ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା)ଆଲ୍ଲାହାବାଦ ହାଇକୋର୍ଟ କହିଥିଲେ କୌଣସି ସାମ୍ବାଦିକଙ୍କୁ ଆକ୍ରମଣ ହେଲେ ସଙ୍ଗେ ସଙ୍ଗେ ପୋଲସ ତାଙ୍କୁ ବାନ୍ଧିବ ଓ ୭ ବର୍ଷ ଯାଏଁ ଜେଲ ଦଣ୍ଡ ଭୋଗିବ ତଥାପି ଢିଲା ପ୍ରଶାସନ ଯୋଗୁଁ ପୁଣି ଜଣେ କର୍ତବ୍ୟରତ ସାମ୍ବଦିକଙ୍କୁ ଆକ୍ରମଣ ହୋଇଛି । ଆଉ ଏଭଳି ସଙ୍ଗିନ ଘଟଣା ଘଟିଛି ସାଧାରଣତନ୍ତ୍ର ଦିବସ ଭଳି ପବିତ୍ର ଦିବସରେ। ଗଣମାଧ୍ୟମକୁ ବ୍ୟବସ୍ଥାର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ବେଳେ ଗଣମାଧ୍ୟମରେ କାର୍ଯ୍ୟରତ ଜଣେ ଖବରଦାତାଙ୍କୁ ଆକ୍ରମଣ ହୋଇଛି ସେହିଦିନ ଯେଉଁଦିନ ସମ୍ବିଧାନ ଲାଗୁ ହୋଇଥିଲା।ଘଟଣା ଘଟିଛି ଭୁବନେଶ୍ୱର ସହିଦ ନଗର ଥାନା ଅଧୀନରେ ଥିବା ମହାରାଜା ସିନେମା ହଲ୍ରେ। ଦୈନିକ ଖବର କାଗଜ ‘ପ୍ରମେୟ’ର ଖବରଦାତା କପିଳେନ୍ଦ୍ର ପ୍ରଧାନଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କରିଥିବା ଛାତ୍ରମାନେ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ଛାତ୍ର ସଂଗଠନ ସହିତ ଜଡ଼ିତ ଥିବା ମଧ୍ୟ ଅଭିଯୋଗ ହେଉଛି। ଘଟଣା କିଛି ଏହିଭଳି। କପିଳେନ୍ଦ୍ର ଆଜି ହଲ୍କୁ ଫିଲ୍ମ ଦେଖିବାକୁ ଯାଇଥିଲେ। ହଠାତ୍ କିଛି ଯୁବକ ଅଶ୍ଲୀଳ ତଥା ଅଣସାମ୍ବିଧାନିକ ଭାଷାରେ ହୋହଲ୍ଲା ଆରମ୍ଭ କରିଥିଲେ। ଏପରିକି ହଲ୍ରେ ଯୁବତୀ ଓ ମହିଳାମାନେ ଉପସ୍ଥିତ ଥିଲେ ମଧ୍ୟ, ସେମାନଙ୍କର ଖାତିର ନଥିଲା। ଏପରି ଘଟଣା ଦେଖି କପିଳେନ୍ଦ୍ର ସେମାନଙ୍କ ପାଖକୁ ଯାଇ ଏପରି ନ କରିବାକୁ କହିଥିଲେ ଏବଂ ସମସ୍ତଙ୍କୁ ଶାନ୍ତିରେ ଫିଲ୍ମ ଦେଖିବାକୁ ଦିଅନ୍ତୁ ବୋଲି କହିଥିଲେ। ଏକଥା ଶୁଣି ରାଗି ଯାଇଥିଲେ ସେହି ଛାତ୍ରମାନେ। କିଛି ନବୁଝି କପିଳେନ୍ଦ୍ରଙ୍କୁ ମୁଥ ଏବଂ ଗୋଇଠା ମାରିବା ଆରମ୍ଭ କରିଥିଲେ। ସେପର୍ଯ୍ୟନ୍ତ ମାଡ଼ ମାରିବା ବନ୍ଦ କରିନଥିଲେ ଯେପର୍ଯ୍ୟନ୍ତ କପିଳେନ୍ଦ୍ର ଆହତ ହୋଇନାହାନ୍ତି। ଏପରିକି ଆକ୍ରମଣକାରୀ ମାନେ ତାଙ୍କ ଚେନ୍ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଏପରିକି ସେମାନଙ୍କ ପଛରେ ଲାଗିଲେ ଜୀବନରେ ମାରିଦେବାକୁ ମଧ୍ୟ ଧମକାଇଥିବା କପିଳେନ୍ଦ୍ର ଅଭିଯୋଗ କରିଛନ୍ତି।ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ହଲ୍ଠାରୁ ଏବଂ ବାଣୀବିହାର କ୍ୟାମ୍ପସ୍ଠାରୁ ମାତ୍ର କେଇ ମିଟର ଦୂରରେ ଥିବା ସହିଦନଗର ଥାନାରେ କପିଳେନ୍ଦ୍ର ଅଭିଯୋଗ କରିଥିଲେ ମଧ୍ୟ ଏଯାଏ ଏହି ଅଭିଯୁକ୍ତଙ୍କୁ ଧରାଯାଇ ପାରିନି। ଆକ୍ରମଣକାରୀମାନଙ୍କର ଉପର ମହଲରେ ହାତ ଥିବାରୁ ପୁଲିସ୍ ଏ ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଉନି ବୋଲି କପିଳେନ୍ଦ୍ର ଅଭିଯୋଗ କରିଛନ୍ତି।ସାମ୍ବାଦିକଙ୍କ ଉପରେ ଏଭଳି ବାରମ୍ବାର ଆକ୍ରମଣ ହେଉଥିବାବେଳେ ସରକାର ନିଦାବିଷ୍ଣୁ ହୋଇ ବସିରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାମ୍ବାଦିକମାନେ ଡିସିପି ଅନୁପ ସାହୁଙ୍କୁ ଏବାବଦରେ ଜଣାଇଛନ୍ତି ଏବଂ ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବା ବନ୍ଦ କରି ତୁରନ୍ତ ଗିରଫ ନକରାଗଲେ ସାମ୍ବାଦିକମାନେ ରାଜ ରାସ୍ତାକୁ ଓହ୍ଲାଇବାକୁ ଧମକାଇଛନ୍ତି।