ଓଡ଼ିଆ ଭାଷା-ସାହିତ୍ୟର ବିକାଶ ପାଇଁ ନବୀନ ସମ୍ବାଦପତ୍ରର ଅବଦାନ ଅବିସ୍ମରଣୀୟ : କବି ବିପିନ୍‌ ନାୟକ ଏକବିଂଶ ନବୀନ ବିଷୁବ ମିଳନ ଓ ସାରସ୍ୱତ ସମାବେଶ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୧୯୩୦ ମସିହାରୁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା ‘ନବୀନ’ କେବଳ ସମ୍ବାଦପତ୍ର ନୁହଁ ବରଂ ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ଓ ପ୍ରଚାର ପ୍ରସାର ପାଇଁ ଅବିରତ କାର୍ଯ୍ୟ କରି ଆସୁଥିବା ଏକ ଐତିହାସିକ ଅନୁଷ୍ଠାନ ବୋଲି ରବିବାର ସ୍ଥାନୀୟ ନବୀନ ଭବନ ଠାରେ ଆୟୋଜିତ ଏକବିଂଶ ବିଷୁବ ମିଳନ ଓ ରାଜ୍ୟ ରୀୟ ସାରସ୍ୱତ ସମାବେଶରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ କବି ବିପିନ୍‌ ନାୟକ ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଭାଷା ଏକ ଜାତିର ଅସ୍ମିତା । ତେଣୁ ଭାଷାକୁ ସମୃଦ୍ଧ କରିବା ପାଇଁ ଲେଖକ ଲେଖିକାମାନେ ପ୍ରଯନି ହେବା ଆବଶ୍ୟକ । ଏହି ଅବସରରେ ‘ଆମ ଭାଷା ଆମ ଅସ୍ମିତା’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ରୂପେ ପ୍ରଫେସର ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଯୋଗଦେଇ ସାରସ୍ୱତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ନବୀନ ପକ୍ଷରୁ ଏଭଳି ଧାରାବାହିକ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅନୁଷ୍ଠାନର ଉତ୍ତୋରୋତ୍ତର ଉନ୍ନତି ପାଇଁ ସମସ୍ତେ ସହଯୋଗ କରନ୍ତୁ ଏବଂ ନବୀନ ସମ୍ବାଦପତ୍ର ଶତବାର୍ଷିକୀ ପାଳନ କରୁ ବୋଲି ଆଶୀର୍ବଚନ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବିଚାରପତି ଅବନୀ ରଞ୍ଜନ ଦାଶ ଯୋଗଦେଇ ସମାଜର ପରିବର୍ତ୍ତନ ପାଇଁ ସାହିତି୍ୟକମାନେ କଲମ ଚାଳନା କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ସମାରୋହରେ ସଭାପତିତ୍ୱ କରି ନବୀନର ସମ୍ପାଦକ ରବି ରଥ ସମସ୍ତଙ୍କୁ ବିଷୁବ ଅଭିନନ୍ଦନ ଜ୍ଞାପନ କରିବା ସହ ଦୀର୍ଘ ୨୧ ବର୍ଷ ଧରି ସମସ୍ତଙ୍କ ସହଯୋଗରେ ଏଭଳି କାର୍ଯ୍ୟକ୍ରମ ଜାରି ରହିଛି ବୋଲି କହିଥିଲେ । ଏହି ଅବସରରେ ପ୍ରତିଭା ପୂଜା ସ୍ୱରୂପ ଲେଖିକା ସ୍ୱର୍ଣ୍ଣପ୍ରଭା ପାଢ଼ୀ, ଗବେଷକ ବୃନ୍ଦାବନ ନାୟକ, ଓଡ଼ିଆ ଭାଷାପ୍ରେମୀ ଇଂ. ଲଡ଼ୁ କିଶୋର ସାବତ, କବି ରଙ୍କନାଥ ସେଠୀ ଓ ସାହିତି୍ୟକ କପିଳ ଚନ୍ଦ୍ର ମହାନ୍ତିଙ୍କୁ ମୁଖ୍ୟଅତିଥି ପ୍ରଫେସର ସାହୁ ନବୀନ ବିଷୁବ ସମ୍ମାନ-୨୦୧୯ରେ ସମ୍ମାନିତ କରିଥିଲେ । ପ୍ରାରମ୍ଭରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଡ଼ା. ଚନ୍ଦ୍ରମଣି ସ୍ୱାଇଁ ସ୍ୱାଗତ ଅଭିଭାଷଣ ଓ ସମ୍ପାଦକ ସୁଶାନ୍ତ କୁମାର କର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରଥମ ଅଧିବେଶନରେ ଆୟୋଜିତ ସାରସ୍ୱତ ସମାବେଶରେ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ଡ଼ା. ଶ୍ରୀବତ୍ସ ଦଳାଇଙ୍କ ସଭାପତିତ୍ୱ କରିଥିବା ବେଳେ ଏଥିରେ ଅତିଥି ରୂପେ ଐତିହାସିକ ଡ଼. କାର୍ତ୍ତିକ ଚନ୍ଦ୍ର ରାଉତ ମଞ୍ଚାସୀନ ଥିଲେ । କବି ନୀଳକଣ୍ଠ ସାହୁ, ସୌଦାମିନୀ ମିଶ୍ର ଓ କପିଳ ଚନ୍ଦ୍ର ମହାନ୍ତି କବିତା ପାଠୋତ୍ସବର ସଂଯୋଜନା କରିଥିଲେ । ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ କବି କବୟତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ବନ୍ଦନା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ରବି ରଥ , ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା