ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ସଫଳତାର ସହିତ କରୋନା ଭାଇରସ୍ ମହାମାରୀକୁ ମୁକାବିଲା କରାଯାଉଛି । ନୂଆ ସଂକ୍ରମଣ ରୋକିବା ଆମ ପାଇଁ ଚ୍ୟାଲେଞ୍ଜ ହେବ । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି । ଏବେ ଜିଲ୍ଲାରେ ‘ମିଶନ ଜିରୋ ଆକ୍ଟିଭ୍ କେସ୍’ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଆରମ୍ଭରୁ ୨ଟି ବ୍ଲକରେ ଏହି କାମ ପାଇଁ ପଦକ୍ଷେପ ନିଆଯିବ । ମୁକାବିଲା କେମିତି ହେବ, ସେନେଇ ଆଗାମୀ ସପ୍ତାହରେ ଏବାବଦରେ ଅଧିକ ସୂଚନା ଦିଆଯିବ । ସ୍ଥାନୀୟ ଟାଉନ୍ ହଲ୍ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଛନ୍ତି, ଏବେ ଦିନକୁ ୯ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ନମୁନା ପରୀକ୍ଷା କରୁଛୁ । ଜିଲ୍ଲାରେ ସୁସ୍ଥତା ହାର ୮୭ ପ୍ରତିଶତରେ ପହଞ୍ଚିଛି । ପୂର୍ବରୁ ଏହା ୬୦ ପ୍ରତିଶତ ଥିଲା । ଜିଲ୍ଲାପାଳ କହିଛନ୍ତି, ଆମ ପାଇଁ ଏବେ ୨ଟି ବଡ଼ ଚ୍ୟାଲେଞ୍ଜ ହୋଇଛି ମୃତ୍ୟୁ ହାର କମାଇବା ଏବଂ ବହୁରୋଗରେ ପୀଡ଼ିତ ଥିବା ଆକ୍ରାନ୍ତଙ୍କ ଜୀବନ ବଂଚାଇବା । ଜିଲ୍ଲାରେ କେମିତି ନୂଆ ସଂକ୍ରମଣ ହେବନି, ସେଥିପାଇଁ କାମ କରିବାକୁ ପଡ଼ିବ । ସୀମା ଉପରେ ନଜର ରଖିବାକୁ ହେବ । ଏପର୍ଯ୍ୟନ୍ତ ବ୍ରହ୍ମପୁର କେହି ଆସିପାରୁ ନଥିଲେ । କିନ୍ତୁ ବ୍ରହ୍ମପୁର ସୀମା ସିଲକୁ ସୋମବାର ଠାରୁ ହଟାଇ ଦିଆଯିବ । ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧି ଲୋକେ ବ୍ରହ୍ମପୁର ଆସିପାରିବେ । ବ୍ରହ୍ମପୁରରେ ସକାଳ ୫ଟାରୁ ରାତି ୮ଟା ଯାଏଁ ଦୋକାନ-ବଜାର ଖୋଲା ରହିବ । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି, ଜିଲ୍ଲାରେ ଏପର୍ଯ୍ୟନ୍ତ ୧୫ ହଜାର ୮୬୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୩ ହଜାର ୭୭୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ୧୯୩୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ୧୭୦ ଜଣଙ୍କର ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲାରେ ଭିତ୍ତିଭୂମି ନେଇ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି, ଏବେ ଘରକୁ ଘର ଯାଇ ନମୁନା ସଂଗ୍ରହ କରାଯାଉଛି । ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ମିଳୁଛି। ପ୍ଲାଜମା ସଂଗ୍ରହ, ପ୍ଲାଜମା ଦାନକୁ ଗୁରୁତ୍ୱ ଦିଆଯାଉଛି । ଏପର୍ଯ୍ୟନ୍ତ ୧୦୦ ଜଣ ପ୍ଲାଜମା ଦାନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିରୁ ୪୨ ଜଣ ପ୍ଲାଜମା ଦାନ କରିଛନ୍ତି । ଏହା ସଫଳ ହୋଇଛି । ଗଂଜାମର ସ୍ୱାସ୍ଥ୍ୟଟିମ୍ ଡାକ୍ତର, ନର୍ସ, ପାରାମେଡିକାଲ, ଆଶା, ଅଙ୍ଗନବାଡ଼ି ଦିଦିମାନେ ପ୍ରଶଂସନୀୟ କାମ କରୁଛନ୍ତି । ଗଣେଶ ପୂଜାରେ ଗହଳି କରିବା ନାହିଁ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲାବାସୀ ତାରାତାରିଣୀ ଯାତ୍ରା ଠାରୁ ଯେଉଁଭଳି ସହଯୋଗ କରୁଛନ୍ତି, ଆଗକୁ ମଧ୍ୟ ଏହା ଜାରି ରଖନ୍ତୁ । ସର୍ବସାଧାରଣରେ ଗଣେଶ ପୂଜା କରନ୍ତୁ ନାହିଁ । ଘରେ ଗଣେଶ ପୂଜା କରନ୍ତୁ । ଗଣେଶ ପୂଜା ନେଇ ବ୍ରହ୍ମପୁର କମିସନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି, ଦୋକାନ ଗୁଡ଼ିକରେ ମୂର୍ତ୍ତି ବିକ୍ରି ହେଉଛି । ଦୋକାନରେ ବଡ଼ ମୂର୍ତ୍ତି ବିକ୍ରିକୁ ବାରଣ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ଲୋକେ ପୂଜା କରିପାରିବେ । ପୂଜାରୀ ଏବଂ ବ୍ରହ୍ମପୁରବାସୀ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ସେ ଅପିଲ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା