ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡିଜିଟାଲ ଆନ୍ଦୋଳନ ନବମ ଦିନରେ ପହଞ୍ଚିଛି । ଓଡିଶା ଭଳି ଏକ ବିକାଶଶୀଳ ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ଭଳି କୁପ୍ରଥା ଆଜି ବି ଜୀବିତ । ନା ମିଳୁଛି ଏଠି ସମାନ କାମକୁ ସମାନ ଦରମା ନା ମିଳୁଛି ଏଠି ଠିକା କର୍ମଚାରୀଙ୍କୁ ଯଥେଷ୍ଟ ସମ୍ମାନ । ଆମ ରାଜ୍ୟରେ ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ଗୋଟିଏ ଚାକିରୀରେ ନିଯୁକ୍ତି ପ୍ରାପ୍ତି କରିବା ପାଇଁ ହେଲେ ପ୍ରଥମେ ଯଥାସମ୍ଭବ ଲିଖିତ ଏବଂ ମୌଖିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଜରୁରୀ । ପୁନଶ୍ଚ ନିଯୁକ୍ତି ପରେ କଳୁଷିତ ଠିକା ପ୍ରଥାର ଶିକାର ହୋଇ ଦୀର୍ଘ ଛ ବର୍ଷ ଧରି ବହୁ କଷ୍ଟରେ ସ୍ୱଳ୍ପ ଦରମାରେ ଜୀବନ ଅତିବାହିତ କରନ୍ତି । ଏହି ସମୟ ସୀମା ମଧ୍ୟରେ ମାତ୍ର ୮୮୮୦ ଟଙ୍କା ମାସିକ ବେତନରେ ଜଣେ ସରକାରୀ କର୍ମଚାରୀ ନିଜେ ଚଳିବା ତ କଷ୍ଟକର, କେମିତି ସେ ତା ପରିବାରର ଭରଣପୋଷଣ କରିବ, ଏକଥା ରାଜ୍ୟ ସରକାର ହୃଦୟଙ୍ଗମ ବି କରିନାହାନ୍ତି । କିନ୍ତୁ ଯେତେବେଳେ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଆମ ଦେଶର ବିଭିନ୍ନ ରାଜ୍ୟରେ ସମାନ କାମକୁ ସମାନ ଦରମା ନିୟମକୁ ଲାଗୁ କରାଗଲା, ସେତେବେଳେ ମଧ୍ୟ ଆମ ରାଜ୍ୟର ମାନନୀୟ ସରକାର ସେହି ନିୟମକୁ ଅଣଦେଖା କରିବା ସହ କେବଳ ଦରମାର ୨୫% ଵୃଦ୍ଧି କରି ରାଜ୍ୟର ସମସ୍ତ ଠିକା କର୍ମଚରିଙ୍କୁ ଅନ୍ଧାରରେ ରଖିଦେଲେ । ପୁନଃଶ୍ଚ ଏବେ ଯେତେବେଳେ ଦୀର୍ଘ ୩ ମାସ ଧରି ଅହରହ ନିଜ ଜୀବନକୁ ବାଜି ଲଗାଇ ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ କରୋନା ସାମ୍ନାରେ ପ୍ରତିବନ୍ଧକ ସାଜି ଦଣ୍ଡାୟମାନ, ସେତେବେଳେ ମଧ୍ୟ ରାଜ୍ୟସରକାରଙ୍କ ନିଦ୍ରା ନଭାଙ୍ଗିବା, ପ୍ରକୃତରେ ଅତ୍ୟନ୍ତ କ୍ଷୋଭର ବିଷୟ । ରାଜ୍ୟରେ ଅନେକ କରୋନା ଯୋଦ୍ଧା ଏବେ ବି ଜୀବନ ସହ ସଂଗ୍ରାମ କରୁଛନ୍ତି । କିନ୍ତୁ ୟା ପ୍ରତିବଦଳରେ ସେମାନଙ୍କ ପ୍ରାପ୍ୟ କ’ଣ, ଏହା କେବେ ରାଜ୍ୟସରକାର ଭାବିଛନ୍ତି ? କେତେବେଳେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ HRMSର ବାହାନା ଦେଖାଇ ୬ ମାସ ଯାଏଁ ତାଙ୍କ ପ୍ରାପ୍ୟ ଦରମା ଦିଆ ଯାଉନି ତ ପୁଣି କେତେବେଳେ CL କିମ୍ବା EL ଅନୁଯାୟୀ ଛୁଟି ମଧ୍ୟ ପ୍ରଦାନ କରାଯାଉ ନାହିଁ ବୋଲି ଅଭିଯୋଗ କରାଯାଇଛି । ଚୁକ୍ତିଭିତ୍ତିକ କର୍ମଚାରୀ ତଥା କରୋନା ଯୋଦ୍ଧାଙ୍କ ପ୍ରତି ଏଭଳି ଅମାନବୀୟ ନିଷ୍ପତ୍ତି ବିରୋଧରେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘର ଡାକରାରେ ସାରା ରାଜ୍ୟରେ ଗତ ତା ୨୬ ଜୁନ ଠାରୁ ଦୀର୍ଘ ୯ ଦିନ ଧରି ଡିଜିଟାଲ ଆନ୍ଦୋଳନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର କୋଣ ଅନୁକୋଣରେ ଥିବା ସମସ୍ତ ଜିଲ୍ଲା ତଥା ବ୍ଲକର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ସାମିଲ ହୋଇ ନିଜ ପ୍ରତି ଉପଯୁକ୍ତ ନ୍ୟାୟର କାମନା କରିବା ସହ ଯଥାଶୀଘ୍ର ଚୁକ୍ତିଭିତ୍ତିକ ନିୟମ ଭଳି କୁତ୍ସିତ ପ୍ରଥାକୁ ପ୍ରତ୍ୟାହାର କରି ସମାନ କାମକୁ ସମାନ ଦରମା ଦେବା ପାଇଁ ଦାବି କରିଛନ୍ତି । ଯଦି ସରକାର ଏହିପରି ଭାବରେ ଉପେକ୍ଷା କରି ଚାଲନ୍ତି, ତେବେ କର୍ମଚାରୀମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଥିବା ସଙ୍ଘ ସଭାପତି ବିଜୟ ମଲ୍ଲ, ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ବାସୁଦେବ ଭଟ୍ଟ, ଜ୍ୟୋତିପ୍ରକାଶ ମହାପାତ୍ର, କିଷାନ ବରାଇ ଏବଂ ସଞ୍ଜୟ ପଟ୍ଟନାୟକ, ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରହିତ୍ ପ୍ରତିହାରୀ, ବିଶ୍ୱଜିତ୍ ବିଶ୍ୱାଳ, ରାଜେନ୍ଦ୍ର ମଲ୍ଲିକ, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, ଯୁମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର, ସ୍ୱାଗତ ନନ୍ଦ, ସିନ୍ମୟ ବଳ, ସୁରେଶ ମହାନ୍ତି, ଦେବାଶିଷ ନାୟକ, ରାଜେନ୍ଦ୍ର ମଲ୍ଲିକ, ସନ୍ତୋଷ ଗୌଡ଼, ଅମୂଲ୍ୟ କୁମାର ଭାରିମଲ୍ଲ, ବିଜୟ ସାହୁ, ଅନିତା ବେହେରା, ଲୋଜାଳିନ ପଣ୍ଡା, ଅଳକା ମହାନ୍ତି, ରଶ୍ମି ଦାଶ ପ୍ରମୁଖ ପ୍ରେସ ବ୍ରିବୃତିରେ କହିଥିବା ସଂଘର ସଭାପତି ଜଣାଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା