ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, କୋରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଓଡିଶା ସରକାରଙ୍କ ଗଞ୍ଜାମ ମଡେଲ ସବୁଆଡେ ପ୍ରଶଂସିତ ହେଉଛି । ଗଞ୍ଜାମ ଜିଲ୍ଲାରେ କୋରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆପଣା ଯାଇଥିବା ଏହି ମଡେଲକୁ ଏବେ ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ବି ପ୍ରଶଂସା କରିଛି । କୋରୋନାକୁ ସଫଳ ଭାବେ ନିୟନ୍ତ୍ରଣ କରାଯାଇପାରେ, ତାହା ଓଡିଶାର ଗଞ୍ଜାମ ଓ ମହାରାଷ୍ଟ୍ରର ଧରାବୀରୁ ଶିଖିବା ଦରକାର ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କହିଛି । ସଂକ୍ରମଣ ରୋକିବା ପାଇଁ ଛୋଟ ଛୋଟ ଅଞ୍ଚଳ ପ୍ରତି ଧ୍ୟାନ ଦେବା ଦରକାର ବୋଲି ଗଞ୍ଜାମ ଜିଲ୍ଲା ଓ ଧରାବୀ ବସ୍ତିର ଉଦାହରଣ ଦେଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କହିଛି । କୋରୋନା ସଂକ୍ରମଣ ନେଇ ୩୧୦ଟି ସହର ଉପରେ ଅଧ୍ୟୟନ କରିଥିଲା ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ ପକ୍ଷରୁ କୁୁହାଯାଇଛି ଯେ, ଗଞ୍ଜାମ ଓ ଧରାବୀରେ ହଜାର ହଜାର ସଂକ୍ରମିତ ହୋଇଥିଲେ । କିନ୍ତୁ ଆଜି ଏଠାରେ ୨ ଶହରୁ ବି କମ୍ ରୋଗୀ ଅଛନ୍ତି । ଗଞ୍ଜାମ ଜିଲ୍ଲା ଓ ଧରାବୀ ବସ୍ତି ମଡେଲରୁ ଅନେକ କିଛି ଶିଖି ହେବ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କହିଛି l ଓଡିଶାର ଗଞ୍ଜାମ ଜିଲ୍ଲା ପରି ମହାରାଷ୍ଟ୍ରରେ ଥିବା ଏସିଆର ସବୁଠାରୁ ବଡ ବସ୍ତି ଧରାବୀରେ ବି କୋରୋନା ମୁକାବିଲା ନେଇ ନିଆଯାଇଥିବା ସଫଳ ପଦକ୍ଷେପ ସଂପର୍କରେ ବି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟୟନ ରିପୋର୍ଟରେ ସ୍ଥାନ ପାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଉଭୟ ଗଞ୍ଜାମ ଓ ଧରାବୀ ମଡେଲ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ବି ଉଚ୍ଚ ପ୍ରଶଂସିତ ହୋଇପାରିଛି l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା