କାଳ ବୈଶାଖୀରେ ନଷ୍ଟ ହେଲା ୨୫% ଚାରା…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗତ ରବିବାର ଅପରାହ୍ନରେ ହୋଇଥିବା କାଳବୈଶାଖୀ ଜନିତ ଝଡ ତୋଫାନ୍ ରେ ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ଦୁଇ ଗୋଟି କେନ୍ଦ୍ରୀୟ ନର୍ସରୀ ଏବଂ ୫ ଗୋଟି ଅସ୍ଥାୟୀ ଚାରା ପ୍ରସ୍ତୁତ କେନ୍ଦ୍ରରେ ବ୍ୟାପକ ବୃକ୍ଷ ଚାରା ନଷ୍ଟ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି କ୍ଷତିକୁ ଭରପୂରଣ କରିବା ନେଇ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରାଯାଇଥିବା ରେଞ୍ଜର ପରମାନନ୍ଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ପ୍ରକାଶଯେ, ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ଦିଗପହଣ୍ଡି ଓ ପଳାସପୁର କେନ୍ଦ୍ରୀୟ ନର୍ସରୀ ଏବଂ ହାଟପଦା, ଲୁଣିନାଠି, ସୁମନ୍ତପୁର, କେ.ସାମନ୍ତରାପୁର ଓ ଚକାତେନ୍ତୁଳି ଅସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ର ମାନଙ୍କରେ ଚଳିତ ବର୍ଷ ବନୀକରଣ ପାଇଁ ୧ ଲକ୍ଷରୁ ଉଦ୍ଧ୍ୱର୍ ବିହନ ପକାଯାଇ ବୃକ୍ଷ ଚାରା ପ୍ରସ୍ତୁତ କରାଯାଇଥିଲା । ଚିସେମ୍ବର ଶେଷ ସପ୍ତାହରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ତିନି ମାସ ଧରି ବହୁ ପରିଶ୍ରମ କରିବା ପରେ ଚାରା ଗୁଡିକ ପ୍ରସ୍ତୁତ ହୋଇଯାଇଥିଲା । ତେବେ କାଳବୈଶାଖୀ ଜନିତ ବର୍ଷା ଓ ପବନରେ କେନ୍ଦ୍ରୀୟ ନର୍ସରୀରେ ୧୦ ହଜାର ଏବଂ ଅସ୍ଥାୟୀ ନର୍ସରୀରେ ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ଚାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବିଭାଗୀୟ ଦପ୍ତରରୁ ସୂଚନା ମିଳିଛି । ସେହିପରି ରାସ୍ତାପାଶ୍ୱର୍ ବନୀକରଣ ଯୋଜନାରେ ବୃକ୍ଷରୋପଣ କରାଯାଇଥିବା ବେଳେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଛୋଟ ବଡ ଗଛ ଭାଙ୍ଗିଯାଇଥିବା ବେଳେ ସମସ୍ତ ଗଛଗୁଡିକୁ ସଜଡାଯାଉଛି ବୋଲି କୁହାଯାଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରାଯାଇ ନର୍ସରୀ ମାନଙ୍କରେ ଚାରା ପ୍ରସ୍ତୁତ ଏବଂ ଭାଙ୍ଗିଯାଇଥିବା ଗଛ ଗୁଡିକୁ ସଜଡାଯାଉଥିବା ରେଞ୍ଜର କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା