କର୍ମଚାରୀ ନେତା ପ୍ରଭାତ ମହାନ୍ତି ରାଜନୀତିରେ ଯୋଗ ଦେବାର ସମ୍ଭାବନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କର୍ମଚାରୀ ନେତା ପ୍ରଭାତ ମହାନ୍ତି ରାଜନୀତିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଶ୍ରୀ ମହାନ୍ତିଙ୍କ ଏକ ବିଶାଳ ଶ୍ରମିକ ଓ କର୍ମଚାରୀ ସଂଗଠନ ରହିଛି ।ବିଭାଗୀୟ ମୁଖ୍ୟ ଦପ୍ତର, ଆଉଟସୋର୍ସିଂ, ଚୁକ୍ତିଭିତ୍ତିକ, ଡେଲି ୱେଜେସ କର୍ମଚାରୀମାନଙ୍କ ସେ ଲୋକପ୍ରିୟ ଅପ୍ରତିଦ୍ଵନ୍ଦୀ ନେତା । ଏତତବ୍ୟତୀତ କେନ୍ଦୁପତ୍ର ସିଜନାଲ କର୍ମଚାରୀମାନଙ୍କର ନେତୃତ୍ୱ ନେଇ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ଦବଦେବା ରହିଛି । ଶ୍ରୀ ମହାନ୍ତିଙ୍କ ଯଦିଓ ଶାସକ ବିଜୁ ଜନତା ଦଳ ନେତା, ମନ୍ତ୍ରୀ, କର୍ମୀ ଏପରିକି ମୁଖ୍ୟମନ୍ତ୍ରୀ ଦପ୍ତର ସହ ନିବିଡ଼ତା ରହିଛି । ତଥାପି କର୍ମଚାରୀମାନଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ସରକାରୀ ଉଦାସୀନତା ପାଇଁ ସେ ଏବେ ଭୀଷଣ କ୍ଷୁବ୍ଧ ଅଛନ୍ତି । ଇତି ମଧ୍ୟରେ କଂଗ୍ରେସ ଓ ଭାଜପା ପକ୍ଷରୁ କିଛି ଆଗଧାଡିର ନେତା ଶ୍ରୀ ମହାନ୍ତିଙ୍କୁ ଦଳକୁ ନେବା ପାଇଁ ଉଦ୍ୟମ କରୁଅଛନ୍ତି କିନ୍ତୁ ଶ୍ରୀ ମହାନ୍ତି ତଥାପି କିଛି ମନସ୍ଥିର କରିନାହାନ୍ତି । ଶ୍ରୀ ମହାନ୍ତିଙ୍କୁ କର୍ମଚାରୀ ବହୁଳ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ମଧ୍ୟ ଅନେକ କର୍ମଚାରୀ ନେତା ଚାପ ପକାଉଛନ୍ତି । ଶ୍ରୀ ମହାନ୍ତି ନିର୍ବାଚନରେ ପ୍ରାର୍ଥୀ ହେଲେ ଏକ ବିସ୍ମୟକର ଘଟଣା ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ରାଜ୍ୟର ହଜାର ହଜାର ବିଭିନ୍ନ ବର୍ଗର କର୍ମଚାରୀ ପ୍ରଭାତ ବାବୁଙ୍କ ପାଇଁ ଗଳିକନ୍ଦିରେ ଖୁନ୍ଦି ହୋଇ ପ୍ରଚାର କରିବେ ଓ ବିଭିନ୍ନ ଦଳ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ହୋଇପାରେ ବୋଲି ବିଭିନ୍ନ ସୂତ୍ରରୁ ଜଣାପଡିଛି । ଶ୍ରୀ ମହାନ୍ତିଙ୍କ ପ୍ରତିକ୍ରିୟା ଜଣାପଡି ନାହିଁ ।