

ରାୟଗଡ଼ା (ସମୃଦ୍ଧ ଓଡିଶା) ଭାରତ ସରକାରଙ୍କ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ରାୟଗଡ଼ାଠାରେ ଏଚପିସିଏଲ୍ ର ଏଲପିଜି ବଟ୍ଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ଜୟପୁରଠାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ କୋଠାଘର ନିମନ୍ତେ ଏବଂ ବିମାନ ଇନ୍ଧନ ଷ୍ଟେସନର ମଧ୍ୟ ଶିଳାନ୍ୟାସ କରିଛନ୍ତି । ଶ୍ରୀ ପ୍ରଧାନ ରାୟଗଡ଼ା, ଲଡ୍ଡା ଏବଂ ଝିମିଡ଼ିପେଟାଠାରେ ରେଲୱେ ଫୁଟ ଓଭରବ୍ରିଜ୍ ଲୋକାର୍ପିତ କରିବା ସଙ୍ଗେ ସଙ୍ଗେ ନବରଙ୍ଗପୁରଠାରେ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ମଧ୍ୟ ଉଦଘାଟନ କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା, ଶ୍ରୀ ଏମ୍ କେ ସୁରାନା, ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡ଼ି), ଏଚପିସିଏଲ୍, ଶ୍ରୀ ରାକେଶ ମିଶ୍ରି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଏଲପିଜି, ଏଚପିସିଏଲ୍, ଶ୍ରୀ ଏସ୍ ଜୟକ୍ରିଷ୍ଣନ୍, ନିର୍ଦ୍ଦେଶକ, ମାର୍କେଟିଂ, ଏଚପିସିଏଲ୍, କର୍ଣ୍ଣେଲ ଜଳେଶ୍ୱର କହଁର, ପୋଷ୍ଟ ମାଷ୍ଟର ଜେନେରାଲ, ଓଡ଼ିଶା, ଶ୍ରୀ ସୁଧାଂଶୁ ମିଶ୍ର, ଆଞ୍ଚଳିକ ପାସପୋର୍ଟ ଅଧିକାରୀ, ଶ୍ରୀ ମୁକୁଲ ଶରନ ମାଥୁର, ଡିଆର୍ଏମ୍-ୱାଲଟର, ଇଷ୍ଟକୋଷ୍ଟ ରେଲୱେ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, କେବିକେ ଅଞ୍ଚଳର ବିକାଶ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦିଆଯାଉଛି, ଗତବର୍ଷ ବଲାଙ୍ଗୀରରେ ଏକ ଏଲପିଜି ବଟ୍ଲିଂ ପ୍ଲାଣ୍ଟର ଶୁଭାରମ୍ଭ କରାଯାଇଛି ଏବଂ ବର୍ତ୍ତମାନ ରାୟଗଡ଼ା ବଟ୍ଲିଂ ପ୍ଲାଣ୍ଟ ଏହି କ୍ଷେତ୍ରରେ ଆର୍ଥିକ ବିକାଶରେ ସାହାଯ୍ୟ କରିବ ଏବଂ କେବିକେ ଅଞ୍ଚଳରେ ଯୁବବର୍ଗଙ୍କୁ ରୋଜଗାରର ନୂତନ ଅବସର ମଧ୍ୟ ପ୍ରଦାନ କରିବ । ଏଚପିସିଏଲ୍ ର ଏଲପିଜି ବଟ୍ଲିଂ ପ୍ଲାଌକ୍ଷଗ୍ଧ; ଆସନ୍ତା ୨୦୨୦ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ଓଡ଼ିଶାର ଦ୍ୱିତୀୟ ପ୍ଲାଣ୍ଟ ହେବ ଏବଂ ଏଥିପାଇଁ ୯୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୬୦ଏମ୍ଏମଟିପିଏ କ୍ଷମତା ବିଶିଷ୍ଟ ଏହି ବଟ୍ଲିଂ ପ୍ଲାଣ୍ଟ (ବର୍ଷକୁ ୪୨ ଲକ୍ଷ ସିଲିଣ୍ଡର) ୨୪ଟି ପ୍ରମୁଖ ଇଲେକ୍ଟ୍ରୋନିକ୍ କରୋଜଲ ସହ ଫିଲିଂ କରିବାର କ୍ଷମତା ରହିବ । ଏହି ନୂତନ ପ୍ଲାଣ୍ଟରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସମ୍ବଳିତ ମାଉଣ୍ଡେଡ୍ ଷ୍ଟୋରେଜ୍ ରହିବ । ରାୟଗଡ଼ାଠାରେ ଏହି ବଟ୍ଲିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ କେବଳ ଯେ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, ଗଜପତି, କନ୍ଧମାଳ, ରାୟଗଡ଼ା ଏବଂ ନୂଆପଡ଼ା ଆଦି ବିଭିନ୍ନ ଜିଲାର ଉପଭୋକ୍ତାଙ୍କୁ ଏଲପିଜି ସିଲିଣ୍ଡର ଯୋଗାଣ କରିବ ତାହା ନୁହେଁ, ଏହା ସ୍ଥାନୀୟ ଯୁବକଙ୍କୁ ପ୍ରତ୍ୟେକ୍ଷ ତଥା ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ, ବିଭିନ୍ନ ତୈଳ ବିପଣନ କମ୍ପାନୀମାନଙ୍କ ଦ୍ୱାରା ଓଡ଼ିଶାରେ ୩୭.୧୬ ଲକ୍ଷ ଏଲପିଜି ସଂଯୋଗୀକରଣ କରାଯାଇଛି । ୨୦୧୪ ମସିହା ଠାରୁ, ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ୨୦.୨୨ ଲକ୍ଷରୁ ବୃଦ୍ଧି ଘଟି ୨୦୧୯ ମସିହାରେ ୭୬.୬୫ ଲକ୍ଷରେ ପହଞ୍ଚିଛି ଯାହାର ଅଭିବୃଦ୍ଧି ହାର ୨୦% ରୁ ୭୧.୫%କୁ ବୃଦ୍ଧି ଘଟିଛି । ଏଚପିସିଏଲ୍ ର ରାୟଗଡ଼ା ଏଲପିଜି ବଟ୍ଲିଂ ପ୍ଲାଣ୍ଟର କାର୍ଯ୍ୟକ୍ଷମ ହେବା ପରେ ନୂତନ ଅଭିବୃଦ୍ଧି, ଏଲପିଜି କଭରେଜ୍ ରେ ଆହୁରି ବୃଦ୍ଧି ଘଟିବା ସହ ଏହା ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଅଧିକ ସୁଦୃଢ କରିବ ବୋଲି ଆଶା କରିଛନ୍ତି ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ

