ଓଡ଼ିଶାରେ ସ୍ଥାୟୀ ବ୍ୟାଙ୍କ ଶାଖା ଅଭାବରୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରଭାବିତ ହେଉଛି – ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା

ଭୁବନେଶ୍ୱର(ଆକାଶ ମିଶ୍ର) – ତିତଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ଓଡ଼ିଶାରେ ଭିତିଭୂମି, ଆର୍ଥିକ ବ୍ୟବସ୍ଥା ଓ ଲୋକମାନଙ୍କର ଜୀବନଜୀବିକା ପ୍ରଭାବିତ ହୋଇଛି । କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରେ ଲୋକମାନଙ୍କର ଜୀବନଜୀବିକା ଯଥାଶୀଘ୍ର ସ୍ୱାଭାବିକ କରିବା ପାଇଁ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକ ଏ ଦିଗରେ ସେମାନଙ୍କର ସହଯୋଗ ଓ ଉତ୍ତମ ସେବା ଯୋଗାଇ ଦେବା ନିମନ୍ତେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ।ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ୧୫୨ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ଓଡ଼ିଶାରେ ସ୍ଥାୟୀ ବ୍ୟାଙ୍କ ଶାଖା ଅଭାବରୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରଭାବିତ ହେଉଛି । ମାର୍ଚ୍ଚ ୨୦୧୭ ସୁଦ୍ଧା ୭୦ ପ୍ରତିଶତରୁ ଊଦ୍ଧ୍ୱର୍ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖା ନାହିଁ ।ବିଗତ ୪ ବର୍ଷରେ ରାଜ୍ୟରେ ୨୪୧ଟି ସ୍ଥାୟୀ ବ୍ୟାଙ୍କ ଶାଖା ଖୋଲା ଯାଇଥିବା ବେଳେ ୨୦୧୭-୧୮ ବର୍ଷରେ ମାତ୍ର ୨୦ଟି ଶାଖା ଖୋଲାଯାଇଛି । ଭାରତ ସରକାରଙ୍କ ଫାଇନାନ୍ସିଆଲ ସର୍ଭିସେସ ବିଭାଗ ପକ୍ଷରୁ ଦିଆଯାଇଥିବା ତାଲିକା ଅନୁଯାୟୀ ଓଡ଼ିଶାରେ ୨୧୯୭ଟି ଗ୍ରାମରେ କୌଣସି ପ୍ରକାର ବ୍ୟାଙ୍କିଙ୍ଗ ଆଉଟଲେଟ ନଥିବା ଗ୍ରାମ ମଧ୍ୟରୁ ୧୫.୧୦.୨୦୧୮ ସୁଦ୍ଧା ୧୪୭୨ଟି ଗ୍ରାମରେ ବ୍ୟାଙ୍କିଙ୍କ କରେସପଣ୍ଡେଣ୍ଟ ନିୟୋଜିତ କରାଯାଇପାରିଛି ।ଏଥିମଧ୍ୟରୁ ୫୨୬ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ, ୫୭୭ଟି ଉକ୍ରଳ ଗ୍ରାମୀଣ ବ୍ୟାଙ୍କ ଏବଂ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ପକ୍ଷରୁ ୧୧୦ଟି ବ୍ୟାଙ୍କିଙ୍କ କରେସପଣ୍ଡେଣ୍ଟଣ୍ଟନିୟୋଜିତ କରାଯାଇଛି । ୨୦୧୮ ଡିସେମ୍ବର ୩୧ ତାରିଖ ବାକିଥିବା ୭୨୫ଟି ଗ୍ରାମରେ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ ଆଉଟଲେଟର ସୁବିଧା ଯୋଗାଇ ଦେବାକୁ ମନ୍ତ୍ରୀ କହିଥିଲେ ।ଇତିମଧ୍ୟରେ ତା.୦୧.୦୯.୨୦୧୮ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ପକ୍ଷରୁ ଓଡ଼ିଶା ପୋଷ୍ଟାଲ ସର୍କଲରେ ୩୩ଟି ଶାଖା ଖୋଲା ଯାଇଥିବାରୁ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଏହି ୩୩ ଶାଖା ୧୬୫ଟି ଆକସେସ ପଏଣ୍ଟ ସହିତ ଲିଙ୍କ କରାଯାଇଛି । ରାଜ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ବ୍ୟାଙ୍କିଙ୍କ ଭିତ୍ତିଭୂମି ଉନ୍ନୟନ ନିମନ୍ତେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ପକ୍ଷରୁ ଅଧିକରୁ ଅଧିକ ଶାଖା ଖୋଲିବା ପାଇଁ ସର୍କିଲ ମୁଖ୍ୟଙ୍କୁ ମନ୍ତ୍ରୀ ଅନୁରୋଧ କରିଥିଲେ ।ରାଜ୍ୟରେ ପର୍ଯ୍ୟାପ୍ତ ଋଣ ଯୋଗାଣକୁ ସୁନିଶ୍ଚିତ କରିବା ଦିଗରେ ପ୍ରତି ବ୍ୟାଙ୍କ ଶାଖାରେ ଅନ୍ୟୁନ ୨ ଜଣ ଅଧିକାରୀଙ୍କ ମଧ୍ୟରୁ ଜଣେ ଅଧିକାରୀ କେବଳ ଋଣ ଯୋଗାଣ ପାଇଁ ନିୟୋଜିତ କରିବା ଦିଗରେ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥି ସହିତ କୋଲକାତାଠାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ମାଓବାଦୀ ପ୍ରଭାବିତ ୧୫ଟି ଜିଲ୍ଲାଗୁଡ଼ିକରେ ଅଧିକରୁ ଅଧିକ ସ୍ଥାୟୀ ବ୍ୟାଙ୍କ ଶାଖା ଖୋଲିବା ନିମନ୍ତେ ଓଡ଼ିଶା ପକ୍ଷରୁ କୁହାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତ ଗୃହ କିମ୍ବା ଜାଗା, ଭିସାଟ ଯୋଗାଯୋଗ ଏବଂ ବିଦ୍ୟୁତ ଆଦି ସମସ୍ତ ଭିତ୍ତିଭୂମି ଯୋଗାଇ ଦେବେ ବୋଲି ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ।ଆର୍ଥିକ ଅନ୍ତର୍ଭୁକ୍ତ ଥିବା ଏବଂ ଡିଜିଟାଲ ପେମେଣ୍ଟ ଏବଂ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକରେ ଋଣ ଯୋଗାଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ, ସବ-ଡିଭିଜିନାଲ ସ୍ୱଳ୍ପ ସଂଚୟ ଅଧିକାରୀମାନଙ୍କୁ ବିଶେଷ ଭାବରେ ଦାୟିତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏଥିସହିତ ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ବ୍ୟାଙ୍କିଙ୍କ ସୁବିଧା ଯୋଗାଇ ଦେବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ।୨୦୧୮-୧୯ ବର୍ଷ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବ୍ୟାଙ୍କିକ କ୍ରେଡିଟ୍ ପ୍ଲାନ ୭୧,୪୨୦ ଟଙ୍କା ମଧ୍ୟରୁ ୩୦.୦୬.୨୦୧୮ ସୁଦ୍ଧା ପ୍ରଥମ ତ୍ରୈମାସିକରେ ୨୦,୨୬୨.୨୪ ଟଙ୍କା ଦିଆଯାଇଥିବା ସମୀକ୍ଷାରୁ ଜଣାପଡ଼ିଛି । ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ଧାର୍ଯ୍ୟ ୧୭,୯୧୯ କୋଟି ଟଙ୍କା ମଧ୍ୟରୁ ଏହି ଅବଧି ମଧ୍ୟରେ ୯୦୭୨ କୋଟି ଟଙ୍କା ଋଣ ଯୋଗାଇ ଦିଆଯାଇଛି ।ବାର୍ଷିକ ଋଣ ଯୋଜନାରେ ବ୍ୟାଙ୍କଗୁଡ଼ିକରେ ଋଣ ଏବଂ ଜମା ଅନୁପାତ ହାର ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟମିତ ତଦାରଖ କରି ବାର୍ଷିକ ଋଣ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ସହିତ ଋଣ ଏବଂ ଜମା ଅନୁପାତ ହାରରେ ଅଧିକ ଉନ୍ନତି ଆଣିବା ପାଇଁ ପରାମର୍ଶ ଦେଇଥିଲେ ।ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର. ବାଲକ୍ରିଷ୍ଣନ କହିଲେ ଯେ ରାଜ୍ୟର ଉନ୍ନତିରେ ମହିଳାମାନଙ୍କର ଭାଗିଦାରୀକୁ ବ୍ୟାପକ କରିବା ପାଇଁ ମହିଳା ସ୍ୱୟଂ ସେବକ ଗୋଷ୍ଠୀଗୁଡ଼ିକୁ ବ୍ୟାଙ୍କମାନେ ସୁବିଧାରେ ବିଭିନ୍ନ ଋଣ ଯୋଗାଇଦେବା ଆବଶ୍ୟକ ।ଏହାଦ୍ୱାରା ମହିଳାମାନେ ସ୍ୱାବଲମ୍ବନଶୀଳ ହେବା ସହିତ ରାଜ୍ୟର ଆର୍ଥିକ ପ୍ରଗତି ହାସଲ ହୋଇପାରିବ । ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଅର୍ଥ) ତୁହିନକାନ୍ତ ପାଣ୍ଡେ କହିଲେ ଯେ ରାଜ୍ୟରେ ମତ୍ସ୍ୟ, ଖଦି ଓ ଗ୍ରାମୋଦ୍ୟୋଗ ଏବଂ ଶିକ୍ଷାକ୍ଷେତ୍ରରେ ଋଣ ଦେୟର ପରିମାଣ ଅତ୍ୟନ୍ତ କମ ରହିଛି । ମୋଟ ଋଣ ପ୍ରଦାନ ତୁଳନାରେ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକରେ ଆନୁପାତିକ ଋଣ ପ୍ରଦାନ ମଧ୍ୟ ହ୍ରାସ ପାଇଛି ।ଆଗାମୀ ଦିନରେ ଏହିସବୁ କ୍ଷେତ୍ର ସହିତ କୃଷି ଓ ଅ।ନୁଷଙ୍ଗିକ କ୍ଷେତ୍ରରେ ବାର୍ଷିକ କ୍ରେଡିଟ ପ୍ଲାନର ଲକ୍ଷ୍ୟ ହାସଲ କରିବାକୁ ସେ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହି ଋଣ ଏ ଦିଗରେ ବିଶେଷ ସହାୟକ ହେବ ବୋଲି ସେ କହିଥିଲେ । କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଋଣ ସମେତ ମୁଦ୍ରା ଋଣ ପ୍ରଦାନ କ୍ଷେତ୍ରରେ ସରକାରୀ ବ୍ୟାଙ୍କ ଗୁଡ଼ିକ ଅଧିକ ତତ୍ପରତା ପ୍ରକାଶ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଏମଏସଏମଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶକ ସୁଜାତା କାର୍ତିକେୟନ, ୟୁକୋ ବ୍ୟାଙ୍କର ଏକଜିକ୍ୟୁଟିଭ ଡାଇରେକ୍ଟର ଚରଣ ସିଂହ, ନାବାର୍ଡର ମୁଖ୍ୟ ପରିଚାଳକ ଚନ୍ଦ୍ରଶେଖର, ଭାରତୀୟ ଷ୍ଟେଟ ବ୍ୟାଙ୍କର ଚିଫ ଜେନେରାଲ ମ୍ୟାନେଜର, ରିଜର୍ଭ ବ୍ୟାଙ୍କର ଜେନେରାଲ ମ୍ୟାନେଜର ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ ।