କୃଷକମାନଙ୍କୁ ରାଜଧାନୀକୁ ଆସିବା ପାଇଁ ନଦେବା ନିନ୍ଦନୀୟ – ଓଡିଶା କୃଷକ ସଭା

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନବ ନିର୍ମାଣ କୃଷକ ସଂଗଠନ ତରଫରୁ କୃଷକମାନଙ୍କ ଦାବି ଉପରେ ଆସୁଥିବା ପଦଯାତ୍ରାକୁ ରାଜଧାନୀ ମଧ୍ୟକୁ ପ୍ରବେଶ କରିବା ପାଇଁ ଅବରୋଧ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଓଡିଶା କୃଷକ ସଭା କହିଛି । ଓଡିଶା କୃଷକ ସଭା ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଆହୁତ ଆନ୍ଦୋଳନକାରୀମାନଙ୍କୁ ଭୁବନେଶ୍ୱରସ୍ଥିତ ଲୋୟର ପି.ଏମ୍.ଜି. ଛକଠାରେ ଧାରଣା ସଂଗଠିତ କରିବା ପାଇଁ ଅନୁମତି ଦେବା ସହିତ ସଂପୃକ୍ତ କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିବା ଉଚିତ୍ ଥିଲା । ରାଜ୍ୟ ସରକାର ଏହା ନକରି ଅତିରିକ୍ତ ପୋଲିସ୍ ବଳ ଦ୍ୱାରା ଆନ୍ଦୋଳନକୁ ଦମନ କରିବାର ଧାରା ଏବଂ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଅନୁମତି ନଦେବା କୃଷକମାନଙ୍କର ଗଣତାନ୍ତ୍ରିକ ଅଧିକାର ପ୍ରତିଆକ୍ରମଣ ବୋଲି କୁହାଯାଇଛି ।ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଚାଷୀ ଫସଲର ସର୍ବନିମ୍ନ ସହାୟକ ଦର ପ୍ରଦାନ ଏବଂ ମାସିକ ୫,୦୦୦/-କୃଷକ ପେନ୍ସନ୍ ଦାବିକୁ ଓଡିଶା କୃଷକ ସଭାସମର୍ଥନ ଜଣାଇଛି । ଏହା ସହିତ କୃଷକମାନଙ୍କୁ ଋଣରୁ ମୁକ୍ତି, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା, ଚାଷୀ ପାଉଥିବା ସମସ୍ତ ସରକାରୀ ସୁବିଧା ଭାଗଚାଷୀଙ୍କୁ ଦେବା, ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପ୍ରତି ସର୍ବନିମ୍ନ ୨୫,୦୦୦/- ପ୍ରଦାନ ଓ ଫସଲ ବୀମାର ଅର୍ଥ ପ୍ରଦାନ ପାଇଁ ଦାବି କରାଯାଇଛି ।କୃଷକମାନଙ୍କୁ ଐତିହାସିକ ଭାବେ ଆମ ଦେଶର ଏବଂ ରାଜ୍ୟର ସରକାର ଅନ୍ୟାୟ କରିଛନ୍ତି । ସମସ୍ତଙ୍କୁ ଆହାରଯୋଗାଉଥିବା ଅନ୍ନଦାତା କୃଷକମାନଙ୍କର ଜ୍ୱଳନ୍ତ ଦାବି ଗୁଡିକୁ ତୁରନ୍ତ ସରକାର ଗ୍ରହଣ ନକଲେ ସମସ୍ତ କୃଷକ ସଂଗଠନ ଏକାଠି ହୋଇ ନିଜର ହକ୍ ପାଇଁ ଆନ୍ଦୋଳନକୁ ଆହୁରି ଯୋରଦାର କରାଯିବ ବୋଲି ଓଡିଶା କୃଷକ ସଂଗଠନ ତରଫରୁ କୁହାଯାଇଛି ।

ରିପୋର୍ଟ:ଆକାଶ ମିଶ୍ର