କନ୍ଧମାଳ (ସମୃଦ୍ଧ ଓଡିଶା) କନ୍ଧମାଳ ଜିଲ୍ଲାରେ ଟିକା କରଣ ପକ୍ରିୟା ଚାଲିଥିବା ଜଣାପଡିଛି । ସୂଚନା ଯେ, କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡିଙ୍କୁ ଆଜି ଦିଆଯାଇଛି କରୋନା ଭ୍ୟାକ୍ସିନ କୋଭିସିଲଡର ଦ୍ୱୀତିୟ ଡୋଜ । ସେହିଭଳି ଜିଲାର ଅନ୍ୟ କେତେକ ଅଧିକାରୀଙ୍କ ସମେତ ଅନ୍ୟମାନେ ମଧ୍ୟ ଗ୍ରହଣ କରିଛନ୍ତି ଦ୍ୱିତୀୟ ଡ଼ୋଜ୍ । ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଚାଲିଥିବା ଟିକାକରଣ କେନ୍ଦ୍ରରେ ଆଜି ଜିଲ୍ଲାପାଳ ନେଇଥିଲେ ଦ୍ୱିତୀୟ ଡୋଜ କୋଭିସିଲଡ୍ ଟିକା । ଏଥିସହ ଆଜି ଜିଲ୍ଲାର ବିଭିନ୍ନ ଟିକାକରଣ କେନ୍ଦ୍ରରେ ସମୁଦାୟ ୧୨୭୩ ଜଣଙ୍କୁ କୋଭିଡ-୧୯ ଟିକା ଦିଆଯାଇଛି ବୋଲି କନ୍ଧମାଳ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଚାଲିଥିବା ଏହି ଟିକାକରଣ କାର୍ଯ୍ୟକ୍ରମରେ ଆଜି ପର୍ଯ୍ୟନ୍ତ ସମଗ୍ର କନ୍ଧମାଳ ଜିଲ୍ଲାର ୧୨ ଟି ବ୍ଳକରେ ସମୁଦାୟ ୨୨ ହଜାର ୮୯୯ ଜଣଙ୍କୁ ଟିକା ଦିଆ ଯାଇଥିବା ଜଣାପଡିଛି । ସେଥିମଧ୍ୟରୁ ୭୧୦୭ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୫୯୨୭ ଜଣଙ୍କୁ ଦ୍ୱିତୀୟ ଡୋଜ, ୪୩୪୬ ଜଣ ଆଗ ଧାଡିର ସରକାରୀ କର୍ମଚାରୀଙ୍କୁ ପ୍ରଥମ ଡୋଜ ଏବଂ ୧୨୨୫ ଜଣଙ୍କୁ ଦ୍ୱୀତିୟ ଡୋଜ ଦିଆଯାଇଛି । ସେହିଭଳି କନ୍ଧମାଳ ଜିଲ୍ଲାରେ ଆଜି ପର୍ଯନ୍ତ ୪୦୦୮ ଜଣ ୬୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ କୋଭିସିଲଡ୍ ଟିକା ନେଇଛନ୍ତି । ୪୫ରୁ ୬୦ ବର୍ଷ ଭିତରେ ଜଟିଳ ରୋଗ ଭୋଗୁଥିବା ୨୮୬ ଜଣଙ୍କୁ ମିଲିଛି କରୋନା ଟିକା । ସୂଚନା ଅନୁସାରେ ଗତ ଚାରିଦିନ ହେଲା ଜିଲାରେ କୋଭିଡ ସଂକ୍ରମଣ ଶୂନ ରହିଛି । ମହାମାରୀକୁ ଏକ ବର୍ଷ ପୂରିବାକୁ ଯାଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ଆଜି ସୁଦ୍ଧା କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫୯୫୧ ରହିଛି । ଏଥି ମଧ୍ୟରୁ ୫୯୧୮ ଜଣ ସୁସ୍ଥ ହୋଇଥିବା ବେଳେ ୩୩ ଜଣ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣାଯାଇଛି ।