ଛତ୍ରପୁର (ସମୃଦ୍ଧ ଓଡିଶା) ଲହୁ ଲୁହାଣ ହେବାପରେ ଗଞ୍ଜାମ ପୋଲିସ୍ କୁ ମିଳିଛି ଏବେ ବଡ଼ ସଫଳତା । ଖଲ୍ଲିକୋଟ ବଡ଼ଘାଟିରେ ଗତ ୪ ତାରିଖରେ ଏକ ମଦ ବୋଝେଇ ଟ୍ରକ୍ ଲୁଟ୍ ହୋଇଥିଲା । ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସକୁ ନାକେଦମ କରି ଦେଇ ଥିଲା । ବ୍ୟାପକ ଖୋଳତାଡ ପରେ ଏହି ଘଟଣାରେ ପୋଲିସ ଆଜି ୧୦ ଜଣଙ୍କୁ ଗିରଫ କରିପାରିଛି । ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଅନନ୍ତ କୁମାର ମାଛୁଆ(ମଣି)କୁ ପୋଲିସ୍ ପ୍ରତି ଆକ୍ରମଣରେ ଆହତ କରିଥିବା ବେଳେ ଅନ୍ୟ ୯ ଜଣକୁ ମଧ୍ୟ ଗିରଫ କରି ପୋଲିସ ପ୍ରଶାସନକୁ ଚକିତ କରିଦେଇଛି । ହେଲେ ଗିରଫ ହୋଇଥିବା ବ୍ୟକ୍ତିମାନେ ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାର ବୋଲି ଚିହ୍ନଟ କରା ଯାଇ ପାରିଛି । ତେବେ ଲୁଟ୍ ହୋଇ ଥିବା ଟ୍ରକରେ ୩୪ ଲକ୍ଷ ଟଙ୍କାର ମଦ ବୋଝେଇ ହୋଇଥିଲା କିନ୍ତୁ ସେଥିରୁ ପ୍ରାୟ ୧୭ ଲକ୍ଷ ଟଙ୍କାର ମଦ ସହ ଟ୍ରକ୍ କୁ ପୋଲିସ ଜବତ କରିଛି। ଆଉ ୧୭ ଲକ୍ଷ ଟଙ୍କାର ମଦ କୁଆଡେ ଗଲା ବୋଲି ପ୍ରଶ୍ନ ଉଠିଥିବା ବେଳେ ଏହି ଡ଼କାୟତି ଘଟଣାରେ ବ୍ୟବହୃତ ହୋଇଥିବା ଗୋଟିଏ ଇନୋଭା କାର୍ ,ଗୋଟିଏ ବନ୍ଧୁକ, ଗୋଟିଏ ମିନିଟ୍ରକକୁ ମଧ୍ୟ ପୋଲିସ ଜବତ କରିଛି । ତଦନ୍ତରେ ଜଣା ପଡିଛି ଏଥିରେ ଆହୁରି ୨ ଜଣ ସମ୍ପୃକ୍ତ ଅଛନ୍ତି । ସେମାନେ ଫେରାର୍ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଲୁଟ୍ ହୋଇଥିବା ମଦ ବୋଝେଇ ଟ୍ରକ୍ ଗୋପାଳପୁର ଠାରୁ କଟକ ନିକଟସ୍ଥ ନିର୍ଗୁଣ୍ଡି ମଦ ନିଗମ ଡ଼ିପୋକୁ ଯାଉଥିଲା । ଖଲ୍ଲିକୋଟ ବଡ଼ଘାଟିରେ ଡ଼କାୟତ ଗ୍ୟାଙ୍ଗର ଶିକାର ହୋଇଥିଲା ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା