ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡିଜିଟାଲ ଆନ୍ଦୋଳନ ୧୧ ଦିନରେ ପହଞ୍ଚିଛି । କୁତ୍ସିତ ଚୁକ୍ତିଭିତ୍ତିକ ପ୍ରଥା ତଥା ସମାନ କାମକୁ ସମାନ ଦରମା ପ୍ରତିବାଦରେ ଦୀର୍ଘ ୧୧ ଦିନ ଧରି ରାଜ୍ୟ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ପକ୍ଷରୁ ଡିଜିଟାଲ ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନକୁ ଅନେକ ବୁଦ୍ଧିଜୀବୀ ମହଲରେ ଦୃଢ଼ ସମର୍ଥନ ମିଳିଥିଲେ ହେଁ ସରକାର ଏ ସମ୍ବନ୍ଧରେ ଡେରିରେ ମୁହଁ ଖୋଲିଛନ୍ତି ସତ, କିନ୍ତୁ କିଛି ସମର୍ଥନ ତଥା ସହାନୁଭୂତି ପରିବର୍ତ୍ତେ କର୍ମଚାରୀଙ୍କୁ ତାଗିଦ କରିଛନ୍ତି । ବିଶ୍ୱ ମହାମାରୀ କରୋନାର ନିୟନ୍ତ୍ରଣ ନିମନ୍ତେ ପ୍ରକୃତ ବିନ୍ଧାଣି ସାଜିଥିବା କରୋନା ଯୋଦ୍ଧାଙ୍କୁ ସରକାର ୟେ କେଉଁ ପ୍ରକାର ସମ୍ମାନିତ କରୁଛନ୍ତି ତାହା ଅସ୍ପଷ୍ଟ । ସ୍ୱାଧୀନତାର ଦୀର୍ଘ ୭୩ ବର୍ଷ ବିତିଯାଇଥିଲେ ମଧ୍ୟ ଓଡ଼ିଶାର ପ୍ରତ୍ୟେକ ଚୁକ୍ତିଭିତ୍ତିକ କର୍ମଚାରୀ ଆଜି ବି ନିଜକୁ ପରାଧୀନ ମନେ କରୁଛନ୍ତି । ୨୦୧୩ ମସିହାରେ ଲାଗୁ ହେଇଥିବା ଏଇ ଚୁକ୍ତିଭିତ୍ତିକ ନିୟମ ସତରେ ସରକାରଙ୍କ ବର୍ବରତାର ପରିଚୟ ପ୍ରଦାନ କରୁଛି । ତଥାପି ରାଜ୍ୟର ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ରାଜ୍ୟରେ ଲାଗୁ ହେବାକୁ ଥିବା ସପ୍ତମ ବେତନ କମିଶନକୁ ନେଇ ଯଥେଷ୍ଟ ଆଶାବାଦୀ ଥିଲେ । କିନ୍ତୁ ୨୦୧୭ରେ ଲାଗୁ ହେଇଥିବା ସପ୍ତମ ବେତନ କମିଶନରେ ସରକାର ମୂଳ ଦରମାର ମାତ୍ର ୨୫ ପ୍ରତିଶତ ବୃଦ୍ଧି କରି ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆଶାକୁ ଧୂଳିସାତ କରିବା ସହ ସେମାନଙ୍କ ଭବିଷ୍ୟତକୁ ମଧ୍ୟ ଅନ୍ଧାରକୁ ଠେଲି ଦେଲେ; ଯାହାକି ରାଜ୍ୟ ସରକାରଙ୍କ ଏକ ଅସାମ୍ବିଧାନିକ ପଦକ୍ଷେପ । ଏହା ବିରୋଧରେ ୨୦୧୭ ଏବଂ ୨୦୧୮ ମସିହାରେ ଠିକା କର୍ମଚାରୀମାନେ ଅନେକ ଥର ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିଛନ୍ତି । ଯେଉଁ ଆନ୍ଦୋଳନରେ କି ପୂର୍ବତନ ଅର୍ଥସଚିବ ମାନ୍ୟବର ଆଦିତ୍ୟ ପ୍ରସାଦ ପାଢ଼ୀ ଗୋଟିଏ ମାସ ପରେ ଆମ କଥାକୁ ବିଚାର କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆମ କଥା ପାଣିର ଗାର ପାଲଟି ଯାଇଥିଲା । ପୁନଶ୍ଚ ନିର୍ବାଚନ ପୂର୍ବରୁ ଯେଉଁ ତିନିଜଣିଆ କମିଟି ଗଠନ କରାଯାଇଥିଲା ସେ ନେଇ ମଧ୍ୟ ସରକାରଙ୍କ ତରଫରୁ କୌଣସି ମନ୍ତ୍ରୀ ସ୍ତରୀୟ କମିଟିର କୌଣସି ରିପୋର୍ଟ ଆସି ନ ଥିଲା । ପୁନର୍ବାର ମାନ୍ୟବର ଅର୍ଥସଚିବ ତୁହିନ କାନ୍ତ ପାଣ୍ଡେ ଏକ ଆଲୋଚନା କରି ୧୫ ଦିନ ମଧ୍ୟରେ ନିହାତି କିଛି ପଦକ୍ଷେପ ନେବେ ବୋଲି କହି ମଧ୍ୟ ପ୍ରତିଶ୍ରୁତି ରଖିଲେ ନାହିଁ ବୋଲି ଅଭିଯୋଗ କରାଯାଇଛି । ଏହାସହ ଆଜି ରାଜ୍ୟର ଏଭଳି ସଙ୍ଗୀନ ପରିସ୍ଥିତିରେ ମୁଖ୍ୟ ସେନା ସାଜିଥିବା କରୋନା ଯୋଦ୍ଧାଙ୍କ ଉପରେ ନ୍ୟସ୍ତ ଏହି ଆଇନବିରୋଧି କୁତ୍ସିତ ଚୁକ୍ତିଭିତ୍ତିକ ପ୍ରଥା କେତେଦୂର ଗ୍ରହଣୀୟ? ବାରମ୍ବାର ସରକାରଙ୍କୁ ଅନେକ ଅନୁରୋଧ କରିବା ସତ୍ତ୍ୱେ ଚୁକ୍ତିଭିତ୍ତିକ ପ୍ରଥାର ପ୍ରତ୍ୟାହାର ତଥା କର୍ମଚାରୀଙ୍କୁ ସମାନ କାମକୁ ସମାନ ଦରମା ନ ଦେଇ କର୍ମଚାରୀ ମାନଙ୍କୁ ନାଲି ଆଖି ଦେଖେଇ ସରକାର କର୍ମଚାରୀ ମାନଙ୍କ ପାଟି ବନ୍ଦ କରିପାରିବେନି । ଦରକାର ପଡ଼ିଲେ ଅହିଂସା ଆନ୍ଦୋଳନ କରାଯିବ ବୋଲି ସଂଘ ସଭାପତି ବିଜୟ ମଲ୍ଲ, ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ବାସୁଦେବ ଭଟ୍ଟ, ଜ୍ୟୋତିପ୍ରକାଶ ମହାପାତ୍ର, କିଷାନ ବରାଇ ଏବଂ ସଞ୍ଜୟ ପଟ୍ଟନାୟକ, ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରହିତ୍ ପ୍ରତିହାରୀ, ବିଶ୍ବଜିତ୍ ବିଶ୍ବାଳ, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, ଯୁମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର, ସ୍ୱାଗତ ନନ୍ଦ, ସୁରେଶ ମହାନ୍ତି, ଦେବାଶିଷ ନାୟକ, ରାଜେନ୍ଦ୍ର ମଲ୍ଲିକ, ସନ୍ତୋଷ ଗୌଡ଼, ଅମୂଲ୍ୟ କୁମାର ଭାରିମଲ୍ଲ, ଅନିତା ବେହେରା, ଲୋଜାଳିନ ପଣ୍ଡା, ଅଳକା ମହାନ୍ତି, ରଶ୍ମି ଦାସ ପ୍ରମୁଖ ପ୍ରେସ ବ୍ରିବୃତିରେ ଚେତାବନୀ ଦିଆଯାଇଥିବା ସଂଘର ସଭାପତି ଜଣାଇଛନ୍ତି ।
ରିପୋର୍ଟ : ବିଜୟ ମଲ୍ଲ