ଗଞ୍ଜାମରେ ପ୍ରତିଷ୍ଠା ହେବ ଗାଁ ମେସିନ ବ୍ୟାଙ୍କ…

ଛତ୍ରପୁର (ସମୃଦ୍ଧ ଓଡିଶା) କୃଷିର ଯାନ୍ତ୍ରିକ କରଣ ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରଶାସନ ତରଫରୁ ଗାଁ ମେସିନ ବ୍ୟାଙ୍କ ପ୍ରତିଷ୍ଠା କରାଯିବା ନେଇ ସୂଚନା ମିଳିଛି । ଏଥିପାଇଁ ଆହୂତ ଏକ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ରୁପରଖ ପ୍ରସ୍ତୁତ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଏହା ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର ସବଡିଭିଜନର ଗୋଟିଏ ଲେଖାଏଁ ପଞ୍ଚାୟତରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ । ଏହି ମେସିନ ବ୍ୟାଙ୍କରେ ବୃହତ କୃଷି ଯନ୍ତ୍ରପାତି ଯଥା କମ୍ବାଇନ ହାର୍ଭେଷ୍ଟର, ଜେସିବି ମେସିନ, ଟ୍ରାକ୍ଟର, ପାୱାର ଟିଲର, ଧାନରୁଆ ମେସିନ ଠାରୁ ଆରମ୍ଭ କରି କ୍ଷୁଦ୍ର ସରଞ୍ଜାମ ଗଚ୍ଛିତ ରହିବ । ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ଏହାର ଦାୟିତ୍ୱରେ ରହିବେ । ଏହା ଚାଷୀଙ୍କୁ କୌଣସି ଲାଭ ଜନକ ଉଦ୍ଦେଶ୍ୟ ନରଖି ସହାୟତା ଉଦ୍ଦେଶ୍ୟରେ କାର୍ଯ୍ୟ କରିବ । ଅନ୍ୟ ପକ୍ଷରେ ଏହା କୃଷି ଯନ୍ତ୍ରପାତିର ପ୍ରଦର୍ଶନ କ୍ଷେତ୍ର ଭାବରେ କାର୍ଯ୍ୟ କରିବା ଯାହାଦ୍ୱାରା ଚାଷୀମାନେ ଉପଯୋଗୀତା ଜାଣିଲା ପରେ ନିଜେ କ୍ରୟ କରିବାକୁ ଆଗ୍ରହୀ ହେବେ । ଏଥିପାଇଁ କୃଷି ବିଭାଗର ସବସିଡ଼ି ଅର୍ଥ ଓ ସମବାୟ ବ୍ୟାଙ୍କରୁ ଋଣ ସହାୟତା ନିଆଯିବ । ଜିଲ୍ଲାପାଳ ଏହି ମର୍ମରେ କୃଷି ବିଭାଗକୁ ପ୍ରସ୍ତାବ ପତ୍ରାଳାପ କରିବେ । ବିଭାଗୀୟ ସ୍ୱୀକୃତି ନ ମିଳିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନିଜସ୍ୱ ଆର୍ଥିକ ସମ୍ବଳରୁ ଏହାକୁ କାର୍ଯ୍ୟକାରି କରିବ । ଚଳିତ ଖରିଫ ଋତୁରେ ଏହି ବ୍ୟାଙ୍କ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, କୃଷି ଉପନିର୍ଦ୍ଦେଶକ ମନୋଜ କୁମାର ବେହେରା, ଉଦ୍ୟାନ ଉପ ନିର୍ଦ୍ଦେଶକ ଦିଗମ୍ବର ପଣ୍ଡା, ସମବାୟ ଉପନିବନ୍ଧକ ବିଶ୍ୱ ରଞ୍ଜନ ଦାଶ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା