ରାୟଗଡା (ସମୃଦ୍ଧ ଓଡିଶା) କଣ୍ଟା ବିହୀନ ନାଗଫେଣୀ ଗଛ ଗୋରୁଙ୍କୁ ଖାଦ୍ୟ ଯୋଗାଇ ପାରିବ । ପାହାଡିଆ ଏବଂ ଶୁଷ୍କ ସ୍ଥାନରେ ମଧ୍ୟ ଏହି ଚାଷ କରାଯାଇ ପାରେ ବୋଲି ଆଇକାର୍ଡ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ଚାଷୀ ସଚେତନତା କର୍ମଶାଳାରେ ସୂଚନା ଦିଆ ଯାଇଛି । ଏହି ନାଗଫେଣୀର ଉପକାରୀତା ସମ୍ପର୍କରେ ଚାଷୀଙ୍କୁ ତାଲିମ ପ୍ରଦାନ କରିବା ପାଇଁ ଜଳ ବିଭାଜିକା କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଏହି ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା । ନାଗଫେଣୀ ଗଛ ବିଶେଷଜ୍ଞ ଡ.ସସ୍ୱାନ ହାସନ ଯୋଗ ଦେଇଥିଲେ । ନାଗଫେଣୀ ଗଛ କୃଷକର ବନ୍ଧୁ ବୋଲି କହିଥିଲେ । ଦିନକୁ ଦିନ ଗୋଖାଦ୍ୟ ମହଙ୍ଗା ହୋଇ ଚାଲିଥିବା ବେଳେ ଚାଷୀ ଗୋରୁଗାଈ ପାଳନ ପ୍ରତି ବିମୁଖ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳର ଚାଷୀ କିଭଳି ସୁବିଧା ରେ ଗୋଖାଦ୍ୟ ପାଇ ପାରିବେ ଏହି ଉଦ୍ୟେଶରେ ପାହାଡିଆ ଇଳାକାରେ ନାଗଫେଣୀ ଚାଷର ପରିକଳ୍ପନା ବୋଲି ସେ କହିଛନ୍ତି । ଶୁଖିଲା ଅଞ୍ଚଳରେ ମଧ୍ୟ ଏହି ଚାଷ କରାଯାଇ ପାରିବ ବୋଲି କହିଛନ୍ତି । ମୃତ୍ତିକା ସଂରକ୍ଷଣ ଏବଂ ଜଳ ବିଭାଜିକା ନିର୍ଦେଶାଳୟ ଓ ଆନ୍ତର୍ଜାତୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା କେନ୍ଦ୍ର ସହଯୋଗରେ ପାହାଡିଆ, ଅବକ୍ଷୟ ପ୍ରାପ୍ତ ଜମିରେ କଣ୍ଟା ବିହୀନ ନାଗଫେଣୀ ଏବଂ ଶୀତ ଋତୁରେ ପଡିଆ ଜମିରେ ଖେସାରି ଚାଷ କରା ଯାଇପାରିବ ବୋଲି ଚାଷୀଙ୍କୁ କୁହାଯାଇଥିଲା । ଏହି ଚାଷ ହେକ୍ଟର ପିଛା ୮୦ରୁ ୧୦୦ ଟନ ପର୍ଯ୍ୟନ୍ତ ଗୋଖାଦ୍ୟ ଦେଇଥିବା ବେଳେ ଅତ୍ୟଧିକ ଗରମ ସ୍ଥାନ ଏବଂ ବିନା ଜଳ ସେଚନରେ ମଧ୍ୟ ଏହାର ସମାନ ଉତ୍ପାଦନ ରହିଥାଏ ବୋଲି ସୂଚନା ଦିଆ ଯାଇଥିଲା । ଏହି ଚାଷ ପାଇଁ ରାୟଗଡା ଏକ ଉପଯୁକ୍ତ ଅଞ୍ଚଳ ହୋଇଥିବାରୁ ଚାଷୀଙ୍କୁ ଏହାର ଚାଷ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଆଲୋଚନା ଚକ୍ରରେ କୃଷି ଉପ ନିର୍ଦେଶକ ରବିନ୍ଦ୍ରନାଥ ଖୁଣ୍ଟିଆ, ମୃତ୍ତିକା ସଂରକ୍ଷଣ ବିଭାଗତି ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ କୁମାର ମଲ୍କଲିଙ୍କ ସହ ରାୟଗଡା ବ୍ଲକ ଅଧ୍ୟକ୍ଷ ପି.ରାମଲୁୁ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ