ଓଡ଼ିଶାରେ ହରତାଳ ପାଇଁ ଅଲ୍ ଇଣ୍ଡିଆ କିଷାନ୍ ସଭାର ଆହ୍ୱାନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମଙ୍ଗଳବାର ଓ ବୁଧବାର ଆହୂତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ମାନଙ୍କର ସାଧାରଣ ଧର୍ମଘଟକୁ ୧୧ଟି ସଙ୍ଗଠନ ତରଫରୁ ସମର୍ଥନ ଜ୍ଞାପନ କରାଯାଇଛି । ଏହା ସହିତ କୃଷକମାନଙ୍କ ନିଜସ୍ୱ ଦାବି ଉପରେ ସାରା ଗ୍ରାମୀଣ ଓଡ଼ିଶାରେ ହରତାଳ ପାଳନ କରିବା ପାଇଁ ଅଲ୍ ଇଣ୍ଡିଆ କିଷାନ୍ ସଭା ଆହ୍ୱାନ ଦେଇଛି । ଗ୍ରାମୀଣ ଭାରତରେ ବସବାସ କରୁଥିବା ୮୦ ଭାଗ ଦେଶବାସୀ କୃଷି ଏବଂ କୃଷି ସମ୍ପର୍କୀୟ ଜୀବିକା ଉପରେ ନିର୍ଭରଶୀଳ । ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ୬୦୦ ଟଙ୍କା କରିବା, କୃଷି କ୍ଷେତ୍ରକୁ ସ୍ୱାବଲମ୍ବନଶୀଳ କରିବାପାଇଁ ଅଧିକ ରିହାତି ଦେବା, କୃଷକମାନଙ୍କୁ ଋଣରୁ ମୁକ୍ତ କରିବା, ବେକାରଙ୍କୁ ନିଯୁକ୍ତି, ଆଦିବାସୀ, ମହିଳା ଏବଂ ଦଳିତମାନଙ୍କ ଅଧିକାର ଇତ୍ୟାଦି ପ୍ରସଙ୍ଗରେ ନିରବଚ୍ଛିନ୍ନ ଲଢ଼େଇ ଜାରି ରହିଛି । ୮ ଓ୯ ଜାନୁଆରୀର ଏହି ଧର୍ମଘଟ ଏବଂ ହରତାଳରେ ରାଜ୍ୟର କୃଷକ, ଶ୍ରମିକ ଏବଂ କ୍ଷେତମଜଦୁର, ମହିଳା, ଯୁବ ଛାତ୍ର, ବସ୍ତିବାସିନ୍ଦା ଏବଂ ଆଦିବାସୀ ଓ ଦଳିତମାନେ ସାରା ରାଜ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଧାରଣା, ବିକ୍ଷୋଭ, ରାସ୍ତାରୋକୋ, ପଟୁଆର ଓ ପିକେଟିଂ ଇତ୍ୟାଦି ସଙ୍ଗଠିତ କରିବେ । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଆହୂତ ଏହି ହରତାଳକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇବା ପାଇଁ ରାଜ୍ୟର ପ୍ରମୁଖ ୧୧ଟି ଗଣ ସଙ୍ଗଠନ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ଏକ ମିଳିତ ବିବୃତିରେ ସି.ଆଇ.ଟି.ୟୁ.ର ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ଓଡ଼ିଶା କୃଷକ ସଭାର ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଓଡ଼ିଶା କ୍ଷେତମଜଦୁର ୟୁନିୟନ୍ର ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ପରିଡ଼ା, ଓଡ଼ିଶା ଆଦିବାସୀ ଅଧିକାର ମଂଚ ସାଧାରଣ ସମ୍ପାଦକ ସାଲ ମାର୍ଣ୍ଡି, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଭାନେତ୍ରୀ ପୁଷ୍ପା ଦାଶ, ଓଡ଼ିଶା ଦଳିତ ଶୋଷଣ ମୁକ୍ତି ମଂଚ ଆବାହକ ରାମଚନ୍ଦ୍ର ନାୟକ, ଓଡ଼ିଶା ବସ୍ତିବାସିନ୍ଦା ମହାସଂଘ ଯୁଗ୍ମ ଆବାହକ ଅଜୟ ଶର୍ମା, ବସନ୍ତ ନନ୍ଦ, ଡି.ୱାଇ.ଏଫ୍.ଆଇ. ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି ଏବଂ ଏସ୍.ଏଫ୍.ଆଇ. ରାଜ୍ୟ ଆବାହକ ବିପ୍ଳବ ମିଶ୍ର ପ୍ରମୁଖ ଓଡ଼ିଶାରେ ଧର୍ମଘଟକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ନିବେଦନ ଜଣାଇଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର