ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଛତ୍ରପୁର ସ୍ଥିତ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ପତାକା ଦେଖାଇ ତିନିଗୋଟି ବିକାଶ ରଥର ଶୁଭାରମ୍ଭ କରିଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ କାର୍ଯ୍ୟକାରୀ କରାଯାଉଥିବା ଓଡିଶା ଜୀବିକା ମିଶନ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଶକ୍ତି ଗାଁ ଯୋଜନା, ସ୍ୱଚ୍ଛ ଓଡିଶା, ପାନୀୟଜଳ, ଫାଇବ ଟି ଆଧାରରେ ସେବା ପ୍ରଦାନ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ଏବଂ ଅନ୍ୟାନ୍ୟ ବିକାଶମୁଖୀ କାର୍ଯ୍ୟ ପ୍ରଭୃତି ୯ ଗୋଟି ଜନାଭିମୁଖୀ ଯୋଜନାର ଆବଶ୍ୟକତା ଓ କାର୍ଯ୍ୟକାରିତା ବାବଦରେ ଏହି ରଥ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ । ଜିଲ୍ଲାର ୫୦୩ ଗୋଟି ଗ୍ରାମ ପଞ୍ଚାୟତରେ ପହଞ୍ଚି ସେଠାରେ ଲୋକଙ୍କୁ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ଏହି ଯୋଜନା ଗୁଡିକର କାର୍ଯ୍ୟକାରିତା ଓ ସହଭାଗିତା ବାବଦରେ ପ୍ରଶିକ୍ଷିତ କରାଇବ । ଯେଉଁ ହିତାଧିକାରୀମାନେ ଏଥିରୁ ବଞ୍ଚିତ ହେଉଛନ୍ତି, ସେମାନଙ୍କୁ ସାମିଲ କରିବା ପାଇଁ ବିକାଶ ରଥ ମାଧ୍ୟମରେ ଆହ୍ୱାନ କରାଯିବ । ଉପାନ୍ତ ଅଞ୍ଚଳକୁ ଅଧିକ ପ୍ରାଧାନ୍ୟ ଦେବା ପାଇଁ ଅଧିଗ୍ରହିତା ସଂସ୍ଥା ଏକଜୋଟିକ ସାଇନେଜକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ସହିତ ଅନ୍ୟାନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନରେ ବିକାଶ ରଥ ପ୍ରଦର୍ଶନ ଜାରି ରଖିବ । ଜନସଚେତନତାର ବିକାଶ ରଥ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଅଧିକାରୀ ଆଶା ବ୍ୟକ୍ତ କରିଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା