ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ଦାବିରେ ବିଜୁ କୃଷକ ଜନତା ଦଳ ପକ୍ଷରୁ ୮ତାରିଖ ଦିନ ଦିଲ୍ଲୀରେ ‘କୃଷକ ଅଧିକାର ସମାବେଶ’ ଅନୁଷ୍ଠିତ ହୋଇଥିଲା । ବିଜୁ କୃଷକ ଜନତା ଦଳ ସଭାପତି ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀର ତାଲକୋଟ୍ରା ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ଧାରଣା ଓ ସମାବେଶରେ ବହୁ ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସମେତ କୃଷକ ନେତା, ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ । ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ସମାବେଶକୁ ସମ୍ବୋଧିତ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନ ଯାଇ ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦଙ୍କୁ ଭେଟି ଏ ସଂପର୍କରେ ସ୍ମାରକପତ୍ର ପ୍ରଦାନ କରିଥିଲେ । ବିଜୁ କୃଷକ ଜନତା ଦଳ ଓଡ଼ିଶାର ଦାବିକୁ ଦିଲ୍ଲୀ ଦରବାରକୁ ନେଇ ପହଞ୍ଚଥିବା ପଛରେ ଓଡ଼ିଶାର କୃଷକ ନେତାମାନେ ସକ୍ରିୟ ଅଂଶ ଗ୍ରହଣ କରିଥିବାରୁ ମହାସଚିବ ତଥା ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର