

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଡୁମାକୁମ୍ପା କ୍ଳଷ୍ଟର ରିପିଟିପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟରତ ଥିବା ଶିକ୍ଷକ କୁଶଧ୍ଵଜ ସେଠୀଙ୍କ କୋଭିଡରେ ଅକାଳ ମୃତ୍ୟୁ ଘଟିଯାଇଛି । ସେ ଜଣେ ଗଣ ଶିକ୍ଷକ ରୂପେ ମୂଳ ନିଯୁକ୍ତି ପାଇଥିଲେ ମଧ୍ୟ କିଛି କାରଣରୁ ନିୟମିତ ଶିକ୍ଷକ ହେବାରୁ ଦୀର୍ଘ ଦିନ ହେଲା ବଞ୍ଚିତ ହୋଇ ମାତ୍ର ୬,୧୬୦ଟଙ୍କାରେ କଷ୍ଟରେ ଏ ଦରବୃଦ୍ଧି ସମାଜରେ ପରିବାର ପ୍ରତିପୋଷଣ କରୁଥିଲେ । ଲକଡାଉନ ବେଳେ ପ୍ରବାସୀ ଓଡିଆଙ୍କୁ ଆଣି ରଖାଯାଉଥିବା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ଗୁଡିକରେ ସେ ନିୟମ ପ୍ରକାରେ ଉପସ୍ଥିତ ରହି କର୍ତ୍ତବ୍ୟ ସଂପାଦନ କରିଥିଲେ । ସେ ଏହି ଡୁମାକୁମ୍ପା ଗ୍ରାମପଞ୍ଚାୟତ ଅଧିନ ଆଖୁପଦର ପ୍ରାଥମିକ ବିଦ୍ୟାଳୟ ପରେ ଇନ୍ଦାଗଡ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଜିଲ୍ଲା ଓ ବ୍ଳକ ପ୍ରଶାସନର ଚିଠି ପ୍ରକାରେ କାମ କରିଥିଲେ ଓ ପରବର୍ତ୍ତୀ ସମୟରେ କୋଭିଡରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଗତ ଅଗଷ୍ଟ ୬ ତାରିଖରେ ଭର୍ତି ହୋଇ ତା ସଲଗ୍ନ କୋଭିଡ ହସପିଟାଲରେ ଚିକିତ୍ସିତ ହୋଇଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା । ଶେଷରେ ସେ ଗତ ୧୨ ଅଗଷ୍ଟ ୨୦୨୦ ଦିନ ପୂର୍ବାହ୍ନ ୧୧.୩୦ମି. ସମୟରେ ମୃତ୍ୟୁବରଣ କରିଥିଲେ । ଏହି ଖବର ପାଇ ଆର୍ଥିକ ଅନଟନ ଦେଇ ଗତି କରୁଥିବା ଏହି ଶିକ୍ଷକଙ୍କ ପରିବାରକୁ ଭେଟି ଗଞ୍ଜାମ ଜିଲ୍ଲା ଗୁରୁ ଛାତ୍ର କଲ୍ୟାଣ ପାଣ୍ଠିରୁ ତୁରନ୍ତ ଏହି ଶିକ୍ଷକଙ୍କ ପରିବାରକୁ ୧୦ ହଜାର ପ୍ରଦାନ ପୂର୍ବକ ସମବେଦନା ଜଣାଇଥିଲେ ବ୍ଳକ ଶିକ୍ଷାଧିକାରୀ ଶ୍ରୀ ଏସ୍. ଧନଞ୍ଜୟଙ୍କ ସମେତ ବି.ଆର୍.ସି.ସି ହୃଷିକେଶ ସ୍ୱାଇଁ ଓ ସି.ଆର୍.ସି.ସି ତ୍ରିନାଥ ବେହେରା । ପରେ ଡୁମାକୁମ୍ପା କ୍ଳଷ୍ଟରର ଶିକ୍ଷକ ଓ ଶିକ୍ଷୟିତ୍ରୀଗଣ ତଥା ବ୍ଳକ ଓ ବ୍ଳକ ବାହରୁ କିଛି ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହଯୋଗ ୨୬ ହଜାର ଟଙ୍କା ଏହି ଶିକ୍ଷକଙ୍କ ପରିବାରକୁ ସି.ଆର୍.ସି.ସିଙ୍କ ମାଧ୍ୟମରେ ଯୋଗାଇ ଦିଆଯାଇଥିଲା । ଯେହେତୁ ଏହି ଶିକ୍ଷକ ଜଣକ ଅତି ଗରିବ ଥିଲେ । ଏପରିକି ନିଜର ଚାଳ ଘରଟିକୁ ମରାମତି ବି କରିପାରୁ ନ ଥିଲେ । ଏଣୁ ତାଙ୍କ ବିୟୋଗରେ ହତୋତ୍ସାହିତ ପରିବାରକୁ କିପରି ଅଧିକ ଆର୍ଥିକ ସହଯୋଗ ମିଳିବ ସେ ନେଇ ସି.ଆର୍.ସି.ସି ମୃତ ଶିକ୍ଷକ ପତ୍ନୀଙ୍କ ଆନ୍ଧ୍ର ବ୍ୟାଙ୍କ ଏକାଉଣ୍ଟ ନମ୍ବର-006510100120000, ଆଇ.ଏଫ୍.ଏସ୍.ସି କୋଡ- ANDB0000065, ପତ୍ନୀଙ୍କ ନାମ-ବିଉଟି ଲତା ସେଠୀ ଭଞ୍ଜନଗର ଶାଖା ଏହି ଆକାଉଣ୍ଟକୁ ସାର୍ବଜନୀନ କରି ସହଯୋଗ କାମନା କରିଥିଲେ ।ଜନସାଧାରଣମାନଙ୍କୁ ଏହି ମୃତ ଶିକ୍ଷକଙ୍କ ପରିବାରକୁ ଯଥା ସାଧ୍ୟ ସହଯୋଗର ହାତ ବଢାଇ ମାନବିକତାର ପରିଚୟ ପ୍ରଦାନ କରନ୍ତୁ ବୋଲି ଅନୁରୋଧ କରଯାଇଛି । ପରବର୍ତ୍ତୀ ସମୟରେ ଗୋଷ୍ଠି ଶିକ୍ଷା ଅଧିକାରୀ ଭଞ୍ଜନଗର ଓ ତାଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ ଆର୍ଥିକ ସହଯୋଗ ୯ ହଜାର ୩ ଶହ ଟଙ୍କା ପ୍ରଦାନ କରାଯିବା ସହ ମାତ୍ର ପାଞ୍ଚ ଦିନ ଭିତରେ ସି.ଆର୍.ସି.ସିଙ୍କ ସହଯୋଗରେ ସମସ୍ତ ଦରକାରୀ କାଗଜ ପତ୍ର ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନର ସରକାରୀ ସହାୟତା ପ୍ରଦାନ ନିମିତ୍ତ ପ୍ରେରଣ କରାଯାଇଛି । ଏହି ଶିକ୍ଷକଙ୍କ ବିୟୋଗରେ ସମଗ୍ର ଶିକ୍ଷକ ସମାଜ ସ୍ତବ୍ଧ ହୋଇଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କ ପରିବାରକୁ ଭେଟି ସାନ୍ତ୍ବନା ଦେବା ସହ ଆର୍ଥିକ ସହଯୋଗ କରିବା ସଂପ୍ରତି ତାଙ୍କ ବେସାହାରା ପରିବାରକୁ ନୂଆଁ ଆଶା ଦେଖାଇଛି । ପ୍ରଦତ୍ତ ଆକାଉଣ୍ଟ ଯୋଗେ ସର୍ବସାଧାରଣ ତାଙ୍କ ପରିବାରକୁ ସହଯୋଗ କରିବା ପାଇଁ ସି.ଆର୍.ସି.ସି ତ୍ରିନାଥ ବେହେରା ବିନମ୍ର ଅନୁରୋଧ କରିଛନ୍ତି ।
ରିପୋର୍ଟ : ନିଲୁ ବିଷୋୟୀ