ରାୟଗଡ଼ା (ସମୃଦ୍ଧ ଓଡିଶା) ଲକତାଉନ ବଦଳାଇଛି ବଞ୍ଚିବାର ରାହା । ଜୀବିକା ଆର୍ଜନ ପାଇଁ କୂଳ ବେଉଷା ଛାଡିଲେଣି କୁମ୍ଭାର ପରିବାର। କରୋନା କାଳରେ ଦୁର୍ବିସହ ଜୀବନ ଅତିବାହିତ କରୁଛନ୍ତି ମୂର୍ତ୍ତି କାରିଗର । ରାୟଗଡ଼ା ବ୍ଲକ ଅଧୀନ ଅମଳାଭଟ୍ଟା ଗ୍ରାମର ଶତାଙ୍କ ପରିବାର କୁମ୍ମାର ବେଉଷା ଉପରେ ନିର୍ଭର କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । କରୋନ କଟକଣା ଯୋଗୁଁ ପୂର୍ବ ଭଳି ଆଉ ମାଟି ମୂର୍ତ୍ତି ଚାହିଦା ନ ଥୁରୁ ଜୀବିକା ଉପାର୍ଜନ ସକାଶେ କୁମାର ପରିବାର ଲୋକେ ଏବେ ଦୈନିକ ମଜୁରିଆ ସାଜିଛନ୍ତି । ଦୈନଦିନ ସ୍ଥାନୀୟ ଅଞ୍ଚଳକୁ ଯାଇ ଧାନ କ୍ଷେତ କିମ୍ବା କପା ବାଡରେ ମଜୁରି ଖଟି ୧୦୦ରୁ ୨୦୦ଟଙ୍କା ଉପାର୍ଜନ କରିବାକୁ ବାଧ୍ୟ ହେଉଛନ୍ତି । ଗାଁ ପାର୍ଶ୍ବସ୍ଥ ଅଞ୍ଚଳରେ ସବୁଦିନ କୁଲି କାମ ନ ମିଳିବାରୁ ବାଧ୍ୟ ହୋଇ ଦୁର୍ଦ୍ଦିନ ଜୀବନ ଅତିବାହିତ କରୁଛନ୍ତି । ଜିଲ୍ଲାରେ ମହାମାରୀ ମାଡି ଚାଲିବେଳେ ନିୟନ୍ତ୍ରଣ କରିବା ପାଇଁ ସରକାର ସମସ୍ତ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମଗୁଡିକୁ ସତର୍କତା ପଦକ୍ଷେପ ସ୍ୱରୂପ ବନ୍ଦ ଘୋଷଣା କରିଛନ୍ତି । ଫଳରେ ଆସନ୍ତା ଦିନରେ ପ୍ରଭୁଙ୍କ ଗଣେଷ ପୂଜା ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଯାହାଫଳରେ କୁମ୍ମାର ବେଉଷା କରି ପେଟ ପୋଷୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଭାଳେଣି ପଡିଛି । କିଛିଦିନ ପୂର୍ବର କଥା, ଅମଳାଭଙ୍ଗା ଗାଁ । ଯେଉଁଠି କାରିଗରଙ୍କ ହାତ ସ୍ପର୍ଶରେ ଜୀବନ୍ତ ହୋଇ ଉଠୁଥିଲା ମାଟିର ମୂର୍ତ୍ତି । ରଙ୍ଗବେରଙ୍ଗର ମାଟିପାତ୍ର, ହାଣ୍ଡି, ଫୁଲକୁଣ୍ଡ, ଦୀପ ଇତ୍ୟାଦି ଗଢ଼ି ସ୍ଥାନୀୟ ରାୟଗଡ଼ା ବଜାର ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ ରାଜ୍ୟକୁ ବ୍ୟବସାୟୀ ପାଇଁ ପଠେଇ ବେଶ ଭଲ ଦୁଇ ପଇସା ଉପାର୍ଜନ କରୁଥିଲେ। ଓଡ଼ିଆ ପାର୍ବଣ ଋତୁ ଓ ବିଶେଷ ପୂଜା ଉତ୍ସବରେ ନିପୁଣ କୌଶଳିକତାର ସହ ମା ଦୁର୍ଗା ଓ ପ୍ରଭୂ ଗଣେଷଙ୍କ ମୂର୍ତ୍ତି ଇତ୍ୟାଦି ଗଢି ସ୍ଥାନୀୟ ବଜାରରେ ବିକ୍ରୟ କରି କରିଥାନ୍ତି । ମାଟିପାତ୍ର ଓ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ଗଢି ଏଠାକାର ଲୋକେ ବିକ୍ରି କରୁଥିବାରୁ ସାରା ଜିଲ୍ଲାରେ । ଅମଳାଭଟ୍ଟା ଗାଁର କୁମ୍ଭାର ପରିବାର କ୍ଷାତି ଲଭିଛନ୍ତି । ମହାମାରା ଏବେ କୁମ୍ଭାର ପରିବାର ଜୀବିକାକୁ ମାଡ ମାରିଛି । କୁମ୍ଭାର ବେଉଷା କରି ଜୀବନ ଅତିବାହିତ କରୁଥିବା ଏଠାକାର ଲୋକେ ଏବେ ରାଜ୍ୟ ସରକାରଙ୍କ ସାହାଯ୍ୟ ଅପେକ୍ଷାରେ ଦିନ କାଟୁଛନ୍ତି । ଏଠାରେ ରୁହୁଥିବା ପ୍ରାୟ ୬୦ରୁ ଉର୍ଦ୍ଧ୍ବ ପରିବାର ମାଟି କାରିଗର ରୂପେ ନିଜ କୂଳ ବେଉଷା କରି ନିଜ ଓ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି । କିନ୍ତୁ କରୋନା କଟକଣା ଯୋଗୁଁ ବ୍ୟବସାୟ ଚାଲୁ ନ ଥିରୁ କୁଲି ମଜୁରୀ ଲାଗି ଦୁର୍ବିସହ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି । ଏ ନେଇ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କୁ ପଚାରିବାରୁ ଏଭଳି କୌଣସି ଅଭିଯୋଗ କୁମାର ବେଉଷା ଲୋକଙ୍କଠାରୁ ହସ୍ତଗତ ହୋଇନି । ଏ ନେଇ ଆସନ୍ତା ଦିନରେ ଜିଲ୍ଲାରେ ରହୁଥିବା ମାଟି କାରିଗର ବ୍ୟକ୍ତି ବିଶେଷଙ୍କ ଡାଟାବେଶ କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ସେମାନଙ୍କ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ