ଶେରଗଡ଼ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟରେ ଗତ ୨୯ ଏପ୍ରିଲ୍ରୁ ସୁରତରୁ ଆସିଥିବା ପ୍ରବାସୀମାନେ ରହିଥିଲେ । ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ବୁଧବାର ଏହି ସମସ୍ତଙ୍କୁ ଘରକୁ ଛଡ଼ାଯାଇଛି । ସେମାନେ ନିଜ ଘରେ ୭ ଦିନ କ୍ୱାରାଣ୍ଟାଇନ୍ରେ ରହିବେ । ଏଥି ନିମନ୍ତେ ଶେରଗଡ଼ ଆଦର୍ଶ ବିଦ୍ୟାଳୟରେ ଜିଲାପାଳଙ୍କ ଉପସ୍ଥିତିରେ କୋଭିଡ୍ ହିରୋ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଗତ ୨୯ରେ ପ୍ରଥମ କରି ସୁରଟରୁ ଆସିଥିବା ମୋଟ୍ ୧୧୯ ପ୍ରବାସୀ ଓଡ଼ିଆଙ୍କୁ ଆଦର୍ଶ ବିଦ୍ୟାଳୟରେ ରଖାଯାଇଥିଲା । ସେମାନଙ୍କର ଆଜି ୨୧ ଦିନ ପୂରି ଯିବା ପରେ ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ାଙ୍କ ଉପସ୍ଥିତିରେ ଜିଲାପାଳ ଘରେ ରହିବା ସହ କ୍ୱାରାଣ୍ଟାଇନ୍ ନିୟମ କାନୁନ୍ ଉପରେ କହିଥିଲେ । ଉକ୍ତ ୧୧୯ ଜଣଙ୍କୁ ନିଜ ନିଜ ପଞ୍ଚାୟତର ସରପଞ୍ଚମାନଙ୍କ ଜିମାରେ ଛଡ଼ାଯାଇଛି । ସେମାନେ କ୍ୱାରାଣ୍ଟାଇନ୍ରେ ରହୁଛନ୍ତି ନା ନାହିଁ ତଦନ୍ତ କରିବାକୁ ପଞ୍ଚାୟତର ସରପଞ୍ଚମାନଙ୍କୁ କୁହାଯାଇଛି । ଜିଲାପାଳ ଆଦର୍ଶ ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିବା ସହ କିଛି କ୍ୱାରାଣ୍ଟାଇନ୍ କେନ୍ଦ୍ର ପରିଦର୍ଶନ କରି ଫେରିଛନ୍ତି । ଏହି ସମୟରେ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ, ସହକାରୀ ଯନ୍ତ୍ରୀ ମହୀନ୍ଦ୍ର କୁମାର ଷଡ଼ଙ୍ଗୀଙ୍କ ସମେତ ଆୟୁଷ ଚିକିତ୍ସକ ଡ.ମନ୍ମଥ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତଙ୍କୁ ଛାଡ଼ିବା ସମୟରେ କରୋନା ଟେଷ୍ଟ କରି ଛଡ଼ାଯାଇଛି । ୧୧୯ ଜଣଙ୍କ ନମୁନା ନେଗେଟିଭ୍ ଆସିଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବିଦାୟ ବେଳେ ପ୍ରବାସୀ ମାନଙ୍କ ସହ ଅ।ଲୋଚନା କରିଥିଲେ ।
ରିପୋର୍ଟ : ବିପ୍ଳବ ସେଠି