ଶେରଗଡ଼ (ସମୃଦ୍ଧ ଓଡ଼ିଶା) ଗଞ୍ଜାମ ଜିଲ୍ଲାକୁ ପ୍ରତିଦିନ ପ୍ରବାସୀ ଓଡ଼ିଆଙ୍କ ସୁଅ ଛୁଟୁଛି । ୪୨ ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ବସ୍ ଓ ଟ୍ରେନ୍ ଯୋଗେ ଗଞ୍ଜାମ ଜିଲ୍ଲାରେ ପହଞ୍ଚିଥିବା ବେଳେ ଆଉ କିଛି ଚାଲି ଚାଲି ଆସୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ସେପଟେ ପ୍ରବାସୀ ଓଡ଼ିଆଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ସେମାନଙ୍କ ନମୁନା ସଂଗ୍ରହ ସହ ପରୀକ୍ଷା ପ୍ରକ୍ରିୟା ଜାରି ରହିଛି । ପଜିଟିଭ୍ ଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ସେମାନଙ୍କୁ କୋଭିଡ୍ ହସପିଟାଲକୁ ସ୍ତାନାନ୍ତରିତ କରାଯାଉଛି । ପଜିଟିଭ୍ ଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ୫ଟି କୋଭିଡ୍ କେୟାର ସେଣ୍ଟର ସ୍ଥାପନ କରାଯାଇଛି । ତେବେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆହୁରି ଅଧିକା ସଙ୍ଗରୋଧ କେନ୍ଦ୍ର ଓ କେୟାର ସେଣ୍ଟରର ଆବଶ୍ୟକତା ରହିଛି ନା ନାହିଁ ତାହା ଜାଣିବା ସହ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ଗଞ୍ଜାମ ଗସ୍ତରେ ପହଞ୍ଚିଥିଲେ ୫ଟି ସଚିବ ଭି. କାର୍ତିକେୟାର ପାଣ୍ଡିଆନ୍ । ରାୟଗଡ଼ା ଓ ଗଜପତି ଗସ୍ତ କରି ହେଲିକ୍ୟାପଟର ଯୋଗେ ଗଞ୍ଜାମ ଜିଲ୍ଲାର ଶେରଗଡ଼ ଠାରେ ପହଞ୍ଚିଥିଲେ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କ ସହ ସେ ବ୍ଲକ୍ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ବିଡିଓ, ତହସିଲଦାର, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପ୍ରମୁଖଙ୍କ ସହ କୋଭିଡ୍ ର ସ୍ଥିତି ବିଶେଷ କରି ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ କିପରି ସେବା ପ୍ରଦାନ କରାଯାଉଛି ଆଉ କଣ ସବୁ ଆବଶ୍ୟକତା ରହିଛି ସେ ସଂପର୍କରେ ଆଲୋଚନା କରିଥିଲେ । ଏହା ପରେ ହିଞ୍ଜିଳିକାଟୁ ଆସି ସେଠାରେ ଖୋଲା ଯାଇଥିବା କୋଭିଡ୍ କେୟାର ସେଣ୍ଟର ବୁଲି ଦେଖିବା ସହ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ଆସିକା, କବିସୂର୍ଯ୍ୟନଗର, ପୋଲସରାରେ ସ୍ଥତି ସଂପର୍କରେ ଆଲୋଚନା କରି ବ୍ରହ୍ମପୁର ନିକଟ ଶୀତଳାପଲ୍ଲୀ ଠାରେ ଖୋଲା ଯାଇଥିବା କୋଭିଡ୍ କେୟାର କେନ୍ଦ୍ର ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ତେବେ ହିଞ୍ଜିଳିକାଟୁରେ ଖୋଲା ଯାଇଥିବା କୋଭିଡ୍ କେୟାର ସେଣ୍ଟରରେ ୧୦୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି ଓ ୬ଜଣ ଡାକ୍ତରଙ୍କ ସମେତ ପାରାମେଡ଼ିକାଲ ଷ୍ଟାଫଙ୍କୁ ନିଯୁକ୍ତି କରାଯାଇଛି । ଆମେ ପ୍ରସ୍ତୁତ ହୋଇ ଅଛୁ ବୋଲି କୋଭିଡ୍ କେୟାର ସେଣ୍ଟରର ନୋଡାଲ ଅଫିସର ଡ. ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି । ଏହି ଅବସରରେ ଶେରଗଡ଼ ବିଡିଓ ସୁରଞ୍ଜନ ସାହୁ, ତହସିଲଦାର ଦୟାସିନ୍ଧୁ ପରିଡ଼ା, ଆଇଆଇସି ରମେଶ ଚନ୍ଦ୍ର ଦାଶ, ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ବିପ୍ଳବ ସେଠୀ