ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ବସନ୍ତ ନିବାସ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଜିଲ୍ଲାପାଳଙ୍କ ସମେତ ବହୁ ପଦାଧିକାରୀ ଅଂଶ ଗ୍ରହଣ କରି ବୃକ୍ଷ ରୋପଣ କରିଥିଲେ । ଏସଂକ୍ରାନ୍ତୀୟ ଜନସାଧାରଣଙ୍କୁ ସୁସ୍ଥ ସମାଜର ଆହ୍ୱାନ ନେଇ ଏକ ବିଶାଳ ସାଇକେଲ ରାଲିକୁ ଜିଲ୍ଲାପାଳ ଅନୁପମ ସାହା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସାଇକେଲ ରାଲି ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ଗାନ୍ଧୀ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା । ସେଠାରେ ଜିଲ୍ଲାପାଳ, ବିଧାୟକ, ଆରକ୍ଷୀ ନିରୀକ୍ଷକ ପ୍ରମୁଖ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ପରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ ପରିସରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଯୁବ ସମାବେଶ ଗାନ୍ଧୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ସୁସ୍ଥ ସମାଜ ଗଠନ ଦିଗରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏହି ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ଗାନ୍ଧିଜୀଙ୍କ ଜୀବନୀ ଆଧାରିତ କବିତା ପାଠ ଚକ୍ର ଅନୁଷ୍ଠିତ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସମସ୍ତ କାର୍ଯ୍ୟ ପୈାରହିତ୍ୟ କରାଯାଇଥିଲା । ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପୈାରପରିଷଦ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଜଣାଯାଇଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା