ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ଆଜି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା କରୋନା ସଚେତନତା ବୈଠକରେ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ କରୋନା ହାରିବ ଗଞ୍ଜାମ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଉଛି ବୋଲି କହିଥିଲେ । ଏହାସହ ସରକାରଙ୍କ ପଞ୍ଚ ସୃତି କାର୍ଯ୍ୟକୁ ଗୁରୁତ୍ୱ ଦେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଅ ନଚେତ ଆଗକୁ ଅସମ୍ଭାଳ ପରିସ୍ଥିତି ଉପୁଜିପାରେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ତେବେ ସ୍ଥାନୀୟ ପ୍ରଶାସନ ଓ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ପ୍ରମୁଖ ଭୂମିକା ଗ୍ରହଣ କରି ଆଗାମୀ ଅକ୍ଟୋବର ମାସ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ସର୍ବସାଧାରଣ ସ୍ଥାନ ବସଷ୍ଟାଣ୍ଡ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବା, ମାସ୍କ ଓ ସାନିଟାଇଜର ବ୍ୟବହାର ସମେତ ଟେଷ୍ଟିଙ୍ଗ, ଟ୍ରାକିଙ୍ଗ ଓ ଟ୍ରିଟମେଣ୍ଟ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ଉପସ୍ଥିତ ଥିବା ସମସ୍ତ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସମସ୍ତ ପିଇଓମାନେ ଏହି ସଚେତନତା କାର୍ଯ୍ୟକ୍ରମକୁ ପଞ୍ଚାୟତବାସୀଙ୍କ ଘରେ ଘରେ ପହଞ୍ଚେଇବା ପାଇଁ କହିଥିଲେ । ଏହି ବୈଠକରେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ, ସମିତି ଅଧ୍ୟକ୍ଷା ଶ୍ରୀମତୀ ମିନାକ୍ଷୀ ସାହୁ, ଖଲ୍ଲିକୋଟ ଗୋଷ୍ଠୀ ଉନୟନ ଅଧିକାରୀ ନବକୃଷ୍ଣ ଜେନା, ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡ. ପ୍ରଦୀପ କୁମାର ଗନ୍ତାୟତ, ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଏନଏସି ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ର ଓ ସମାଜସେବୀ ଦୈତାରୀ ବେହେରା, ରତ୍ନାକର ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା