

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରରେ ଦୀର୍ଘ ଦିନ ପରେ ଖଣ୍ଡାରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ପୁରୁଣା ଗୌଡ଼ସାହିରେ କିଛି ଦୁର୍ବୃତ୍ତ ବିଚ ରାସ୍ତାରେ ଜଣେ ଯୁବକଙ୍କୁ ହାଣି ରକ୍ତାକ୍ତ କରି ଫେରାର ହୋଇଯାଇଥିବା ଜଣାପଡିଛି ।
ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ଟୁଟୁ ହାତୀ(୪୦) ବୋଲି ଜଣାପଡିଛି । ଯୁବକର ବାମ ହାତ କହୁଣୀରେ ଖଣ୍ଡା ଚୋଟ ପଡ଼ିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବଡ଼ ବଜାର ଥାନା ପୋଲିସ ମୁତୟନ ରହିଛନ୍ତି । ଏହିଭଳି ଆକ୍ରମଣ କେଉଁ କାରଣରୁ ଘଟିଛି ତାହା ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ ପୁରୁଣା ବ୍ରହ୍ମପୁର ଗୌଡ଼ ସାହିର ଟୁଟୁ ରାତି ପ୍ରାୟ ୮ଟା ବେଳେ ତାଙ୍କର ବାଇକରେ ଯାଉଥିଲେ । ଏହି ସମୟରେ ତାଙ୍କୁ କିଛି ଯୁବକ ଅଟକାଇ ଥିଲେ । କୌଣସି କାରଣକୁ ନେଇ ସେମାନେ ଟୁଟୁ ସହିତ ପାଟି ତୁଣ୍ଡ କରିଥିଲେ । ପରେ ସେହି ଯୁବକମାନଙ୍କ ମଧ୍ୟରୁ ଜଣେ ଟୁଟୁଙ୍କ ବାମ ହାତରେ ଖଣ୍ଡା ଚୋଟ ପକାଇଥିଲା । ଫଳରେ ଟୁଟୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ । ଟୁଟୁଙ୍କ କହୁଣି ନିକଟରେ ୯୦ ପ୍ରତିଶତ କଟି ଯାଇଛି । ପୋଲିସ ଘଟଣସ୍ଥଳରେ ପହଁଞ୍ଚି ଟୁଟଙ୍କୁୁ ଉଦ୍ଧାର କରି ବଡ଼ ମେଡିକାଲରେ ଭର୍ତ୍ତି କରିଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


