କୋଣାର୍କ / ଭୁବନେଶ୍ୱର (ସମୃଦ୍ଧଓଡିଶା): ଆଜି କୋଣାର୍କ ଉତ୍ସବର ତୃତୀୟ ଦିନରେ ଅର୍କ କ୍ଷେତ୍ର କୋଣାର୍କ ନିଶ୍ଚୟ ମନେ ପକାଉଥିବ ତା’ର ନିର୍ମାତା ଗଙ୍ଗ ବଂଶର ରାଜା ନରସିଂହ ଦେବ (1238-34) ଙ୍କୁ ଆଉ ତାର ସମସ୍ତ ଶିଳ୍ପୀ କୂଳଙ୍କୁ।ଆଉ ଆମ ସମସ୍ତଙ୍କର ମନେ ପଡିଯାଉଥିବ ବାର ବର୍ଷର ବାଳକ “ଧରମା / ଧର୍ମପଦ”। ଭାରତ ବର୍ଷରେ ସୂର୍ଯ୍ୟ ଉପାସନା ପରମ୍ପରାର ପର୍ଯ୍ୟାୟରେ ସର୍ବାଗ୍ରେ ଆସିବ ଆମ ଓଡ଼ିଶାର ଏହି ସୂର୍ଯ୍ୟ ମନ୍ଦିର, ଏହି କୋଣାର୍କ। କୋଣାର୍କ , ଆଦିତ୍ୟ ନାରାୟଣଙ୍କ ପୂଜା ଓ ତା’ର ଶିଳ୍ପୀ ମାନଙ୍କର ବନ୍ଦାପନାକୁ ନେଇ ଏହି କୋଣାର୍କ ଉତ୍ସବର ପରିକଳ୍ପନା ଓ ଉପସ୍ଥାପନା।କୋଣାର୍କର କୀର୍ତ୍ତି ଓ କୃତି- ବିଶ୍ଵବନ୍ଦିତ । କୋଣାର୍କ ହେଉଛି ପୃଥିବୀର ଅନ୍ୟତମ ସପ୍ତାଶ୍ଚର୍ଯ୍ୟ। ଆମ ପାଇଁ,ଆମ ଜାତି ପାଇଁ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ପ୍ରତୀକ, ଏହି କୋଣାର୍କ। ଆମ ପରିଚୟ,ଆମ ଅସ୍ମିତାର ପ୍ରତୀକ ଏହି କୋଣାର୍କ । ସେଇଥିପାଇଁ ଆମ ରାଜ୍ୟ ସରକାରଙ୍କର ମୂଳ ପ୍ରତୀକରେ (State Emblem) କୋଣାର୍କର ଯୋଦ୍ଧା ଘୋଡା ଆଉ ତା ସହିତ ଓଡ଼ିଆ ବୀରର ବୀରତ୍ୱର ପ୍ରତିବିମ୍ବ ରୂପାୟିତ। ଆମ କୋଣାର୍କ ଚକ୍ରତ ଏବେ ବିଶ୍ଵ ଦରବାରରେ ଭାବବନ୍ଧନର ପ୍ରତିଭୂ ସାଜିଛି। କଳା,ସାହିତ୍ୟ, ସଂସ୍କୃତି ଆଉ ବିଶ୍ଵ ଭାତୃତ୍ବର ପ୍ରତୀକ । ଆମ ସ୍ଵାଭିମାନ ଆମ ଅସ୍ମିତାର ପ୍ରତିଫଳନ ଘଟିଛି ନୃତ୍ୟ,ଗୀତ ଓ ସଙ୍ଗୀତର ତାଳେ ତାଳେ। ବଡ ସନ୍ତର୍ପଣରେ “ଲାସ୍ୟମୟୀ ନାୟିକା” କୋଣାର୍କ ପାଦ ଥାପିଛି ଆଜି ତୃତୀୟ ପାହାଚରେ। ସାଥିରେ ଆଣିଛି ଓଡିଶୀ ଓ ମୋହିନୀୟାଟ୍ଟମ୍ ନୃତ୍ୟ ଶୈଳୀର ଅପୂର୍ବ କଳା ଓ କଳ୍ପନାର ପସରାକୁ ଧରି । ପ୍ରଥମ ପର୍ଯ୍ୟାୟରେ କଲିକତାର ଦର୍ପଣୀ ଅନୁଷ୍ଠାନର ଗୁରୁ ଅର୍ଣ୍ଣବ ବନ୍ଦୋପାଧ୍ୟାୟ ଓ ସାଥୀମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଓଡ଼ିଶୀ ନୃତ୍ୟ । ଜୟଦେବଙ୍କ ଗୀତଗୋବିନ୍ଦରୁ “ଶ୍ରିତ କମଲ କୁଚ ମଣ୍ଡଲ” ର ପରିବେଷଣରେ ବିଷ୍ଣୁଙ୍କ ମଧୁର ରୂପର ବର୍ଣ୍ଣନା ଓ ତାଙ୍କର ମହିମାକୁ ନୃତ୍ୟର ଅପୂର୍ବ ଭଙ୍ଗୀରେ ପ୍ରଦର୍ଶନ କରିଥିଲେ। ତା ପରେ ” ହଂସ ଧ୍ୱନି ପଲ୍ଲବୀ” ରେ ଓଡିଶୀ ନୃତ୍ୟର ନିର୍ମଳ ଭାବ ଭଙ୍ଗୀ, ଅଙ୍ଗରାଗକୁ ବିଭିନ୍ନ ତାଳ ଓ ଧ୍ଵନିରେ ପ୍ରତିଷ୍ଠା କରିଥିଲେ। ସେମାନଙ୍କ ତୃତୀୟ ନୃତ୍ୟ ଶୈଳୀ ଥିଲା “କୃଷ୍ଣକଥା “। କୃଷ୍ଣଙ୍କ ପାଇଁ ଧର୍ମ ସଂସ୍ଥାପନା, କର୍ମ, ଭକ୍ତି ଓ ଆତ୍ମ ନିବେଦନର ଭାବାବେଗକୁ ପରିବେଷଣ କରିଥିଲେ। ନିର୍ଦ୍ଦେଶନା ରେ ଥିଲେ ଗୁରୁ କେଳୁଚରଣ ମହାପାତ୍ର ଓ ଗୁରୁ ଅର୍ଣ୍ଣବ ବନ୍ଦୋପାଧ୍ୟାୟ ଏବଂ ସଙ୍ଗୀତରେ ସହଯୋଗ କରିଥିଲେ ଭୁବନେଶ୍ଵର ମିଶ୍ର,ହିମାଂଶୁ ଶେଖର ସ୍ଵାଇଁ ଓ ସୌମ୍ୟ ରଞ୍ଜନ ନାୟକ। ଆଜି ସନ୍ଧ୍ୟାର ଦ୍ଵିତୀୟ ପର୍ଯ୍ୟାୟରେ ସୁଦୂର ଆମେରିକାରୁ ଆସିଥିବା ଡ. ସୁନନ୍ଦା ନାୟାର ଓ ସାଥୀବୃନ୍ଦଙ୍କ ଦ୍ଵାରା ପରିବେଷିତ ହୋଇଥିଲା ” ମୋହିନୀୟାଟ୍ଟମ୍ ” । ପ୍ରଥମେ ସେମାନେ ଅଗ୍ର ପୂଜ୍ୟ ଗଣେଶଙ୍କର ବନ୍ଦନା, ନାନା ଭଙ୍ଗୀ, ତାଳ ଓ ଆଧ୍ୟାତ୍ମ ଭାବରେ ପରିବେଷଣ କରିଥିଲେ। ଦ୍ୱିତୀୟରେ କାତ୍ୟାୟନୀ ଦେବୀଙ୍କ ବନ୍ଦନାକୁ ବିଭିନ୍ନ ଭାଷ୍ୟ ଓ ରୂପରେ ରୂପାୟନ କରିଥିଲେ। ତୃତୀୟରେ ଥିଲା “ମଧୁର ଅଷ୍ଟକମ “। କୃଷ୍ଣ ବନ୍ଦନାର ଏକ ଅପୂର୍ବ ବର୍ଣ୍ଣନାକୁ ରୂପ ଦେଇଥିଲେ ଶିଳ୍ପୀଗଣ ସେମାନଙ୍କ ଅଙ୍ଗରାଗରେ ଓ ରୂପରସରେ । ଆଗାମୀ କାଲି ଚତୁର୍ଥ ଦିନର କୋଣାର୍କ ଉତ୍ସବରେ ରହିଛି ହାଇଦ୍ରାବାଦରୁ ଆସିଥିବା ଦୀପିକା ରେଡ୍ଡୀ ଓ ରୁଦ୍ରାକ୍ଷ ଫାଉଣ୍ଡେସନର ବିଚିତ୍ରାନନ୍ଦ ସ୍ଵାଇଁ ଓ ସାଥୀ ବୃନ୍ଦଙ୍କ ଓଡିଶୀ ନୃତ୍ୟ । ଚନ୍ଦ୍ରଭାଗର ବାଲୁକା ବେଳାଭୂମି ରେ ୧୪ ତମ ଆନ୍ତର୍ଜାତୀୟ ବାଲୁକା ମହୋତ୍ସବ ର ତୃତୀୟ ଦିନର ବିଷୟ ବସ୍ତୁ ପୁରୁଷଙ୍କ ପାଇଁ ଥିଲା ପର୍ଯ୍ୟଟନ ଓ ଶାନ୍ତି ମହିଳା ମାନଙ୍କ ପାଇଁ ଥିଲା ଓଡିଶାର ବୌଦ୍ଧ କୀର୍ତ୍ତିରାଜି । ଏବଂ ଓଡିଶା ବାହାରୁ ଆସିଥିବା ବାଲୁକା ଶିଳ୍ପୀ ମାନଙ୍କ ପାଇଁ ବିଷୟ ବସ୍ତୁ ଥିଲା ଏକତାରେ ବିବିଧତା । ଆଜି ତୃତୀୟ ଦିନର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର ରାଜା ଗଜପତି ଦିବ୍ୟ ସିଂହ ଦେବ ଓ ମାନ୍ୟବର ମନ୍ତ୍ରୀ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗର ଶ୍ରୀଯୁକ୍ତ ପୃଥ୍ଵୀରାଜ ହରିଚନ୍ଦନ, ଗୁରୁ ଧନେଶ୍ଵର ସ୍ଵାଇଁ , ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଶ୍ଵଜିତ ରାଉତରାୟ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳକ ଡ଼. ଲଲାଟେନ୍ଦୁ ସାହୁ ଯୋଗ ଦେଇ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ଓ ଶିଳ୍ପୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଉତ୍ସବଟିକୁ ପରିଚାଳନା କରିବାରେ ପର୍ଯ୍ୟଟନ ବିଭାଗର ଅଧିକାରୀ ଗଣ ଓ ଓଡିଶା ସଂଗୀତ ନାଟକ ଏକାଡେମୀ ର ସଚିବ ଡ. ଭାଗ୍ୟଲକ୍ଷ୍ମୀ ମଲ୍ଲଙ୍କ ନିଷ୍ଠାପର ଉଦ୍ୟମର ଚିହ୍ନ ବାରିହେଇପଡୁଥିଲା । ଉତ୍ସବ ଟିକୁ ସଂଯୋଜନା କରିଥିଲେ ଡ.ମୃତ୍ୟୁଞ୍ଜୟ ରଥ ଓ ମାନସୀ ମିଶ୍ର ।
ରିପୋର୍ଟ : ରଜତ ମହାପାତ୍ର ଓ ତନୁଜା PRO