କାଳିକରେ ଘୁର୍ଣ୍ଣିଝଡ:ବ୍ୟାପକ କ୍ଷୟକ୍ଷତି,୧ଗୁରୁତର ଉଡିଗଲା ପିକ୍ଅପ୍ ଭ୍ୟାନ୍, ପେଟ୍ରୋଲ ପମ୍ପର ଛାତ ସହିତ କ୍ୟାବିନ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ବିଭିନ୍ନ ଜିଲାରେ ଗତକାଲିଠାରୁ ଲଗାଣ ଘଡଘଡି ସହିତ ବର୍ଷା କମିବାର ନାଁ ଧରୁନଥିବା ବେଳେ ଗତକାଲି ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ କାଳିକ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ପ୍ରାୟ ଅପରାହ୍ନ ଘ.୧.୨୦ମି. ସମୟରେ ହଠାତ୍ ଆକାଣ ପଶ୍ଚିମପଟୁ ମାଡି ଆସିଲା ଘୁର୍ଣ୍ଣିଝଡ । ଫୂର୍ଣ୍ଣିଝଡର ରୂପ ଏତେଟା ଭୟଙ୍କର ନ ଥିଲେ ବି ୪/୫ମିନିଟ୍ ମଧ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଜଣାପଡିଛି । ରାଇବଣିଆ ଫିଲିଂ ଷ୍ଟେସନ ନାମରେ ଥିବା ହିନ୍ଦୁସ୍ଥାନ ପେଟ୍ରୋଲ ପମ୍ପର ଛାତ ସହିତ ଆସବାପତ୍ର ଉଡିଯାଇଥିଲା । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି । ସେହି ସମୟରେ ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଯାଇଥିବା ଏକ ୪ ଚକିଆ ମହିନ୍ଦ୍ରା ପିକ୍ଅପ୍ ଭ୍ୟାନ୍ ଓ ୪ଟି ମଟର ସାଇକେଲ ମଧ୍ୟ ପବନରେ ଉଡିଯାଇ ଥିଲା ଫଳରେ ଏହି ଗାଡିଟି ଭାଙ୍ଗିରୁଜି ଯାଇଥିବା ଜଣାଯାଇଛି । ନିକଟସ୍ଥ ଏକ ଗୁମୁଟି ମଧ୍ୟ ଏହି ଫୂଣ୍ଣିଝଡରୁ ବାଦ୍ ପଡିନଥିଲା । ଉକ୍ତ ଗୁମୁଟି ଉଡିଯାଇ ନିକଟସ୍ଥ ଏକ ଚାଷ ଜମିରେ ପଡିଥିବା ବେଳେ ଏହା ମଧ୍ୟରେ ଚାପିଯାଇଥିବା ଦୋକାନୀ ବାସିନ୍ଦା ବିଜୟ ପ୍ରଧାନ ଗୁରୁତର ଆହତ ହୋଇ ସ୍ଥାନୀୟ ହାତୀଗଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏହି ଘୂଣ୍ଣିଝଡରେ ୩ଟି ବିଦ୍ୟୁତ୍ ଘଣ୍ଟି ଓଲଟିବା ସହିତ ବହୁ ଛୋଟବଡ ଗଛ ଉପୁଡି ପଡି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ଖବର ପାଇ କାଳିକ ସରପଞ୍ଚ ବିଜୟ ବେହେରା ପୂର୍ବତନ ସରପଞ୍ଚ ଗଙ୍ଗାଧର ଦାସ, ବିଜେପି ଓବିସି ମୋର୍ଚ୍ଚା ନେତା ଧ୍ରୁବ ଚରଣ ନାୟକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ନତି କରିବା ସଂଗେ ସଂଗେ ଆହତ ହୋଇଥିବା ବିଜୟ ପ୍ରଧାନକୁ ସରକାରୀ ସାହାଯ୍ୟ ପ୍ରଦାନ ପାଇଁ ଦାବି କରିଛନ୍ତି । ଏ ସବୁ ଘଟଣା ନିମିଷକ ମଧ୍ୟରେ ଘଟିଯାଇଥିବାର ପ୍ରତ୍ୟେକ୍ଷଦର୍ଶୀଙ୍କ ନିକଟରୁ ପ୍ରକାଶ ।

ରିପୋର୍ଟ : ଭୂପତି କୁମାର ପରିଡା