କନିଷି ଅସ୍ଥାୟୀ ମେଡିକାଲ ଶିବିରରେ ଖାଇବା ଅବ୍ୟବସ୍ଥା ନେଇ ହଟ୍ଟଗୋଳ…

ଗୋପାଳପୁର (ସମୃଦ୍ଧ ଓଡିଶା) ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କନିଷି ପଞ୍ଚାୟତ ତରଫରୁ କନିଷି ଠାରେ ଏକ ଶିକ୍ଷାନୁଷ୍ଠାନ ପରିସରରେ ହୋଇଥିବା ଅସ୍ଥାୟୀ ମେଡିକାଲ ଶିବିରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ କମ ପରିମାଣର ଖାଇବାକୁ ଦେବା ସହ ୭୦ ଲୋକଙ୍କ ନିମନ୍ତେ ୩ଟି ଶୈଚାଳୟ ଏବଂ ପାଣିର ଉପଯୁକ୍ତ ବ୍ୟବସ୍ଥା ନ ଥିବା ଅଭିଯୋଗ କରି ଆଜି ଗୁରୁବାର ସକାଳେ ୧୫୦ ପ୍ରବାସୀ ଓଡ଼ିଆ ଜଳଖିଆ ଖାଇ ନ ଥିବା ଜଣାପଡିଛି । କନିଷି ଗ୍ରାମର ଆନ୍ଧ୍ର ପ୍ରଦେଶର ବିଭିନ୍ନ ଅଞ୍ଚଳରେ କାମ କରିବା ନିମନ୍ତେ ପରିବାର ସହ ଯାଇଥିବା ବେଳେ ଲକଡାଉନ ଯୋଗୁଁ କର୍ମ କ୍ଷେତ୍ରରେ କାମ ନ ମିଳିବା ସହ ଖାଦ୍ୟ ପେୟ ଯୋଗାଡ଼ କରିବାରେ ଅସୁବିଧା ହେବାରୁ ଗତ ୧୦ ଦିନ ତଳେ ପ୍ରାୟ ୧୫୦ ପ୍ରବାସୀ ଓଡ଼ିଆ କନିଷି ପହଞ୍ଚିବା ପରେ ସେମାନଙ୍କୁ ଅସ୍ଥାୟୀ ମେଡିକାଲ ଶିବିରରେ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି । ଏଠାରେ ରହୁଥିବା ୧୫୦ ପ୍ରବାସୀମାନଙ୍କ ମଧ୍ୟରୁ ୭୦ ଜଣଙ୍କୁ ବିଦ୍ୟାଳୟର ଶ୍ରେଣୀ ଗୃହ କୋଠାରେ ରଖାଯାଇଥିବା ବେଳେ ଅନ୍ୟମାନଙ୍କ ନିକଟରେ ଥିବା ଏସସିଏସଟି ହଷ୍ଟେଲ ପରିସରରେ ରଖାଯାଇଛି । ଏମାନଙ୍କ ଶୈଚ ନିମନ୍ତେ ବିଦ୍ୟାଳୟ ପରିସରରେ ୩ଟି ଶୈଚାଳୟ ରହିଥିବା ବେଳେ ହଷ୍ଟେଲ ପରିସରରେ ପ୍ରାୟ ୪ଟି ଶୈଚାଳୟ ରହିଛି । ସକାଳେ ଶୈଚ ଓ ଗାଧୋଇବା ନିମନ୍ତେ ପ୍ରବାସୀମାନଙ୍କୁ ଆବଶ୍ୟକ ପରିମାଣର ପାଣି ମିଳୁନଥିବା ସହ ଜଳଖିଆ ସମେତ ମଧ୍ୟାହ୍ନ ଓ ରାତ୍ରୀ ଭୋଜନରେ କମ ପରିମାଣର ଖାଦ୍ୟ ବଣ୍ଟନ କରାଯାଉଥିବା ପ୍ରବାସ ମାନେ ଅଭିଯୋଗ ଆଣି ଆଜି ସକାଳର ଜଳଖିଆ ଖାଇଥିଲେ । ଏ ନେଇ ଜଣାପଡାବା ପରେ ସ୍ଥାନୀୟ ସରପଞ୍ଚ ଜୟଦେବ ଦାସ ଓ ଅନ୍ୟ ମାନେ ବିଦ୍ୟାଳୟରେ ପହଞ୍ଚି ପ୍ରବାସୀମାନଙ୍କ ସହ ଆଲୋଚନା କରିବା ସହ ଜଳଖିଆ ଖାଇବାକୁ ନିବେଦନ କରିବା ପରେ ପ୍ରବାସୀମାନେ ଦିନ ୧୨ ଠାରେ ଜଳଖିଆ ଖାଇଥିଲେ । ଏହାସହ ମଧ୍ୟାହ୍ନ ଭୋଜନରେ ଅଧିକ ପରିମାଣର ଖାଦ୍ୟ ପ୍ରବାସୀମାନଙ୍କୁ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଇଥିବା ସରପଞ୍ଚ ଶ୍ରୀ ଦାସ ସୁଚନା ଦେବା ସହ ପାଣି ନିମନ୍ତେ ପ୍ରତିଦିନ ଟ୍ୟାଙ୍କର ଯୋଗେ ପାଣିର ବ୍ୟବସ୍ଥା କରାଯାଇଥିବା କହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା