ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି କୃଷିଭବନସ୍ଥିତ ଅଡିଟୋରିଅମ ହଲରେ କପା ଚାଷ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ। ଓଡ଼ିଶା ମାଟିରେ କପା ଚାଷ ହେଉଥିବା ବିଭିନ୍ନ ଅର୍ଥକାରୀ ଫସଲ ମଧ୍ୟରୁ ଅନ୍ୟତମ ହେଉଛି କପା ଚାଷ। ବୟନଶିଳ୍ପ ର ଆଧାର ହେଉଛି କପା । ବଜାର ଚାହିଦାକୁ ଦୃଷ୍ଟିରେ ରଖି ଏହାକୁ ‘ଧଳା ସୁନା’ର ଆଖ୍ୟା ଦିଆଯାଇଛି। ଓଡ଼ିଶାର କୃଷି ଅର୍ଥନୀତି ଓ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଲାଗି କପା ଚାଷକୁ ବିଶେଷ ପ୍ରୋତ୍ସାହନ ରାଜ୍ୟ ସରକାର ଦେଉଛନ୍ତି। ଭାରତରେ ବ୍ୟବହୃତ କପାର ମୋଟ ୪୦ ପ୍ରତିଶତ କପା ଓଡ଼ିଶାରେ ଚାଷ ହେଉଛି ଏବଂ ଆଜି ଏହା ୧୧ ଟି ଜିଲ୍ଲାର ୨ ଲକ୍ଷ ୩୯ ହଜାର ହେକ୍ଟର ଜମିକୁ ସମ୍ପ୍ରସାରିତ ହୋଇପାରିଛି। କେବଳ ରାୟଗଡ଼ା, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରୁ ହିଁ ଓଡ଼ିଶାର ୮୫ ପ୍ରତିଶତ କପା ଉତ୍ପାଦନ ହେଉଛି। ଆମ ରାଜ୍ୟରେ ଉତ୍ପାଦିତ କପା ଅତି ଉତ୍କୃଷ୍ଟ ମନର ତଥା ଲମ୍ବା ତନ୍ତୁବିଶିଷ୍ଟ । ଓଡିଶାରୁ ଉତ୍ପାଦିତ କପା ଦେଶବିଦେଶକୁ କସ୍ତୁରୀ କପା ନାମରେ ରପ୍ତାନି ହେଉଛି ଯାହାଦ୍ୱାରା ବିଶ୍ୱ ବୟନଶିଳ୍ପ ସମୃଦ୍ଧ ହେଉଛି। କର୍ମଶାଳାରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ଓଡ଼ିଶାର ଚାଷୀ ଭାଇ ଭଉଣୀ ଙ୍କ ଜୀବନକୁ ନୂଆ ଦିଶା ଦେଇଛି ଲାଭଜନକ କପା ଚାଷ। ସେମାନଙ୍କର ଜୀବିକା ସୁଦୃଢ଼ ହୋଇଛି ଏବଂ ସେମାନେ ଆର୍ଥିକ ସ୍ତରରେ ସଶକ୍ତ ହୋଇଛନ୍ତି। କପାଚାଷ ଲାଗି କୃଷି ସାମଗ୍ରୀ, ସାର, କୀଟନାଶକ ପ୍ରଭୃତି ଡିବିଟି ମାଧ୍ୟମରେ ସରକାର ଯୋଗାଇ ଦେଉଛନ୍ତି। ଏବଂ ତା ସହ ଚାଷୀମାନଙ୍କୁ ଦକ୍ଷତା ବୃଦ୍ଧି ତାଲିମ ମଧ୍ୟ ଦିଆଯାଉଛି। ଏହାର ବିକ୍ରିବଟା ସୁବିଧାରେ କରିବା ପାଇଁ ବିଭିନ୍ନ ସ୍ଥାନରେ ମଣ୍ଡି ମଧ୍ୟ ଖୋଲାଯାଇଛି। ଶେଷରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ୱାର୍ଲଡ଼ ଫୁଡ଼ ପ୍ରୋଗ୍ରାମ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓ ୟୁ) ସ୍ୱାକ୍ଷରିତ ହୋଇଥିଲା । କପା ଚାଷରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ । କର୍ମଶାଳାରେ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ ଓୟୁଏଟି କୁଳପତି, ସିସିଆଇ ନିର୍ଦ୍ଦେଶକ, ଆଇସିଏଆର ରୁ ବରିଷ୍ଠ ଅଧିକାରୀ , ବୈଜ୍ଞାନିକ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ସୁଶ୍ରୀ ସଂଗୀତା ମହାରଣା, ଲୋକସମ୍ପର୍କ ଅଧିକାରୀ