ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ବରିଷ୍ଠ ନେତା ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଖୁବଶୀଘ୍ର କଂଗ୍ରେସରେ ସାମିଲ ହେବାର ସୂଚନା ମିଳିଛି । ଆସନ୍ତା ୨୫ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ତାଙ୍କୁ ଶ୍ରୀ କାନୁନଗୋ ଭେଟି ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହେବେ ବୋଲି ଖବର ମିଳିଛି।ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ବୈଜୟନ୍ତ ପଣ୍ଡା, ଡାକ୍ତର ଦାମୋଦର ରାଉତ ଓ ପଞ୍ଚାନନ କାନୁନଗୋଙ୍କ ଭୂମିକା କ’ଣ ରହିବ ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଲାଗି ରହିଛି। ତେବେ ଡାକ୍ତର ରାଉତ ‘ ଜନତା କ୍ରାନ୍ତି ଦଳ’ ନାଁରେ ନୂଆ ଦଳ ଗଠନ କରିବେ ବୋଲି ସାମ୍ବାଦିକମାନଙ୍କୁ ସଙ୍କେତ ଦେଇଥିବାବେଳେ ବୈଜୟନ୍ତ ମଧ୍ୟ କେଉଁ ଦଳରେ ଜଏନ କରିବେ ତାର କଳ୍ପନା ଜଳ୍ପନା ଚାଲିଛି । ତେବେ ବିଜୟ, ଦିଲ୍ଲୀପ ଓ ପଞ୍ଚାନନ ଇତିମଧ୍ୟରେ ନିଜର ରାଜନୀତିକ କାର୍ଯ୍ୟପନ୍ଥା ସ୍ଥିର କରିଥିବା ସୁରାଖ ମିଳିଥିବା ବେଳେ ପଞ୍ଚାନନ କଂଗ୍ରେସରେ ସାମିଲ ହେବାକୁ ରାଜି ହୋଇଛନ୍ତି। ସେ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ନୁହେଁ ବରଂ ସମ୍ମାନଜନକ ଭାବେ କଂଗ୍ରେସରେ ସାମିଲ ହେବାକୁ ଚାହୁଁଥିବା ଜଣାପଡ଼ିଛି। ସେହିପରି ବରିଷ୍ଠ ନେତା ବିଜୟ ମହାପାତ୍ର ଏବେ କୌଣସି ଦଳରେ ପ୍ରତ୍ୟକ୍ଷ ଭାବେ ସାମିଲ ନହୋଇ ନିଜେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଗାମୀ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ଅବଶ୍ୟ ସେଥିପାଇଁ ତାଙ୍କୁ କଂଗ୍ରେସ ସହଯୋଗ କରିବ ବୋଲି କୁଆଡେ ଭିତିରି ବୁଝାମନା ହୋଇଥିବା ଖବର ମିଳିଛି। ଦିଲ୍ଲୀପ ରାୟ ନିଜେ ନିର୍ବାଚନ ନ ଲଢ଼ିବା ପାଇଁ ଘୋଷଣା କରିସାରିଥିବାରୁ ସେ ଆଗାମୀ ନିର୍ବାଚନରେ ପରୋକ୍ଷ ଭାବେ କଂଗ୍ରେସକୁ ସହଯୋଗ କରିବେ ବୋଲି କୁହାଯାଉଛି।ଗତ ଦୁଇଦିନ ତଳେ ଏହି ବରିଷ୍ଠ ନେତାମାନେ ଏକ ବୈଠକ କରି ନିଜର ଭବିଷ୍ୟତ ରଣନୀତି ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି। ରିପୋର୍ଟ : ସୁଧୀର ପଟ୍ଟନାୟକ