








ଭୁବନେଶ୍ୱର(ସମୃଦ୍ଧଓଡିଶା) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକରେ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଛନ୍ତି । କଟକବାସୀଙ୍କ ସୌଜନ୍ୟତା ଓ ଭାଇଚାରାରେ ଅଭିଭୂତ ହୋଇ ମୁଖ୍ୟମନ୍ତ୍ରୀ କଟକବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ଦିଗରେ ସେମାନଙ୍କ ପ୍ରୟାସର ଭୂୟସୀ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟର ସର୍ବାଙ୍ଗୀନ ବିକାଶ ନିମନ୍ତେ ମା’ଙ୍କ ଆଶିଷ ଭିକ୍ଷା କରିବା ସହ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୂଆ ସରକାର ନୂଆ ଆଶା ଉଦ୍ଦୀପନା ନେଇ ନୂଆ ଓଡ଼ିଶା ଗଠନର ସଂକଳ୍ପ ନେଇ ଆସିଛି । ୧୦୦୦ ବର୍ଷର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବହନ କରୁଥିବା କଟକ ସହରର ସର୍ବାଙ୍ଗୀନ ବିକାଶ ସହ ଏହାକୁ ସ୍ମାର୍ଟ ସିଟି କରିବା ଏବଂ କଟକ-ଭୁବନେଶ୍ୱରକୁ ଟୁଇନ୍-ସିଟି ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ପ୍ରଯତ୍ନ କରୁଛନ୍ତି । ଓଡ଼ିଶା ଆଗାମୀ ଦିନରେ ବିକଶିତ ଓଡ଼ିଶା ହେବ, ସମୃଦ୍ଧ ଓଡ଼ିଶା ହେବ । ବିକାଶର ଏହି ଯାତ୍ରା କଟକରୁ ଆରମ୍ଭ ହେବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଓଡ଼ିଶାକୁ ଭଲ ପାଆନ୍ତି ଏବଂ ପୂର୍ବୋଦୟର ବିକାଶ ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରତାପନଗରୀରେ ଦୁର୍ଗାମେଢ଼ ଦେଖିବା ପରେ ଚାଉଳିଆଗଞ୍ଜ, ଶିଖରପୁର, ଯୋବ୍ରା, ରାଣୀହାଟ, କଲେଜ ଛକ, ଛତ୍ରବଜାର, ମଧୁପାଟଣା, ଖାନନଗର, ପିଠାପୁର, ଝୋଲାସାହି, ଦରଘାବଜାର, ଚୌଧୁରୀବଜାର, ଚାନ୍ଦିନୀଚୌକ, ତୁଳସୀପୁର, ସିଡିଏ ସେକଟର ୬ ଓ ୭, ବିଡାନାସୀ, ମାତାମଠ ସହ ପ୍ରାୟ ୪୦ଟି ଦୁର୍ଗାମେଢ଼ ପରିଦର୍ଶନ କରିଥିଲେ । ପ୍ରତି ପୂଜାମଣ୍ଡପରେ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଉତ୍ସାହର ସହ ସ୍ୱାଗତ କରିଥିବାବେଳେ ଆୟୋଜକ କମିଟି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ଦେ ଏବଂ ବରିଷ୍ଠ କର୍ମକର୍ତ୍ତାମାନେ ପୂଜା ମଣ୍ଡପ ବୁଲି ଦେଖିଥିଲେ ।
ରିପୋର୍ଟ : ରଜତ ମହାପାତ୍ର