ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଳ୍ଲା କୃଷକଙ୍କ ମହାସମାବେଶ ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ୭୧୬ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୪୮ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ୨୯୫ କୋଟି ଟଙ୍କା ବ୍ୟୟରେ ହୋଇଥିବା ୨୩୧ଟି ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଏହି ଅବସରରେ ସେ କହିଥିଲେ ଚାଷୀଙ୍କ ଉନ୍ନତି ପାଇଁ ଅନେକ କିଛି କରୁଛନ୍ତି ଓ କାଳିଆ ଯୋଜନା ତାହାର ଏକ ଅଂଶ ବିଶେଷ ଏହାସହ ଗଞ୍ଜାମ ଜିଲ୍ଲାବାସୀଙ୍କ ପାଇଁ ୧୧ଶହ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦିଆଯାଇଥିବା ସଂପର୍କରେ ସେ ସୂଚନା ଦେଇଥିଲେ । ଏହା ପୂର୍ବରୁ କାଳିଆ ଯୋଜନା ଶୀର୍ଷକ ଏକ ଭିଡ଼ିଓ ଆଲବମକୁ ସେ ଉଦଘାଟନ କରିବା ସହ କାଳିଆ ଯୋଜନାରେ ଉପକୃତ ହେବାକୁ ଥିବା ଚାଷୀଙ୍କ ବ୍ୟାଙ୍କ ଖାତାକୁ ସୁଇଚ୍ ଟିପି ଟଙ୍କା ପ୍ରଦାନ କରିଥିଲେ । ମଂଚ ଉପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଚାଷୀମାନେ ଉପସ୍ଥିତ ରହି କାଳିଆ ଯୋଜନାକୁ ନେଇ ସେମାନଙ୍କର ମନର ଖୁସି ବୟାନ କରିଥିଲେ । ସେହିପରି ସମାବେଶରେ ଯୋଗଦାନ କରିଥିବା ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ, ବିଧାୟିକା, ସାଂସଦ ଓ ମନ୍ତ୍ରୀଗଣ ଉପସ୍ଥିତ ରହି କାଳିଆ ଯୋଜନାର ଭୂୟଂସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହାର ପ୍ରଭାବ ପଡ଼ିବ ଓ ଚାଷୀମାନେ ଏହାର ସୁଫଳ ପାଇବେ ବୋଲି କହିଥିଲେ । ସେହିପରି ସମାବେଶ ଅବସରରେ ବିଭିନ୍ନ ଅଂଚଳରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ଲୋକ ସଂଗୀତ ଓ ଲୋକ ନୃତ୍ୟ ପରିବେଷଣ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ କୁନା ତ୍ରିପାଠୀ ସଂଯୋଜନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା