କରୋନାରେ ସତର୍କ ରହିବାକୁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତ ୧୦ ଦିନ ତଳେ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି । ସେତେବେଳେ ଆମ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୬୧ ଥିଲା । ଏବେ ତାହା ଦୁଇ ଗୁଣ ବଢିଗଲାଣି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କୁ ବାର୍ତ୍ତା ଦେଉଛନ୍ତି । ପୁଣି ସେ ବାର୍ତ୍ତା ଦେଉଛନ୍ତି ଯେ ଏଥିରେ ଡ଼ରିବାର କିଛି ନାହିଁ । ଆମେ ସତର୍କ ରହିଲେ ବିପଦକୁ ଏଡେଇ ଦେଇ ପାରିବା । ପ୍ରଥମେ ଆମ ପାଇଁ ଚ୍ୟାଲେଞ୍ଜ ଥିଲା ବିଦେଶରୁ ଫେରୁଥିବା ଓଡିଆ ଭାଇଭଉଣୀଙ୍କ ଯତ୍ନ ନେବା । ଓଡିଶା ପ୍ରଥମ ରାଜ୍ୟ, ଯିଏ କି ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ କଲା । ସେତେବେଳେ ସରକାରଙ୍କୁ ସହଯୋଗ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରିଥିଲି । ଆପଣମାନେ ସହଯୋଗ କଲେ । ଆମେ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତା ପରେ ଚ୍ୟାଲେଞ୍ଜ ହେଲା ନିଜାମୁଦିନ୍‌ରୁ ଫେରୁଥିବା ବନ୍ଧୁ ମାନଙ୍କ ଠିକ୍‌ ଭାବରେ ଯତ୍ନ ନେବା । ମୁଁ ପୁଣି ଥରେ ଆପଣମାନଙ୍କୁ ଅନୁରୋଧ କଲି । ଆପଣମାନେ ସହଯୋଗ କଲେ । ଆମେ ଏଥର ମଧ୍ୟ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ । ଏହାସହ ଏବେ ଆମର ତୃତୀୟ ଆହ୍ୱାନ ହେଉଛି, ପଶ୍ଚିମବଙ୍ଗରୁ ଫେରୁଥିବା ଭାଇଭଉଣୀ ମାନଙ୍କର ଯତ୍ନ ନେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ ବର୍ତ୍ତମାନ କରୋନା ପଜିଟିଭ ମାନଙ୍କ ମଧ୍ୟରୁ କେବଳ ପଶ୍ଚିମବଙ୍ଗ ଫେରନ୍ତା ହେଉଛନ୍ତି ୫୦ । ଆପଣମାନଙ୍କ ସହଯୋଗରେ ଆମେ ପରିସ୍ଥିତିକୁ ଭଲ ଭାବରେ ମୁକାବିଲା କରିପାରିଛୁ । ପରିସ୍ଥିତି ନିୟନ୍ତ୍ରଣରେ ଅଛି । ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଦେଶର ସବୁଠାରୁ ଅଧିକ infected ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ତଥା ଆମ ପଡୋଶୀ ପଶ୍ଚିମବଙ୍ଗରୁ ବହୁ ଓଡିଆ ଭାଇଭଉଣୀ ରାଜ୍ୟକୁ ଫେରିବେ । ସେମାନେ ଆମ ଘର ଲୋକ । ବିପଦ ସମୟରେ ମା ଓ ମାତୃଭୂମି ଆଗ ଆମ ମନକୁ ଆସିଥାଏ । ସେମାନେ ସମସ୍ତେ ଆମର ପିଲାଛୁଆ । ଆମ ଭାଇଭଉଣୀ । ସେମାନଙ୍କ ଯତ୍ନ ନେବା ଆମର ଦାୟିତ୍ୱ । ବାହାରୁ ଲୋକ ଆସିଲେ ପଜିଟିଭ ସଂଖ୍ୟା ବଢିବ । କିନ୍ତୁ ପରିସ୍ଥିତି ନିୟନ୍ତ୍ରଣରେ ରହିପାରିବ, ଯଦି ଆପଣମାନେ ସରକାରକୁ ପୁରା ସହଯୋଗ ଯୋଗାଇ ଦେବେ । ତେଣୁ ଆମେ ସାବଧାନ ରହିବା । ଧୈର୍ଯ୍ୟ ରଖିବା । ବାହାରୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେସନ କରିବା । ସେମାନଙ୍କୁ କ୍ଵାରନଣ୍ଟାଇନରେ ରଖିବାରେ ସରକାରଙ୍କୁ ପୁରା ସହଯୋଗ କରିବା । ଏହାଦ୍ୱାରା ସେମାନେ ସୁସ୍ଥ ରହିବେ । ଆମ ପରିବାର ସୁସ୍ଥ ରହିବ । ଆମ ଗାଁ ଓ ଆମ ସମାଜ ମଧ୍ୟ ସୁସ୍ଥ ରହିବ । ଆପଣମାନଙ୍କର ଟିକିଏ ହେଳା ସମସ୍ତଙ୍କୁ ବିପଦରେ ପକାଇ ପାରେ । ଏହା ହେଉଛି ଜୀବନ ଓ ମୃତ୍ୟୁର କଥା । ଏପରିକି ୧୦ ପ୍ରତିଶତ ଲୋକଙ୍କ ଭୁଲ ଦ୍ୱାରା, ସମସ୍ୟା ୧୦୦ ଗୁଣ ବଢିଯିବ । ଓଡିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କ ଠାରୁ ବହୁତ ଭଲ ଅଛି । ଆମେ ଯଦି ସରକାରଙ୍କ ନିୟମ ମାନି ଚଳିବା, ସରକାରଙ୍କୁ ପୁରା ସହଯୋଗ ଯୋଗାଇ ଦେବା, ତେବେ ଓଡିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରିପୋର୍ଟ : ହରପ୍ରସାଦ ବିଷୋୟୀ