କନିଷି ସ୍ଥିତ ଚିଟଫଣ୍ଡ ସଂସ୍ଥା ‘ଡ଼ାଟମ୍’ର ୨ଗିରଫ: ଏମଡ଼ିଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ୍…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲାର କନିଶିରେ ଏକ ଚିଟଫଣ୍ଡ ସଂସ୍ଥା କରି ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ କରି  ଫେରାର୍ ହୋଇଥିବା ଡ଼ଟମ୍ ଚିଟଫଣ୍ଡ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ବ୍ରଜ ମୋହନ ପଟ୍ଟନାୟକ ଏବଂ ନିର୍ଦ୍ଦେଶିକା ତ୍ରିଧାରା ମହାନ୍ତିଙ୍କୁ ପୋଲିସ୍ ଭୂବନେଶ୍ୱରରୁ ଗିରଫ କରିଛି । ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଠାରେ ଗତ ୨୦୦୬ ମସିହାରୁ କାର୍ଯ୍ୟାଳୟ ଖୋଲି ବିଭିନ୍ନ ସ୍କିମ୍ ମାଧ୍ୟମରେ ଦୁଇଗୁଣ କରିବା ପ୍ରଲୋଭନ ଦେଖାଇ ଗଂଜାମ ଜିଲ୍ଲା ସମେତ ପରବର୍ତି ସମୟରେ ଜିଲ୍ଲା ଏବଂ ରାଜ୍ୟ ବାହାରୁ ଲୋକଙ୍କ କଷ୍ଟ ଅର୍ଜିତ କୋଟିକୋଟି ଟଙ୍କା ହଡ଼ପ ପରେ ଫେରାର୍ ହୋଇଥିଲେ ଏହି ଦୁଇବ୍ୟକ୍ତି । ପୋଲିସ୍ ପୂର୍ବରୁ  କନିଷି ସ୍ଥିତ ଡଟମ କାର୍ଯ୍ୟାଳୟକୁ ସିଲ୍ କରିବା ସହ ସେଠାରୁ କମ୍ପ୍ୟୁଟର,ହାର୍ଡ଼ଡ଼ିସ୍କ ସହ ଆବଶ୍ୟକ ନଥିପତ୍ର ଜବତ କରିଥିଲେ । ଏପରିକି କମ୍ପାନୀ ନାମରେ କନିଷି ଷ୍ଟେଟବ୍ୟାଙ୍କ ଶାଖାରେ ଥିବା ୪୦ ଲକ୍ଷ ଟଙ୍କା ମଧ୍ୟ ଜବତ କରିଥିଲେ ଓ ଏଥିରେ ସମ୍ପୃକ୍ତ ୨ ସହଯୋଗୀ ବିଜୟ ମହାପାତ୍ର ଏବଂ ଚନ୍ଦ୍ର ତ୍ରିପତି ବାଲାଜି ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ବର୍ତମାନ ନିର୍ଦ୍ଦେଶକ ଏବଂ ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରିଥିବା ବେଳେ ଏମ୍ଡ଼ି ପଟ୍ଟନାୟକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ବିଭିନ୍ନ ବିଷୟରେ ଜେରା କରାଯିବ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି । କମ୍ପାନୀର ଅର୍ଥନୈତିକ କାରବାର, ସ୍ଥାବର ଅସ୍ଥାବନର ସମ୍ପତି, ଲୋକଙ୍କ ସମୁଦାୟ ଅର୍ଥଲାଗାଣ ଟଙ୍କା ସମ୍ପତି ସଂପର୍କରେ ତଥ୍ୟ ସଂଗ୍ରହ କରାଯିବ । ବେଆଇନ୍ ସମ୍ପତି ସହ ସଂପୃକ୍ତ ଥିବା ଏଜେଣ୍ଟ ଏବଂ ସହଯୋଗୀ ମାନଙ୍କ ସଂପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ । ଅର୍ଥନୈତିକ ଅପରାଧ ଶାଖାର ନିୟମ ଓ ନିର୍ଦ୍ଦେଶନାମା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ସଦ୍ୟ ସୂଚନା ଅନୁଯାଇ କମ୍ପାନୀରେ ମୋଟ ୧୫୫୮ ଜମାକାରୀ ପ୍ରାୟ ୫୦ ରୁ ୬୦ କୋଟି ଟଙ୍କା ନିବେଶ କରିଥିବା ଜଣା ପଡିଛି । ଅତିରିକ୍ତ ଏସପି ଶାନ୍ତନୁ କୁମାର ଦାଶ, ସଦର ଏସଡ଼ିପିଓ ଅଶୋକ କୁମାର ମହାନ୍ତି, ଡ଼ିଆଇବି ଡ଼ିଏସପି ଅଜୟ କୁମାର ମିଶ୍ର, ଗୋଳନ୍ଥରା ଥାନା ଅଧିକାରୀ ଡ଼.ଆଲୋକ କୁମାର ଜେନାଙ୍କ ଉପସ୍ଥିତିରେ ବ୍ରହ୍ମପର ଏସପି ପିନାକ ମିଶ୍ର ଏହି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା