ଛତ୍ରପୁର (ସମୃଦ୍ଧ ଓଡିଶା) କୃଷି ଓ କୃଷକର ବିଭିନ୍ନ ସମସ୍ୟାକୁ ନେଇ ୭ ଦଫା ଦାବିରେ ଗତ ଶନିବାର ଦିନ ଋଷିକୂଲ୍ୟା ରୟତ ମହାସଭା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଚାଷୀଙ୍କ ଧାନକିଣା ବନ୍ଦ କରି ଦିଆଯାଇଛି । ଏହି ସ୍ମାରକପତ୍ରରେ ଅଧିକାଂଶ ଚାଷୀ ଫସଲବୀମା ସହାୟତା, ତିତିଲି କ୍ଷତିପୂରଣ ଓ କାଳିଆ ଯୋଜନାରେ ସାହାର୍ଯ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଉଲ୍ଲେଖ କରାଯାଇଛି । ଭାଗ ଚାଷୀ ସରକାରୀ ସହାୟତା ପାଇପାରି ନାହାନ୍ତି । ଯଥାଶୀଘ୍ର ପୁନର୍ବାର ମଣ୍ଡିଖୋଲି ଚାଷୀଙ୍କ ବଳକା ଧାନ କିଣିବା ଦିଗରେ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଜିଲ୍ଲାରେ ୩ଲକ୍ଷରୁ ଅଧିକ ଚାଷୀ ଧାନ ଚାଷ କରିଥିବାବେଳେ ୧ଲକ୍ଷ ୨୮ ହଜାର ଚାଷୀଙ୍କ ଧାନ କ୍ରୟ କରିବା ପାଇଁ ପଞ୍ଜିକରଣ କରାଯାଇଥିଲା । କେବଳ ୭୫ ହଜାର ଚାଷୀଙ୍କ ଧାନ କିଣା ଯାଇ ଫେବୃୟାରୀ ମାସରେ ଧାନ କ୍ରୟ ବନ୍ଦ କରି ଦିଆଯାଇଛି ଯାହାଫଳରେ ୫୩ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଖୁଚୁରା ବେପାରୀଙ୍କୁ କମ ମୂଲ୍ୟରେ ଧାନ ବିକିବାକୁ ବାଧ୍ୟ ହୋଇଛନ୍ତି । ଏଯାବତ ବହୁ ଚାଷୀଙ୍କ ଧାନ ଅମଳ ହୋଇ ରହିଛି । ଏହାର ତାଲିକା ସମବାୟ ସମିତି ସମ୍ପାଦକମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । କିନ୍ତୁ ଜିଲ୍ଲା ଯୋଗାଣ ଅଧିକାରୀ ଏ ପର୍ଯ୍ୟନ୍ତ ଚାଷୀଙ୍କ ଧାନ କିଣିବାକୁ ପଦକ୍ଷେପ ନେଇ ନଥିବା ଅଭିଯୋଗ କରାଯାଇଛି । ଭାଗ ଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ପ୍ରଦାନ କରାଯାଉ, କାଳିଆ ଯୋଜନାରେ ଜମିହୀନ ଓ ଏନଏସି ଅଞ୍ଚଳରେ ବସବାସ କରୁଥିବା ଚାଷୀଙ୍କୁ ସାମିଲ କରି ସହାୟତା ପ୍ରଦାନ କରାଯାଉ, ଚାଷ ଜମିକୁ ଜଳସେଚନ ସୁବିଧା କରାଯାଉ, ଫସଲକୁ ବନ୍ୟଜନ୍ତୁଙ୍କ ଉପଦ୍ରବରୁ ରକ୍ଷା କରାଯାଉ, ଫେବୃୟାରୀ ଧାନ ବିକ୍ରି କରିଥିବା ଚାଷୀଙ୍କୁ ତୁରନ୍ତ ଟଙ୍କା ତୁରନ୍ତ ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି । ଏହି ଧାରଣାରେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ପରିବେଶବିତ ପ୍ରଫୁଲ ସାମନ୍ତରା, ଇଜୁଅମିନ ଖାଁନ, ଶେଷଦେବ ପାତ୍ର, ଅଭିମନ୍ୟୁ ପାତ୍ର, ସନିଆ ସ୍ୱାଇଁ, ରାଜେନ୍ଦ୍ର ସ୍ୱାଇଁ, ବଳରାମ ରାଉତ, ନଟବର ପଢ଼ିଆରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା