ୟା ହେଇ ହେଇ ସାଙ୍ଗ ଆସିଗଲା ଆଉ ଗୋଟେ କବିତା ଚିତ୍କାର କରି ଉଠିଲେ ଚାରି ବନ୍ଧୁ । ମୋନାଲିସାର କବିତା ।ଏଇଟା ଖାସ ମୋ ପାଇଁ , ଆଉ ଜଣେ ପାଟି କଲା ନାଇଁ ନାଇଁ ଏଇଟା ମୋ ପାଇଁ। ପଢ଼ିଲୁ ପଢ଼ିଲୁ ତା ଦିହରୁ ପୁଳାଏ।ଆରେ ୟାର ଗୋଲାପ ପାଖୁଡା ଭିତରେ ଲେଖା –
“ଭୁଲିବନି ପ୍ରିୟ ମୋର
ଏବେ ବି ଜୀଇଁଛି
ଖାସ କରି ତମ ପାଇଁ,
ସଦ୍ୟ ଗୋଲାପଟେ ହୋଇ
ଟିକିଏ ବି କଣ୍ଟା ନାହିଁ।
ଆଃ କି ଚମତ୍କାର ପଂକ୍ତି ।
ଚାରି ବନ୍ଧୁ କଥା ହେଲେ ଆରେ କମେଣ୍ଟ କର ୟାର ଜଲଦି।
ଇସସସ ——-..କଅଣ ଲେଖିଲ ମ !
କିଛି ସମୟ ପରେ ଆସିଲା ଆଉ ଏକ କବିତା ର ପଂକ୍ତି ” ଆଜି ନ ଆସିଲ ନାହିଁ
ଯେବେ ବି ଆସିବ
ରହିଥିବି ତୁମ ବାଟ ଚାହିଁ,
ସେଇତ ସଚ୍ଚା ପ୍ରେମ
ଯାହା ସବୁଥର
ସବୁ ଦେଖାରେ
ପୁଣି ପ୍ରଥମରୁ ଆରମ୍ଭ ହୋଇ
ଶେଷ ଯାଏ ଚାଲେ ନୂଆ ରଙ୍ଗ ନେଇ।’
ଲାଇକି ମା’ର ମା’ର ବେ ଜଲଦି ……..।
ହେଇ ହେଇ ରେ ସାଙ୍ଗ ଆସିଗଲା ପୁଣି ଦେଖି ନେ ଏଇଟା ଖାସ ମୋ ପାଇଁ।
ଖୁବ ଭାବପ୍ରବଣ ହୋଇ ଚାରି ବନ୍ଧୁ ଅନେଇ ଥାଆନ୍ତି ଯୁବ କବି ଙ୍କର ଗୋଟାଏ ପରେ ଗୋଟାଏ କବିତା ର ବାଟ ଚାହିଁ ।ପ୍ରଥମ ବନ୍ଧୁ କହିଲା ଯାହା କହ ବନ୍ଧୁ ସୁନ୍ଦରୀ ର ଭାଲେଣ୍ଟାଇନ କବିତା ଟା କାଢ଼ିଲୁ ।
“କବିତାରେ କେଇ ଧାଡି
ପାଖୁଡା ପାଖୁଡା କରି ଖାସ କରି ତମ ପାଇଁ
ଦେଇଛି ସଜାଇ,
ପାରିବ ତ ପ୍ରିୟ ନେଇ ଯାଅ ଗୋଟାଇ
କୀଟଦ୍ରଂଷ୍ଟା ହେବା ଆଗୁ
ତମ ଦେହେ ଦିଅ ବୋଳି
ରହିଯିବି ମଧୁବାସ୍ନା ହୋଇ”
ମାନି ଗଲି ବନ୍ଧୁ ତୁ ଯାହା କହ ଯଦି ସେ ଅବିବାହିତ ଥିବ ସେ ମୋର ହିଁ ହେବ।କି ଭାବ କି ଆବେଗ ତାର ପ୍ରତ୍ୟେକ କବିତା ର ପଂକ୍ତିରେ।
ତୃତୀୟ ବନ୍ଧୁ କହିଲା ଯାହା କହ ବନ୍ଧୁ ତାର ସେଦିନ ର କବିତା ମୋତେ ମରଣ ମୁହଁ ରୁ ଫେରେଇ ଆଣିଲାରେ ଭାଇ , କଅଣ କଅଣ ପଢ଼ିଲୁ ସେ ଖଣ୍ଡକ—-///——
” ମୃତ୍ୟୁ ଆସୁ ଭୟ ନାହିଁ
ଯଦି ତୁମେ ପାଖେ ଅଛ
ନିଃଶ୍ବାସ ରେ ତୁମେ ଅଛ
ବିଶ୍ବାସ ରେ ଥିଲ,
ମୃତ୍ୟୁ କିବା ଭୟ ଦେଖାଇବ”
ଆରେ ପଚାଶ ହଜାର ଲାଇକ—————-
ଦେଖିଲୁ ଦେଖିଲୁ ତାର ଆଉ ଗୋଟେ କବିତା ଯୋଉଟା ମୋତେ ଭୁଲାଇ ଦେଇଥିଲା ପ୍ରିୟାର ବିରହ ,
“ଜହ୍ନ ଏଠୁ ନୁହେଁ ବହୁଦୂର
ଅନ୍ଧାର ମୋ ସବୁଠୁ ନିଜର
ପ୍ରିୟ ଥାଉ କି ନ ଥାଉ
ଅଛିତ ପ୍ରିୟ ହାତ ସ୍ପର୍ଶ,
କୋକିଳ କଣ୍ଠ ର ମୂର୍ଚ୍ଛନା ମଧୁର
ସବୁ ରୃତୁ ଏଠି ମୋ ପାଇଁ ବସନ୍ତ
ଦେଖିଦେଲେ ମୋ ପ୍ରିୟର ହସନ୍ତ ବଦନ
ଯେତେ ହେଉ ବୟସ ତାହାର
ତୁମେ ହିଁ ଟା ମୋର ଏକାନ୍ତ ନିଜର”
ଆଉ ସମ୍ଭାଳି ହେଉନି ଦେଖିଲୁ ସେ ଝିଅ ର କିଛି ଠିକଣା ଦେଇଛି କି କହିଲା ଜଣେ ସେ ମଧ୍ୟରୁ। ଆଜି ଚାଲ ଖୋଜି ଖୋଜି ଠାବ କରିବା ସେ କବିଙ୍କୁ ।
ତାକୁ ଜଣାଇବା ବଧେଇ ।ଏତେକ କହୁଁ କହୁଁ
ଆସିଗଲା ଆଉ ଏକ କବିତା,
” ତୁମ ମନକଥା ସିନା ଓଠ କହି ପାରୁନାହିଁ,
ମୁଁ କି ବୁଝି ପାରୁନାହିଁ
ତମ ଘୃଣାରୁ ବି ପ୍ରେମ ର ଗଭୀରତା
ଯାଉଛି ବୁଝି ହୋଇ ”
ନାହିଁ ନାହିଁ ପ୍ରିୟ ଘୃଣା ନୁହଁ ଆମେ ତ ଖୋଜୁଛୁ ତୁମକୁ
ଅର୍ଧ ପାଗଳ ପ୍ରାୟ ହୋଇ।
ଲେଖି ପକାଇଲା ଜଣେ ଭାବ ବିହ୍ଵଳିତ ହୋଇ କମେଣ୍ଟ ।
ହୋ ହୋ ହସି ଯାଉଥିଲେ ଚାରି ବନ୍ଧୁ।
ଆରେ ହେଇରେ ହେଇ ଦେଖିଲୁ ମୋ କଥାର ସେ ଉତ୍ତର ଦେଲା ।
“ତମ ପାଇଁ ହୃଦୟ ଟା ଲୁଚାଇ ରଖିଛି,
ତାକୁ କହିଦେଲି ମିଛେ ଜାମୁ ଗଛେ
ଓଦା ହୋଇଯିବ ବୋଲି ଲୁଚାଇ ଆସିଛି”।
ବିକଳ ହୋଇ ଚତୁର୍ଥ ବନ୍ଧୁ କହିଲା ନାହିଁ ଭାଇ ଆମକୁ କିଛି ଗୋଟେ ଚିନ୍ତା କରିବାକୁ ପଡିବ।
ଭାରି ଆଗ୍ରହ ରେ ପଚାରିଲେ, ଆହେ ମନ୍ଦ ଅଳସୀ!
“ଦେବ କି ଆମକୁ ତମ ଅଗଣା ଠିକଣା,
ଆମେ ତମକୁ ଚାହୁଁଛୁ ଆମ ମନର ମାନସୀ” ।
ମୋନାଲିସା ଆମେ ତୁମକୁ ଭେଟିବାକୁ ଚାହୁଁଛୁ।
ତୁମ ମନଛୁଆଁ କବିତା ଆମର ହସ, ବାସ, ହଜିଯାଇଥିବା ପ୍ରେମ ଖୋଜି ଆଣିଦେଇଛି।
ଉତ୍ତର ଆସିଲା-
“ତମ ପାଇଁ ଦ୍ୱାର ମୋର ସଦା ଅଛି ଖୋଲା,
ଆସ ବନ୍ଧୁ ମନା ନାହିଁ
ଏ ଏରୁଣ୍ଡି ଡେଇଁଛି ଯିଏ ସିଏ ମୋର ବନ୍ଧୁ
ବନ୍ଧୁ ପାଇଁ ବନ୍ଧୁ କେବେ କି ଦିଏ ତାଲା,”
ଆରେ ହେଇ ସେ ଡାକୁଛି। କୁରୁଳି ଉଠିଲେ ଚାରି ବନ୍ଧୁ।
ଆଉ ଡର କଅଣ,
ଜଣେ କହିଲା ଆବେ ଦେଖିଲୁ ହେଇ ମୋନାଲିସା ର ଆହୁରି ଯୋଡ଼ାଏ କବିତା,
“କୋଡିଏ ବର୍ଷର ଯୌବନ
ଅଧେ ଗଲା ନିଦରେ
ଅଧେ ଅପେକ୍ଷାରେ,
ଆଉ କିଛି ଅନ୍ୟମନସ୍କତାରେ
ଯୌବନ କୁ ଉପଭୋଗ ନ କଲେ
ମରିବା ଯାକେ ପସ୍ତେଇବ,
ଖୋଜିଲେ ସେତେବେଳେ
ଧନ!ଏ ଦେହ ଯୌବନ ଆଉ କି ମିଳିବ”।
ଆରେ ଏ ତ ଫୁଲ ଗ୍ରୀନ ସିଗିନାଲ ବୁଝୁନୁ କାହିଁକି ରେ ଓଲୁ । ବୁଝେଦେଲା ପ୍ରଥମ ସାଙ୍ଗ ।
ମୋନାଲିସା କୁ ଆଜି ହିଁ ଭେଟିବାକୁ ପଡିବ ।
ସେ ଆମକୁ ହିଁ କବିତା ରେ ଆମନ୍ତ୍ରଣ ଜଣାଉଛି।
ଚାରି ବନ୍ଧୁ ତନ୍ନ ତନ୍ନ କରି ଠିକଣା ପଢିଲେ ।
ଆଗେଇଲେ ଆରେ ହଁ ଏ ସେଇ ଗଳି, ବାଙ୍କ, ଭଙ୍ଗା ମନ୍ଦିର, ଏଇ ସେ ନୁଆଁଣିଆ ଚାଳ ଘର । ଦେଖିଲୁ ଦେଖିଲୁ ଆଗରେ ଅବ୍ୟହୃତ ନଳକୂପ ଟା ଅଛିକି ନା ।
ହଁ ଏଇଟା ତା ଘର ଏରିଆ ।ଆମର ଭୁଲ ଆଦୌ ହୋଇନି ,ସ୍ଥିର ନିଶ୍ଚିତ ହେଲେ ଚାରି ବନ୍ଧୁ। ବତାଇବା
ମୁତାବକ ଆମେ ଆସିଛୁ ।
ପହଞ୍ଚୁ ପହଞ୍ଚୁ ଆଉ ଥରେ ଚାହିଁଦେଲେ ମେସେଜ କୁ ,
ୟା ହେଇରେ ଆଉଥରେ ଲେଖିଲାଣି ମୋନାଇସା,
“ଆସ ଆସ ବନ୍ଧୁ
ଫେରିବାର ନାଁ ଧରିବନି
ତମ ପାଇଁ ମୁଁ ତ ରଖିଛି
ଗୁଆ କଉଡ଼ି ଧୂପ ଦୀପ ପୂର୍ଣ୍ଣ କଳସ
ଦୁଆରେ ସଜାଇ,
ତୁମେ ମୋର ପୂଜାରିଣୀ
ମୁଁ ତୁମ ପୂଜା
ପାରିବ କି ଘୁଙ୍ଗୁର କୁ ବଇଁଶୀଠୁ
ଅଲଗା କେବେ କରି
ପାରିଲେ ପାରିବ ସେଇ
ଏକା ମନୋହରି।
କି ମିଠା ଆମନ୍ତ୍ରଣ, ଏକା ମୋତେ ,ନାଇଁ ମୋତେ
ଏମିତି ଝିଙ୍କାଟଣା ଲାଗୁ ଲାଗୁ କେତେବେଳେ ଛୁଇଁ ଗଲେଣି ଚାଳମୁଣ୍ଡ ପ୍ରଥମ ଖୁଣ୍ଟ ଜଣା ନାହିଁ। ଠକକ୍ ଠକକ୍ ଆବାଜରେ ବାହାରି ଆସିଲେ ଅଶୀ ବର୍ଷ ଉର୍ଦ୍ଧ୍ୱ ଜଣେ ବୃଦ୍ଧା,
କାହାକୁ ଖୋଜୁଛ କି ବାପା —–ଥତ ମତ ହୋଇ ଜଣେ କହିଲା ଆମେ ମୋନାଲିସା କୁ ଖୋଜୁଛୁ। ମୁଁ ତ ମୋନାଲିସା। ଆଉ ଏ ସବୁ କବିତା —-ସବୁ—
ମୁଁ ଲେଖିଛି।
ଆଶ୍ଚର୍ଯ୍ୟ ହୋଇ ପରସ୍ପର ମୁହଁ ଚାହାଁ ଚୁହିଁ ହୋଇ ସ୍ତବ୍ଧ ହୋଇଗଲେ । ଚାରି ବନ୍ଧୁ। ପାଟିରୁ ଭାଷା ସ୍ଫୁରିଲା ନାହିଁ।
ଆମେ ତେବେ ଆସୁଛୁ ।ବୃଦ୍ଧା ଜଣକ କହିଲେ ବାପା ଏତେ ବାଟ ଆଇଛ, ରୁହ,କହି ଭିତରକୁ ଗଲେ ।
କେହି କାହାକୁ କିଛି କହିବା ପରିସ୍ଥିତିରେ ନ ଥିଲେ।
କିଛି କ୍ଷଣ ପରେ ବୁଢ଼ୀ ଚାରୋଟି ବହି ଆଣି କହିଲା ପୁଅ ଏତେ ଭଲ ପାଉଛ ଯେତେବେଳେ ମୋ କବିତା ବହି ଖଣ୍ଡେ ଖଣ୍ଡେ ନେଇ ଯାଅ। ତାଙ୍କ ମୁହଁ ର ରଙ୍ଗ ଦେଖି ବୁଢ଼ୀ କହିଲା ପୁଅ କବିତା ର କଅଣ ବୟସ ଥାଏ, ନା ମନର କୌଣସି ବୟସ ଥାଏ?
ଚୁପଚାପ ଫେରି ଆସି ଥିଲେ, ଚାରି ବନ୍ଧୁ, ରାସ୍ତାରେ ଆଉ କବିତା ବକ୍ସ ଖୋଲି ନ ଥିଲେ।
ତପସ୍ୱିନୀ ଦାଶ,ବାରିପଦା
ବୁଢ଼ୀ ଖମାରି ଶାସନ,ଭଂଜପୁର,ମୟୁରଭଞ୍ଜ