ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମରେ ବାଲି ମାଫିଆଙ୍କ ଚୋରା ଚାଲାଣକୁ ନେଇ ଘଟିଥିବା ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ବିଜେପି ଟିମ । ସୂଚନା ଅନୁଯାଇ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା କୋଳିଦାସପୁର ବେଆଇନ ବାଲି ଚାଲାଣ ଗାଡି ପୋଡି ଘଟଣାରେ ଥାନାରେ କିଛି ଲୋକଙ୍କୁ ଅଟକ ରଖିବା ପରେ ସେମାନଙ୍କୁ ଛାଡିବା ପାଇଁ ଦାବୀ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବହୁ ଗ୍ରାମବାସୀ । ଏଥିରେ ପୋଲିସ ପକ୍ଷରୁ ଲାଠି ମାଡ଼ ମଧ୍ୟ କରାଯାଇଥିଲା । ଏହାପରେ ଏହି ଘଟଣାର ଅନୁଧ୍ୟାନ ପାଇଁ ରାଜ୍ୟ ବିଜେପିର ଏକ ୧୧ଜଣିଆ ଟିମ୍ ତଥା ସତ୍ୟ ଅନୁସନ୍ଧାନକାରୀ ଟିମ୍ ଆଜି କୋଳିଦାସପୁର ଗ୍ରାମରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ଋଷିକୂଲ୍ୟା ନଦୀ ପଠା ପରିଦର୍ଶନ କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କୁ ସାକ୍ଷାତ କରିଥିଲେ । ଯଥାଶୀଘ୍ର ସ୍ଥାନୀୟ ଅଞ୍ଚଳରେ ବେଆଇନ ବାଲି ଚାଲାଣକୁ ରୋକିବା ପାଇଁ ପଦକ୍ଷେପ ନେବା ସହିତ ବାଲି ଚୋରା ଚାଲାଣ କରୁଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ଦାବୀ କରିଛନ୍ତି । ଗଞ୍ଜାମରୁ ଚୋରା ଚାଲାଣ କରି ବିଭିନ୍ନ ପଥ ଜରିଆରେ ମଧ୍ୟ ମାଫିଆ ମାନେ ବାହାରଦେଶକୁ ପଠାଉଛନ୍ତି । କିନ୍ତୁ ଏହି ଚୋରା ଚାଲାଣକୁ ରୋକିବା ସଂପୂର୍ଣ୍ଣ ବିଫଳ ଜିଲ୍ଲାପ୍ରଶାସନ ଓ ପୋଲିସ ବୋଲି କହିଛି ଏହି ଟିମ୍ । ତୁରନ୍ତ ଏନେଇ ପୋଲିସ ଓ ପ୍ରଶାସନ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଅନ୍ଦୋଳନକୁ ଆହୁରୀ ତୀବ୍ରତର କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି । ଏହାସହ ଜିଲ୍ଲାପ୍ରଶାସନ ଜାଣିଶୁଣି ରାଜସ୍ୱ ହାନି କରୁଛି ବୋଲି କୁହାଯାଇଛି । ଜିଲ୍ଲାର ବିଭିନ୍ନ ନଦୀ ପଠାରୁ ବାଲି ଉତ୍ତୋଳନ ନେଇ ବର୍ଷକୁ ୨କୋଟି ରାଜସ୍ୱ ଆଦାୟ କରୁଛି ପ୍ରଶାସନ । ମାତ୍ର ପ୍ରତ୍ୟେକ ଦିନ ଅନ୍ତତଃ ୨କୋଟି ଟଙ୍କା ଆଦାୟ କରିବା କଥା ପ୍ରଶାସନ ବାଲି ଉତ୍ତୋଳନରୁ । ପ୍ରଶାସନ ବାଲି ମାଫିଆଙ୍କ ମଧୁ ଚନ୍ଦ୍ରିକାରେ ଏପରି ବାଲି ମାଫିଆ ମାନଙ୍କୁ କୋଟି କୋଟି ଟଙ୍କାର ମୁନାଫା ମିଳୁଛି ବୋଲି ଏହି ଟିମ୍ କହିଛନ୍ତି । ଜିଲ୍ଲାର କେଉଁ କେଉଁ ଅଂଚଳରେ ବାଲି ଉତ୍ତୋଳନ ହେଉଛି କେତେ ପରିମାଣରେ ଦୈନିକ ଉତ୍ତୋଳନ କରାଯାଉଛି ତାହାର ମଧ୍ୟ ତଥ୍ୟ ମାଗିଛି ଏହି ଟିମ୍ । ଆଜି ଜିଲ୍ଲାପାଳ ଓ ଏସପିଙ୍କୁ ସାକ୍ଷାତ ବେଳେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସି ପାତ୍ରଙ୍କ ସମେତ ରାଜ୍ୟ ଉପ ସଭାନେତ୍ରୀ ଅନିତା ଶୁଭଦର୍ଶନୀ, ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର, ବିଜୟ କୁମାର ସ୍ୱାଇଁ, ରଂଜନ ପଲାଇ ଓ ନୀଳମଣି ବିଷୋୟୀ, ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ ପ୍ରମୋଦ ପଣ୍ଡା, ରଞ୍ଜନ ରାଉତ, ଅନୀଲ ପଣ୍ଡା ଓ ଛତ୍ରପୁର ବିଜେପି ମଣ୍ଡଳ ସଭାପତି ସଂଜିତ୍ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ । ପୁର୍ବରୁ ବୁଧବାର ପୂର୍ବାହ୍ନରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମିର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଉପସଭାପତି ତଥା ଦଳର ମୁଖପାତ୍ର ଭୃଗୁ ବକ୍ସି ପାତ୍ରଙ୍କ ନେତୃତ୍ୱରେ ୧୧ ଜଣିଆ ପ୍ରତିନିଧି ଦଳ କୋଳିଦାସପୁର ଗ୍ରାମରେ ପହଞ୍ଚି ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଗ୍ରାମବାସୀଙ୍କ ସହ ଘଟଣା ନେଇ ଆଲୋଚନା କରିଥିଲେ । ବିନା ଲିଜରେ ୠଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ମାଫିଆ ମାନେ ଜୋର ଜବରଦସ୍ତ ବାଲି ଉତ୍ତୋଳନ କରି ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ରାଜସ୍ୱ ଓ ପୋଲିସ ପ୍ରଶାସନ ନିରବ ସାଜିଛି । ଉଠା ଜଳସେଚନ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଲାଗି ରହିଥିଲେ ମଧ୍ୟ ପ୍ରଶାସନ ନିଦା ବିଷ୍ଣୁ ସାଜିଛି । ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ବାଲି ମାଫିଆଙ୍କ ସହ ସଲାସୁତୁରା କରି ନିରୀହ ଗ୍ରାମବାସୀଙ୍କୁ ଜୋର ଜବରଦସ୍ତ ଥାନାରେ ଅଟକ ରଖିବା ଏବଂ ପ୍ରଶାସନିକ କଳ ଲଗାଇ ଲାଠି ଚାର୍ଜ କରିବା ଘଟଣାକୁ ଦଳ ପକ୍ଷରୁ ତିବ୍ର ନିନ୍ଦା କରାଯାଇଥିଲା । ଚୋରା ବାଲି ଗାଡ଼ି ଗୁଡ଼ିକ ଯାତାୟତ ସକାଶେ ସାଧାରଣ ଗରୀବ ଲୋକଙ୍କ ଚାଷ ଜମି ଉପରେ ବେଆଇନ ଭାବେ ରାସ୍ତା ତିଆରି କରାଯାଉଛି । ଏହାକୁ ବିରୋଧ କଲେ ଜେଲ ଭୟ ଦେଖାଯାଉଛି ବୋଲି କିଛି ଗ୍ରାମବାସୀ ବୁଧବାର ପ୍ରତିନିଧି ଦଳର କର୍ମକର୍ତ୍ତାଙ୍କୁ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ କୋଳିଦାସପୁର ଗ୍ରସ୍ତ କାର୍ଯ୍ୟକ୍ରମ ଶେଷ କରି ଗଞ୍ଜାମ ଜିଲ୍ଲାପାଳ ଓ ଗଂଜାମ ଏସପିଙ୍କ ସହ ଘଟଣା ନେଇ ଆଲୋଚନା କରିିଥିଲେ । ପ୍ରକାଶ ଯୋଗ୍ୟ ଯେ, ହିଞ୍ଜିଳି ଥାନା କୋଳିଦାସପପୁର ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚାଲାଣକୁ କେନ୍ଦ୍ର କରି ଶୁକ୍ରବାର ବିଳମ୍ବିତ ରାତିରେ ବାଲି ମାଫିଆ ଓ ଗ୍ରାମବାସୀଙ୍କ ମଧ୍ୟରେ ତୁମୁଳକାଣ୍ଡ ଘଟିଥିଲା । ଘଟଣା ପରେ ବାଲି ମାଫିଆ ମାନେ ଭୟରେ ଘଟଣା ସ୍ଥଳରୁ ଫେରାର ହେବା ପରେ କିଛି ଦୁର୍ବୁତ୍ତ ନଦୀ ନିକଟରେ ଥିବା ୨ ମୋଟର ସାଇକେଲ, ଗୋଟିଏ ଟ୍ରାକ୍ଟର, ୩ଟି ଟ୍ରକକୁ ନିଆଁ ଲଗାଇ ଦେବା ସହ ଏକ ଜେସିବି ମେସିନକୁ ଭଙ୍ଗାରୁଜା କରିଥିଲେ । ଏହି ଘଟଣା ନେଇ ରାମକୃଷ୍ଣ ବରଡ଼ଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ-୨୮୯/୨୦ରେ ଏକ ମାମଲା ରୁଜୁ କରି ପୋଲିସ ସଂପୃକ୍ତ ଗ୍ରାମର ୫ଜଣଙ୍କୁ ଥାନାରେ ଅଟକ ରଖିଥିଲା । ରବିବାର ସକାଳେ ସଂପୃକ୍ତ ଗ୍ରାମର ଶତାଧିକ ଲୋକେ ଥାନାରେ ଅଟକ ବ୍ୟକ୍ତିଙ୍କୁ ମୁକ୍ତ କରିବା ଓ ବାଲି ମାଫିଆଙ୍କୁ ଗିରଫ କରିବା ଦାବି ନେଇ ହିଞ୍ଜିଳି ଥାନା ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ । ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ସକାଶେ ପୋଲିସ ପ୍ରଶାସନ ପକ୍ଷରୁ ଲାଠି ଚାର୍ଜ କରାଯାଇଥିଲା । ପୋଲିସର ଲାଠି ଚାର୍ଜରେ ୧୦ରୁ ଉର୍ଦ୍ଧ୍ୱ ବିକ୍ଷୋଭକାରୀ ଆହତ ହୋଇଥିଲେ । ପରେ ଗ୍ରାମର ଭଦ୍ରବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀଙ୍କ ସହମତିରେ ଆଲୋଚନା କରାଯାଇ ଥାନାରେ ଅଟକ ୫ ଜଣଙ୍କୁ ୪୧ ସିଆରପିସିରେ ମୁକ୍ତ କରାଯାଇଥିଲା । ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ରାଜନୈତିକ ବିବାଦ ଉପୁଜିବାରେ ଲାଗିଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା