ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା)ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଭିନ୍ନ ସହରରେ ରାଜ୍ୟ ସରକାର ରାସାୟନିକ ବିଶୋଧକ ସିଞ୍ଚନ ଆଜି ଆରମ୍ଭ କରି ଦେଇଥିବା ସୂଚନା ମିଳିଛି । ପୌରାଞ୍ଚଳ ଗୁଡିକରରେ ବିଭିନ୍ନ ଦପ୍ତର ଡାକ୍ତରଖାନା ରାସ୍ତା ଆଦିରେ ଆଜି ସକାଳୁ ଏହି ସିଞ୍ଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଅଗ୍ନି ନିରାପତ୍ତା ବିଭାଗ ବିଭିନ୍ନ ଅଞ୍ଚଳ ବୁଲି ଏହି ସିଞ୍ଚନ କାର୍ଯ୍ୟକ୍ରମ କରୁଛନ୍ତି । ଭୁବନେଶ୍ୱରରେ ଗତକାଲି ଏକା ଥରକେ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରକୁ ବିଭିନ୍ନଆଡୁ ସିଲ୍ କରି ଦିଆଯାଇଛି । ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସହିତ ଅଗ୍ନିଶମ ବାହିନୀ ବମିଖାଲ ଅଞ୍ଚଳକୁ ଆଜି ରାସାୟନିକ ବିଶୋଧକ ସିଞ୍ଚନ କରାଯାଉଛି । ସିଲ୍ ହୋଇଥିବା ଏକାମ୍ର ସିନେମା ହଲ୍ ପାଖ କାଫେ କଫି ଡେ’ ଠାରୁ ଝାରପଡ଼ା କେନାଲ ରୋଡ୍, ଝାରପଡ଼ା କେନାଲ ରୋଡ୍ରୁ ଝାରପଡ଼ା ଦୁର୍ଗା ମଣ୍ଡପ ଏବଂ ଦୁର୍ଗା ମଣ୍ଡପଠାରୁ କଟକ-ପୁରୀ ରୋଡ୍ର ଡିସିବି ବ୍ୟାଙ୍କ ଛକ ଯାଏ ବିଶୋଧନ ସିଞ୍ଚନ ଚାଲିଛି। ସେହିପରି ଡିସିବି ବ୍ୟାଙ୍କ ଛକଠାରୁ ଏକାମ୍ର ହଲ୍ ନିକଟ କାଫେ କଫି ଡେ’ ଯାଏ ବି ବିଶୋଧନ କରାଯିବ। ସିଲ୍ ଥିବାରୁ ଏହି ଅଞ୍ଚଳରେ ଅତ୍ୟାବଶ୍ୟକ ଓ ଜରୁରୀ ସେବା ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି।ଏହି ସିଞ୍ଚନ ଆଗାମୀ ୧୫ ତାରିଖ ଯାଏଁ କରାଯିବ ବୋଲି ଜଣାପଡିଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା