କୋଭିଡ କଟକଣା ମଧ୍ୟରେ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି : ଗଞ୍ଜାମ ଜିଲ୍ଲା ପ୍ରଶାସନ…

ଛତ୍ରପୁର (ସମୃଦ୍ଧ ଓଡିଶା) କୋଭିଡ ଲହର ଯୋଗୁଁ ନୂଆ ପ୍ରକାର ଅମୀକ୍ରନ ଫଳରେ ଗଞ୍ଜାମ ଜିଲ୍ଲାରେ ଶତକଡ଼ା ୧୦ ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି । ଏହାକୁ ଆଧାର କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କେତେକ ନିର୍ଦେଶବଳି ମଧ୍ୟରେ ଜିଲ୍ଲାର ଧର୍ମାଅନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ଚର୍ଚ୍ଚ, ମନ୍ଦିର, ମସଜିଦ ଓ ଧର୍ମାନୁଷ୍ଠାନ ଗୁଡିକ ଖୋଲିବାକୁ ଅନୁମତି ଦେଇଛନ୍ତି । ଧର୍ମାନୁଷ୍ଠାନ ଖୋଲିବା ନେଇ କେତେକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଉପରୋକ୍ତ ଧର୍ମାନୁଷ୍ଠାନ ଗୁଡିକ ଜନସାଧାରଣଙ୍କ ସକାଶେ ସକାଳ ୬ଟା ଠାରୁ ଖୋଲାଯିବ କିନ୍ତୁ ଧର୍ମାନୁଷ୍ଠାନ ଭିତରେ ଥରକେ ୧୦ ଜଣ ଭକ୍ତଙ୍କ ଠାରୁ ଅଧିକ ହେବନାହିଁ ଏବଂ ଭିତରେ ଗହଳି ଯେମିତି ହେବନାହିଁ ସେଥିପାଇଁ ଧର୍ମାନୁଷ୍ଠାନ ପରିଚାଳନା କମିଟିର ତଦାରଖରେ ହେବ । ଧର୍ମାନୁଷ୍ଠାନ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ହାତକୁ ଭଲରୁପେ ସେନିଟାଏଜେସନ କରିବେ, ମାସ୍କ ଭଲରୁପେ ପିନ୍ଧିବେ, ସାମାଜିକ ଦୂରତ୍ୱର ଅନୁପାଳନ କରିବେ।ଧର୍ମାନୁଷ୍ଠାନ ଭିତରେ ଓ ବାହାରେ ସଠିକ ମାସ୍କ ରହିବା ଜରୁରୀ । ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ କିମ୍ୱା ପରିଚାଳନା କମିଟି ପ୍ରତେକ ଦିନ ଧର୍ମାନୁଷ୍ଠାନ ପରିସର ସେନିଟାଏଜେସନ କରିବେ। ଧର୍ମାନୁଷ୍ଠାନ ପ୍ରବେଶ ପଥରେ ଥର୍ମାଲ ସ୍କାନେର ରଖି ଯାଞ୍ଚ କରିବା ଜରୁରୀ । ଯେଉଁ ମାନଙ୍କ ଠାରେ ଜ୍ୱର, କାଶ କିମ୍ବା ଥଣ୍ଡା ଜ୍ୱର ଲକ୍ଷଣ ରହୁଚି ସେମାନଙ୍କୁ ଧର୍ମାନୁଷ୍ଠାନ ଗୁଡିକରେ ପ୍ରବେଶ କରିବାକୁ ବାରଣ କରାଯାଇଛି । ସେମାନେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ଧର୍ମାନୁଷ୍ଠାନ ଗୁଡିକରେ ଥିବା ପ୍ରତିମୂର୍ତ୍ତିକୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି । ଧର୍ମାନୁଷ୍ଠାନ ପ୍ରସାଦ ବଣ୍ଟନ କିମ୍ବା ସେବନ ସମ୍ପୂର୍ଣ୍ଣ ମନାଅଛି । ପାନ ଗୁଟ୍ଖା ଇତ୍ୟାଦି ସମ୍ପୂର୍ଣ୍ଣ ମନା । ମା ତାରାତାରିଣୀ ଦର୍ଶନକୁ ଗଲାବେଳେ ଭକ୍ତଗଣ ନିଜ ନିଜ ଯାନବାହନ ମନ୍ଦିର ପାଦ ଦେଶରେ ବ୍ୟବସ୍ଥା କରାଯାଇଥିବା ଯାନବାହନ ସ୍ଥାନରେ ରଖିବେ, ମନ୍ଦିର ନିକଟକୁ(ଉପରକୁ) ଯାନବାହନ ନେବା ସମ୍ପୂର୍ଣ୍ଣ ମନା । ୬୫ ବର୍ଷରୁ ଉର୍ଦ୍ଧ୍ଵ, ଲକ୍ଷଣ ଜନିତ ବ୍ୟକ୍ତି, ଗର୍ଭବତୀ ମହିଳା, ଏବଂ ୧୦ ବର୍ଷରୁ କମ ବୟସ ପିଲାଙ୍କୁ ଧର୍ମାନୁଷ୍ଠାନ ଗୁଡିକଯିବା ବାରଣ କରାଯାଇଛି । ଧର୍ମାନୁଷ୍ଠାନ ଗୁଡିକରେ ବିବାହକାର୍ଯ୍ୟ କିମ୍ବା ମାଙ୍ଗଳିକ କାର୍ଯ୍ୟ ସକାଶେ ବର୍ତ୍ତମାନ ବାରଣ ରହିଛି । ମହାଶିବରାତ୍ରି ସମୟରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବନାହିଁ । ଦର୍ଶକ ବିହୀନ କେବଳ ୧୦ ଜଣ ବ୍ୟକ୍ତିଙ୍କ ଦ୍ୱାରା ଭଜନ ପରିବେଷଣକୁ ଅନୁମତି ରହିଛି । ସମସ୍ତ ନିୟମକୁ ସଠିକ ପାଳନ କରି ଜିଲ୍ଲାରୁ କୋଭିଡର ମୁଳପୋଛ କାରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା