜ୍ୟର ସମସ୍ତ ସ୍ୱଳ୍ପବେତନ ନୂତନ ଗ୍ରୁପ୍- ବି, ସି ଓ ଡି କର୍ମଚାରୀଙ୍କୁ ମହଙ୍ଗା ଭତ୍ତା, ଘରଭଡା ଓ ଚିକିତ୍ସା ଖର୍ଚ୍ଚରୁ ବଞ୍ଚିତ କରିଛନ୍ତି । ଏହି ଚୁକ୍ତିଭିତ୍ତିକ ନିୟମ ଅନୁଯାୟୀ ନୂତନ କର୍ମଚାରୀମାନଙ୍କୁ ସେମାନଙ୍କ ପଦବୀର ମୂଳ ଦରମା ବା ବେସିକ ପେ ମିଳିବା କଥା । ମାତ୍ର ବିଡମ୍ବନାର ବିଷୟ ଏହିକି ଯେ ସେମାନଙ୍କୁ ବର୍ତ୍ତମାନର ବେସିକ୍ ପେ ମଧ୍ୟ ପ୍ରଦାନ କରାଯାଉ ନାହିଁ ବୋଲି ଅଭିଯୋଗ କରାଯାଇଛି । ସପ୍ତମ ବେତନ କମିଶନଙ୍କ ରିପୋର୍ଟ ଆଧାରରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ୨୦୧୬ ଆରମ୍ଭରୁ ବର୍ଦ୍ଧିତ ଆକାରରେ ସର୍ବନିମ୍ନ ୧୮୦୦୦ ମାସିକ ଦରମା ମିଳିବାର ବ୍ୟବସ୍ଥା ଥିଲେ ମଧ୍ୟ, ଜରୁରୀସେବା ପ୍ରଦାନ କରୁଥିବା ଏହି ଯୁବ କର୍ମଚାରୀମାନଙ୍କୁ ସରକାର ଚୁକ୍ତିଭିତ୍ତିକ ଭାବେ ପ୍ରଥମ ଛଅ ବର୍ଷ ମାତ୍ର 8000ରୁ ୧୦୦୦୦ ଟଙ୍କା ଭାବେ ଦିନମଜୁରୀଠୁ କମ୍ ସାନ୍ତ୍ୱନାମୂଳକ ଦରମା ଦେଇ ଦାରିଦ୍ର୍ୟ ଓ ଅସହାୟତାର ଅନ୍ଧକାର ଭିତରକୁ ଠେଲି ଦେଇଛନ୍ତି । ଏହି ପ୍ରଥା ବିରୁଦ୍ଧରେ ଓଡିଶାର ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଗତ ସାତ ଦିନ ହେବ ଡିଜିଟାଲ ଆନ୍ଦୋଳନ ମାଧ୍ୟମରେ ପ୍ଲା କାର୍ଡ ଧରି ନିଜ ନିଜର କଯ୍ୟାଳୟ ଆଗରେ ଠିଆ ହୋଇ ରାଜ୍ୟ ସରକାରଙ୍କ ନିକଟରେ ନିଜର ଦୁଃଖ ଜଣାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଛନ୍ତି । କିନ୍ତୁ ସରକାର ଏହାକୁ ଦେଖି ମଧ୍ୟ ଅଣଦେଖା କରୁଛନ୍ତି । ଏଣୁ ସରକାର ତୁରନ୍ତ ଉଚିତ ପଦକ୍ଷେପ ନେଇ ପୋଲିସ, ସ୍ୱାସ୍ଥ୍ୟ ଓ ଅନ୍ୟ ବିଭାଗର ଏହି କରୋନା ଯୋଦ୍ଧାମାନଙ୍କୁ ଚୁକ୍ତିଭିତ୍ତିକ ବନ୍ଧନରୁ ମୁକ୍ତି କରି ସପ୍ତମ ବେତନ କମିଶନ ଅନୁଯାୟୀ ମୂଳ ଦରମା ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ଭତ୍ତା ପ୍ରଦାନ ନିମନ୍ତେ ପଦକ୍ଷେପ ନେଲେ ଯୁବ କର୍ମଚାରୀ ନ୍ୟାୟ ପାଇବା ସହିତ ରାଜ୍ୟର ଜନସେବା ସଦୃଢ ହୋଇପାରିବ । ଯଦି ସରକାର ଏହିପରି ଭାବରେ ଉପେକ୍ଷା କରି ଚାଲନ୍ତି, ତେବେ କର୍ମଚାରୀମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ସଙ୍ଘ ସଭାପତି ବିଜୟ ମଲ୍ଲ, ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ବାସୁଦେବ ଭଟ୍ଟ, ଜ୍ୟୋତିପ୍ରକାଶ ମହାପାତ୍ର, କିଷାନ ବରାଇ ଏବଂ ସଞ୍ଜୟ ପଟ୍ଟନାୟକ, ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରହିତ୍ ପ୍ରତିହାରୀ, ବିଶ୍ୱଜିତ୍ ବିଶ୍ୱାଳ, ରାଜେନ୍ଦ୍ର ମଲ୍ଲିକ, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, ଯୁମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର, ସ୍ୱାଗତ ନନ୍ଦ, ସିନ୍ମୟ ବଳ, ସୁରେଶ ମହାନ୍ତି, ଦେବାଶିଷ ନାୟକ, ରାଜେନ୍ଦ୍ର ମଲ୍ଲିକ, ସନ୍ତୋଷ ଗୌଡ଼, ଅମୂଲ୍ୟ କୁମାର ଭାରିମଲ୍ଲ, ବିଜୟ ସାହୁ, ଅନିତା ବେହେରା, ଲୋଜାଳିନ ପଣ୍ଡା, ଅଳକା ମହାନ୍ତି, ରଶ୍ମି ଦାସ ପ୍ରମୁଖ ପ୍ରେସ ବ୍ରିବୃତିରେ କହିଛନ୍ତି ବୋଲି ସଂଘର ସଭାପତି ଜଣାଇଛନ୍ତି ।
ରିପୋର୍ଟ : ବିଜୟ ମଲ୍ଲ