ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡିଜିଟାଲ ଆନ୍ଦୋଳନ ଦଶମ ଦିନରେ ପହଞ୍ଚିଛି । ଏଥିରେ ରାଜ୍ୟରେ ବିଶ୍ୱ ମହାମାରୀ କରୋନା ଭଳି ସଙ୍କଟାପନ୍ନ ପରିସ୍ଥିତିରେ ମଧ୍ୟ ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ନିଜ ନିଜ କାର୍ଯ୍ୟାଳୟରେ ଅହରହ ପରିଶ୍ରମ କରୁଛନ୍ତି । ଏତଦବ୍ୟତୀତ କରୋନାକୁ ସୁଚାରୁ ରୂପେ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ରାଜ୍ୟର ଅନେକ ପୋଲିସ, ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ବିଭାଗର କରୋନା ଯୋଦ୍ଧା । ଓଡ଼ିଶାର କରୋନା ଯୋଦ୍ଧା ମାନେ ଦେଶ ତଥା ବିଶ୍ୱ ସ୍ତରରେ ଅଶେଷ ସମ୍ମାନର ପାତ୍ର ହେଲେ ମଧ୍ୟ ରାଜ୍ୟ ସ୍ତରରେ ନିଜ ହକ୍ ପାଇବାରୁ ଆଜି ବି ବଞ୍ଚିତ । ଯଦି କରୋନାର ତାଣ୍ଡବ ସମୟରେ ଅନେକ ବାଧା, ପ୍ରତିବନ୍ଧକ ସତ୍ତ୍ୱେ ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ କାର୍ଯ୍ୟରତ ହୋଇ ପାରୁଛନ୍ତି, ତେବେ ଏହି ସମୟରେ କର୍ମଚାରୀମାନେ ନିଜ ପ୍ରାପ୍ୟରୁ ବଞ୍ଚିତ ହେବା ନିହାତି ଦୁଃଖର ବିଷୟ । ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ତରଫରୁ ବହୁବାର ଅନେକ ପଦକ୍ଷେପ ନେବା ସହିତ ଅନେକ ଥର ରାଜରାସ୍ତା ଉପରକୁ ମଧ୍ୟ ଆସି ନିଜ ସ୍ୱର ଉତ୍ତୋଳନ କରିଛନ୍ତି । ତଥାପି ସରକାର କାହିଁକି ଏଭଳି କଳୁଷିତ ପ୍ରଥାର ଅନ୍ତ ନ କରି ସପ୍ତମ ବେତନ ଲାଗୁ କରୁନାହାନ୍ତି, ତାହାର କାରଣ ଆଜି ବି ଗୋପନୀୟ । ଆଜିକାଲିର ଏ ମହଙ୍ଗା ଯୁଗରେ ଠିକା ନିୟମାନୁସାରେ ସ୍ୱଳ୍ପ ଦରମାରେ ଜୀବନ କାଟିବା କେତେ ଯେ କଷ୍ଟକର, ଏହା କେବଳ ଅଙ୍ଗେ ନିଭେଇ ଥିବା ଲୋକ ହିଁ ଜାଣିବ । ସତରେ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀର ଦୁଃଖ କହିଲେ ନ ସରେ । ତେବେ ଠିକା ନିଯୁକ୍ତି ଉଛେଦ ତଥା ସମାନ କାମକୁ ସମାନ ଦରମା ଦାବିରେ ଦୀର୍ଘ ୧୦ ଦିନ ହେଲା ରାଜ୍ୟର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଡିଜିଟାଲ ଆନ୍ଦୋଳନ ଜାରି ରହିଛି, ଯାହାକୁ କି ରାଜ୍ୟ ସରକାର ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି । ଏହାସହ ଯଦି ଏଭଳି ଉପେକ୍ଷା ଆଗାମୀ ଦିନରେ ଜାରି ରୁହେ, ତେବେ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ରାସ୍ତାକୁ ଓଲ୍ହାଇବେ ବୋଲି ସଙ୍ଘ ସଭାପତି ବିଜୟ ମଲ୍ଲ, ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ବାସୁଦେବ ଭଟ୍ଟ, ଜ୍ୟୋତିପ୍ରକାଶ ମହାପାତ୍ର, କିଷାନ ବରାଇ ଏବଂ ସଞ୍ଜୟ ପଟ୍ଟନାୟକ, ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରହିତ୍ ପ୍ରତିହାରୀ, ବିଶ୍ବଜିତ୍ ବିଶ୍ବାଳ, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, ଯୁମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର, ସ୍ୱାଗତ ନନ୍ଦ, ସୁରେଶ ମହାନ୍ତି, ଦେବାଶିଷ ନାୟକ, ରାଜେନ୍ଦ୍ର ମଲ୍ଲିକ, ସନ୍ତୋଷ ଗୌଡ଼, ଅମୂଲ୍ୟ କୁମାର ଭାରିମଲ୍ଲ, ଅନିତା ବେହେରା, ଲୋଜାଳିନ ପଣ୍ଡା, ଅଳକା ମହାନ୍ତି, ରଶ୍ମି ଦାସ ପ୍ରମୁଖ ପ୍ରେସ ବ୍ରିବୃତିରେ ଚେତାବନୀ ଦିଆଯାଇଥିବା ସଂଘର ସଭାପତି ଜଣାଇଛନ୍ତି ।
ରିପୋର୍ଟ : ବିଜୟ ମଲ୍ଲ