ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ବ୍ରହ୍ମପୁର କ୍ଷେତ୍ର ଜନ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ଚିକିଟି ବ୍ଳକ ଅନ୍ତର୍ଗତ କତୁରୁ ଗ୍ରାମରେ ଆୟୋଜିତ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଗଞ୍ଜାମ ଜିଲାର ମହାନ୍ ସତ୍ୟାଗ୍ରହୀ ଓ ଗାନ୍ଧୀବାଦୀ ଉମାଚରଣ ପଟ୍ଟନାୟକଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ତାଙ୍କ ପୁତ୍ରବଧୂ ଉର୍ମିଳା ପଟ୍ଟନାୟକଙ୍କୁ ସଭା ମଞ୍ଚରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବି ରଥ ଓ ସ୍ଥାନୀୟ ସରପଞ୍ଚ ଜଗବନ୍ଧୁ ବେହେରା ପ୍ରମୁଖ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ଷେତ୍ର ପ୍ରଚାର ଅଧିକାରୀ ମନମୋହନ ପାଢ଼ୀ ପରିଚାଳନା କରିଥିଲେ । କତୁରୁ ଗ୍ରାମରେ ଚଳିତ ୨୦ ଓ ୨୧ ତାରିଖ ଦୁଇଦିନ ଧରି ସ୍ୱାଧୀନତାର ଅମୃତ ମହୋତ୍ସବ, ୭୫ ବର୍ଷରେ ଭାରତ, ସ୍ୱଚ୍ଛ ଭାରତ ଅଭିଯାନ, ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ଇତ୍ୟାଦି ବିଷୟ ଉପରେ ବ୍ୟାପକ ଜନ ସଚେତନତା କାଯର୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିବସରେ ଗ୍ରାମର ଯୁବକମାନଙ୍କୁ ନେଇ ଗ୍ରାମ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ସ୍ଥାନୀୟ ସରପଞ୍ଚ ଜଗବନ୍ଧୁ ବେହେରା ଶୁଭାରମ୍ଭ କରିଥିଲେ । ପରେ ମହିଳାମାନଙ୍କ ମଧ୍ୟରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯୁବକମାନଙ୍କୁ ନିଜ ସମାଜ ଓ ଅଞ୍ଚଳ ପ୍ରତି ସେମାନଙ୍କ ଦାୟିତ୍ୱ ଏବଂ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା । ଉଦଯାପନୀ ଦିବସରେ ଆୟୋଜିତ ସଚେତନତା ସଭାରେ ଭାରତ ସରକାରଙ୍କ ଭୁବନେଶ୍ୱର ଆଞ୍ଚଳିକ ଜନ ସମ୍ପର୍କ କାଯର୍ୟାଳୟର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବି ରଥ ଓ ଅନ୍ୟତମ ବକ୍ତା ଭାବେ ଗଣମାଧ୍ୟମ ଅଧ୍ୟାପକ ସନତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ । ଏହି ଅବସରରେ ନିର୍ଦ୍ଦେଶକ ଶ୍ରୀ ମିଶ୍ର ଉପସ୍ଥିତ ଗ୍ରାମବାସୀଙ୍କୁ ଭାରତ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳ କିଭଳି ସମାଜର ଶେଷ ଧାଡ଼ିର ବ୍ୟକ୍ତିଙ୍କ ପାଖରେ ପହଞ୍ଚି ପାରିବ ଏବଂ ପ୍ରତ୍ୟେକ ବ୍ୟକ୍ତିର ସାମାଜିକ ଓ ଅ ।ର୍ଥିକ ସ୍ତରରେ ଉନ୍ନତି ଆସିବ ସେ ଦିଗରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ସଭାକୁ ଉଦବୋଧନ ଦେଇ ଶ୍ରୀ ରଥ ତାଙ୍କ ଭାଷଣରେ ଗଞ୍ଜାମ ଜିଲାର ଅକଥିତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ କ୍ଷେତ୍ର ପ୍ରଚାର ସଂସ୍ଥା ପ୍ରୟାସ କରିଥିବାରୁ ସେ ସାଧୁବାଦ ଜଣାଇଥିଲେ । ଅନ୍ୟତମ ବକ୍ତା ଶ୍ରୀ ପଣ୍ଡା ସ୍ୱାଧୀନତା ପରଠାରୁ ବର୍ତ୍ତମାନ ପଯର୍ୟନ୍ତ ସରକାରଙ୍କ ବିଭିନ୍ନ ଉଲ୍ଲେଖନୀୟ କାଯର୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଗୀତ ଓ ନାଟକ ବିଭାଗ ତରଫରୁ ଗଞ୍ଜାମ ଜିଲାର ପ୍ରସିଦ୍ଧ ଲୋକନୃତ୍ୟ ଯୋଡ଼ିଶଙ୍ଖ ଗ୍ରାମ ପରିକ୍ରମା କରିବା ପରେ ସଭା ମଣ୍ଡପରେ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ପ୍ରତିଭାଧରମାନଙ୍କୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସନ୍ତୋଷ କୁମାର ବେହେରାଙ୍କ ଦ୍ୱାରା ପ୍ରତିଷ୍ଠିତ ଭିସାନ୍ସ ସ୍ୱେଚ୍ଛାସେବୀ ସଂଗଠନର ଶୁଭାରମ୍ଭ କରାଯାଇଥିଲା । ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜନରେ କତୁରୁ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ରହି ସହଯୋଗ କରିଥିବାରୁ କ୍ଷେତ୍ର ପ୍ରଚାର ଅଧିକାରୀ ଶ୍ରୀ ପାଢ଼ୀ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଶେଷରେ ଗ୍ରାମର ମୁରଲୀ ବେହେରାଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ଗାନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା