କୋରାପୁଟରେ ହରିଆଣା ଚାଲାଣ ହେଉଥିବା ୨ କୋଟି ଟଙ୍କାର ଗଞ୍ଜେଇ ଜବତ,ମାତ୍ର ୩ ଗିରଫ…

ଜୟପୁର (ସମୃଦ୍ଧ ଓଡିଶା) କୋରାପୁଟ ଜିଲ୍ଲାର ବୋରିଗୁମ୍ମା ପୁଲିସକୁୁ ଏକ ବଡ ଧରଣର ସଫଳତା ମିଳିଛି । ହରିଆଣା ଚାଲାଣ ହେଉଥିବା ୨ କୋଟି ଟଙ୍କା ଗଞ୍ଜେଇକୁ ପୁଲିସ ଜବତ କରିପାରିଛି । ଏହି ଚୋରା ଗଞ୍ଜେଇ ଚାଲାଣ କାରବାର ସହିତ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ପୋଲିସ ଗତକାଲି ଭୋର ପ୍ରାୟ ୫ଟା ସମୟରେ ଥାନା ସମ୍ମୁଖରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଗଞ୍ଜେଇ ଚାଲାଣ ଟ୍ରକକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ସୂଚନା ଅନୁସାରେ ବୋରିଗୁମ୍ମା ଥାନା ଅଧିକାରୀ ସୁଦାମ ସାହୁ ଏବଂ ଅତିରିକ୍ତ ଅଧିକାରୀ କଳାଧନ ବେହେରାଙ୍କ ନେତୃତ୍ୱରେ ପେଟ୍ରୋଲିଂ କରୁଥିଲେ । ନବରଙ୍ଗପୁର ପଟୁ ଏକ ଟ୍ରକ ଦ୍ରୁତ ଗତିରେ ଜୟପୁର ଅଭିମୁଖେ ଚାଲିଯିବାକୁ ଚେଷ୍ଟା କରିଥିଲା କିନ୍ତୁ ପୋଲିସ ସନ୍ଦେହ କରି ଟ୍ରକଟିକୁ ଅଟକାଇ ପଚରା ଉଚରା କରୁଥିବା ସମୟରେ ଟ୍ରକରୁ ଗଞ୍ଜେଇ ବାସ୍ନା ବାଜି ଥିଲା । ସନ୍ଦେହ ହେବାରୁ ଟ୍ରକକୁ ଛାନଭିନ କରିଥିଲେ । ପ୍ରଥମେ ଗଞ୍ଜେଇ ଭର୍ତ୍ତି କରାଯାଇ ତା’ଉପରେ ଝାଡୁ ରଖି କୌଶଳ ଭାବେ ଚାଲାଣ କରିବାକୁ ଚେଷ୍ଟା କରିଥିଲେ । ଟ୍ରକରେ ଦୁଇଜଣ ଡ୍ରାଇଭର ଏବଂ ଜଣେ ହେଲ୍‌ପର ଥିଲେ । ଅଭିଯୁକ୍ତ ଜୟ ପ୍ରକାଶ କୁମାର (ବିହାର), ରାକେଶ କୁମାର (ହରିୟାଣା) ଏବଂ ମୁନ୍ନା କୁମାର (ବିହାର) ବୋଲି ସୂଚନା ଦେଇଛନ୍ତି । ଟ୍ରକ ମାଲିକ ସନ୍ଦୀପ କୁମାର ସାହା (ହରିୟାଣା)ଙ୍କ ନିର୍ଦ୍ଦେଶ କ୍ରମେ ଏମାନେ ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି । ପୋଲିସ ୯ କୁଇଣ୍ଟାଲ ୩୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି, ଯାହାର ବଜାର ମୂଲ୍ୟ ଦୁଇ କୋଟି ଟଙ୍କା ହେବ ।