ଜଳେଶ୍ୱର (ସମୃଦ୍ଧ ଓଡିଶା) ପୂର୍ବତଟ ରେଳପଥର ହରିଦାସପୁର ନିକଟରେ ନନ୍ ଇଣ୍ଟର ଲକିଂ କାମ ଚାଲୁଥିବାରୁ ହାଉଡାପୁରୀ ପାସେଞ୍ଜର ୫୮୦୦୧ ଓ ଖଡଗପୁର-ଖୋର୍ଦ୍ଦାରୋଡ ଫାଷ୍ଟ ପାସେଞ୍ଜର ୫୮୦୦୫ ସେପ୍ଟେମ୍ବର ୩୦ଠାରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାତିଲ କରାଯାଇଥିଲା । ମାତ୍ର ଦୁର୍ଗାପୂଜା ସମୟରେ ଏହି ୨ଟି ପାସେଞ୍ଜର ଟ୍ରେନ ୪ଦିନ ପାଇଁ ବାତିଲ କରାଯାଇଥିବାରୁ ଯାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଜଳେଶ୍ୱର ରେଳ ୟୁଜର୍ସ କମିଟି ସଭାପତି ସୁକୁମାର ରଣା ଗାଡେନ୍ରିଚ୍ ସ୍ଥିତ ଦକ୍ଷିଣପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଓ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଯେ କୌଣସି ଗୋଟିଏ ଟ୍ରେନକୁ ଚଳାଇବା ପାଇଁ ଦାବି କରିଥିଲେ । ଶେଷରେ ରେଳ ବିଭାଗ ପକ୍ଷରୁ ଆସନ୍ତା ଅକ୍ଟୋବର ୧ ତାରିଖ ଠାରୁ ୩ ତାରିଖ ପର୍ଯ୍ୟନ୍ତ ଖଡଗପୁର-ଖୋର୍ଦ୍ଦାରୋଡ ଫାଷ୍ଟ ପାସେଞ୍ଜର ଖୋର୍ଦ୍ଦା ପରିବର୍ତ୍ତେ ଖଡଗପୁରରୁ ସୋର ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟରେ ଚାଲିବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା