ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୩୨ ଦିନ ଧରୀ ରାଇବଣିଆ ଅଂଚଳ ହାତୀ ଆତଙ୍କରେ ଭୟଭୀତ ହୋଇ ରହିଥିବା ଅଧିବାସୀମାନଙ୍କୁ ସୁରକ୍ଷା ଯୋଗାଇବା ଲାଗି ବନବିଭାଗ ପକ୍ଷରୁ ଅପରେସନ ଗଜରାଜ ପ୍ରଥମ ରାତିରେ ବିଶେଷ ଫଳପ୍ରଦ ହୋଇପାରିନାହିଁ । ୫ଟି ଦଳରେ ବିଭକ୍ତ ହୋଇ ହାତୀଗୁଡିକ ଆମ୍ବଶୋଳା, କାଲାଯୋଡି, ରଙ୍ଗାମାଟିଆ, ବାଡେଡିହି, ଧାନଘେରା, ସୁଖଯୋଡି, ଦୁଧିଆଖାଳି, ଆମ୍ବନାଳି, ବାହାରଗଡ, ବାଉଁଶବଣୀ ଜଙ୍ଗଲ ଅଞ୍ଚଳରେ ବୁଲୁଥିବାରୁ ଗତରାତିରେ ବନବିଭାଗ ସମସ୍ତଙ୍କୁ ଏକତ୍ରୀତ କରିବାରେ ବିଫଳ ହୋଇଥିଲା । କିନ୍ତୁ ଆଜି ବନବିଭାଗର ଅଧିକ କର୍ମଚାରୀ ସେଠାରେ ଡେରା ପକାଇ ଦିନତମାମ ସମସ୍ତ ହାତୀ ଗୁଡିକୁ ଏକତ୍ରୀତ କରିବାରେ ପ୍ରଚେଷ୍ଟା ଜାରି ରଖିଛନ୍ତି । ସନ୍ଧ୍ୟାରେ ଏହା ସଫଳ ହେଲେ ୧୮ଟି ହାତୀକୁ ପଶ୍ଚିମବଙ୍ଗ ଅଞ୍ଚଳକୁ ପଠାଇବାରେ ବନବିଭାଗ ସଫଳ ହେବେ ବୋଲି ଆଜି ଜଳେଶ୍ୱର ରେଞ୍ଜର ସରୋଜ କୁମାର ମହାନ୍ତି ଓ ଏସ୍ସିଏଫଓ ତପନ କୁମାର ପରିଡା ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଗତ ଶନିବାର ସଂଧ୍ୟାରେ ବାଲେଶ୍ୱର ଡିଏଫଓଙ୍କ ନେତୃତ୍ୱରେ ୭ଟି ଟିମ୍ ଗଠିତ ହୋଇଥିଲା । ନିଜେ ଡିଏଫଓ, ରେଞ୍ଜର ସରୋଜ ମହାନ୍ତି, ଦେବେନ୍ଦ୍ର କୁମାର ପାତ୍ର, ଫରେଷ୍ଟର ତପନ ସିଂ, ଫରେଷ୍ଟ ଗାର୍ଡ ମନୋହର ସିଂ, ପ୍ରହଲ୍ଲାଦ ନାୟକ, ଅଞ୍ଜନ ଦାସଙ୍କ ସହିତ କୁଳଡିହା, ନୀଳଗିରିର ବନ୍ୟ କର୍ମଚାରୀ, ବରଡିହାର ସବୁଜ ବାହିନୀ, ଓଲମରାର ହାତୀ ସୁରକ୍ଷା ବାହିନୀକୁ ନେଇ ଜଙ୍ଗଲର ଚାରିପଟୁ ଘେରି ରହିଥିଲେ । ଆଜି ଦିନରେ ହାତୀ ଗୁଡିକ ଆମ୍ବଶୋଳା, କାଲାଯୋଡି, ରଙ୍ଗାମାଟିଆ ଜଙ୍ଗଲରେ ରହିଛନ୍ତି । ବନବିଭାଗ କର୍ମଚାରୀ ମାଜିଷ୍ଟ୍ରେଟ ତଥା ଭୋଗରାଇର ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ ପୋଲିସ୍ ଫୋସ୍ ସହିତ ଶ୍ୟାମନଗର ବିଟ୍ ହାଉସ୍ରେ ଉପସ୍ଥିତ ଅଛନ୍ତି । ସଂଧ୍ୟା ପୂର୍ବରୁ ହାତୀଗୁଡିକୁ ଏକାଠି କରିବା ପ୍ରଚେଷ୍ଟା ଜାରି ରହିଛି । ଏଥିରେ ସଫଳ ହେଲେ ରାତିରେ ସର୍ଚ୍ଚ ଟର୍ଚ୍ଚ ପକାଇ ଆବଶ୍ୟକ ସ୍ଥଳେ ବାଣ ଫୁଟାଇ ହାତୀ ତଡାଯାଇପାରିବ ବୋଲି ସେମାନେ ସୂଚନା ଦେଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା