ଗଞ୍ଜାମରେ ବିନା ଅନୁମତିରେ ଚାଲିଛି ୨୫୦ଟି ଘରୋଇ ବିଦ୍ୟାଳୟ:ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଗଞ୍ଜାମରେ ବିନା ଅନୁମତିରେ ୨୫୦ଟି ଘରୋଇ ବିଦ୍ୟାଳୟ ଚାଲିଥିବା ସୂଚନା ମିଳିଛି । ବିଦ୍ୟାଳୟ ଅଛି, ପିଲା ପାଠ ପଢୁଛନ୍ତି । ହେଲେ ଶିକ୍ଷା ଅଧିକାର ଆଇନ ପାଳନ ହେଉନାହିଁ । କେଉଁଠି ତାଲିମପ୍ରାପ୍ତ ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଶୌଚାଳୟ ବା ଖେଳ ପଡିଆ ନାହିଁ । ଏହିଭଳି ଗଞ୍ଜାମ ଜିଲ୍ଲାର ୨୫୦ଟି ଘରୋଇ ପ୍ରାଥମିକ ବିଦ୍ୟାଳୟ ଚିହ୍ନଟ କରାଯାଇଛି । ସାର୍ଟିଫିକେଟ ଅଫ କଗନାଇଜେସନ (ସିଓଆର) ପାଇନଥିବା ଏହି ୨୫୦ଟି ବିଦ୍ୟାଳୟରେ ପିଲାଙ୍କ ନାମ ନଲେଖାଇବାକୁ ଶିକ୍ଷା ବିଭାଗ ପକ୍ଷରୁ ଅଭିଭାବକଙ୍କୁ ସଚେତନ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି ଜିଲ୍ଲାର ୨୨ଟି ବ୍ଲକ ସମେତ ବ୍ରହ୍ମପୁର, ଭଞ୍ଜନଗର, ଛତ୍ରପୁର ଭଳି ସହରରେ ମୋଟା ୪୮୧ଟି ଘରୋଇ ପ୍ରାଥମିକ ବିଦ୍ୟାଳୟ ରହିଛି । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପବ୍ଲିକ ସ୍କୁଲ, ଇଂରାଜୀ ମିଡିୟମ ସ୍କୁଲ, ରେସିଡେଣ୍ଟିଆଲ ସ୍କୁଲ ନାମରେ ଏହି ସ୍କୁଲ ସବୁ ପରିଚାଳିତ ହେଉଛି । ଗୋଟିଏ ଘରୋଇ ବିଦ୍ୟାଳୟ ପରିଚାଳନା କରିବାକୁ ହେଲେ ଜିଲ୍ଲା ଶିକ୍ଷା ବିଭାଗ ଠାରୁ ପୂର୍ବରୁ ବର୍ଷକୁ ଥରେ ନୋ ଅବଜେକ୍ସନ ସାର୍ଟିଫିକେଟ ମିଳୁଥିବା ବେଳେ ୨୦୧୭ ଠାରୁ ୫ ବର୍ଷୀୟା ଅନୁମତି ତଥା ସିଓଆର ପ୍ରଦାନ କରାଯାଉଛି । ତେବେ ଏହି ଜିଲ୍ଲାରେ ୨୦୧୭-୧୮ ଶିକ୍ଷା ବର୍ଷ ଠାରୁ ୨୦୨୧-୨୨ ଓ ୨୦୧୮-୧୯ ଠାରୁ ୨୦୨୨-୨୩ ଶିକ୍ଷାବର୍ଷ ପର୍ଯ୍ୟନ୍ତ ପିଲାଙ୍କ ନାମଲେଖା ଓ ପାଠ ପଢା ପାଇଁ ମାତ୍ର ୨୩୧ଟି ଘରୋଇ ବିଦ୍ୟାଳୟକୁ ସିଓଆର ପ୍ରଦାନ କରାଯାଇଛି । ଜିଲ୍ଲାରେ ଥିବା ମୋଟ ୪୮୧ଟି ବିଦ୍ୟାଳୟରୁ ବଳକା ୨୫୦ଟି ଘରୋଇ ପ୍ରାଥମିକ ବିଦ୍ୟାଳୟ ସିଓଆର ମିଳିନାହିଁ । ସିଓଆର ମିଳିନଥିବା ବିଦ୍ୟାଳୟରେ ନିଜ ପିଲାଙ୍କୁ ଦାଖଲ ନ କରିବାକୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଅଭିଭାବକଙ୍କୁ ସତର୍କ କରାଯାଇଛି । ଏହି ବିଦ୍ୟାଳୟଗୁଡିକରେ ଆବଶ୍ୟକୀୟ ଶିକ୍ଷକ ନଥିବା ବେଳେ ବିଦ୍ୟାର୍ଥୀଙ୍କ ପାଇଁ ଉପଯୁକ୍ତ ଶୈକ୍ଷିକ ବାତାବରଣ ନଥିବା ଦର୍ଶାଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଡ଼. ସନାତନ ପଣ୍ଡା ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଏ ବିଷୟରେ ଅବଗତ କରାଇଛନ୍ତି । ବ୍ରହ୍ମପୁର ସହରରେ ୨୨ଟି ଘରୋଇ ବିଦ୍ୟାଳୟକୁ ସିଓଆର ମିଳିନଥିବା ବେଳେ ଆସିକା ବ୍ଲକରେ ୧୩, ବେଗୁନିଆପଡ଼ାରେ ୫, ବେଲଗୁଣ୍ଠାରେ ୧୧, ଭଞ୍ଜନଗରରେ ୧୪, ଚାତ୍ରପୁରରେ ୧୧, ଚିକିଟିରେ ୩, ଧରାକୋଟରେ ୫, ଦିଗପହଣ୍ଡିରେ ୪, ଗଞ୍ଜାମରେ ୩, କବିସୁର୍ଯ୍ୟନଗରରେ ୧, ଖଲ୍ଲିକୋଟରେ ୯, କୁକୁଡାଖଣ୍ଡିରେ ୯, ପାତ୍ରପୁରରେ ୬, ପୋଲସରାରେ ୮, ପୁରୁଷୋତ୍ତମପୁରରେ ୯, ରଙ୍ଗେଇଲୁଣ୍ଡାରେ ୨୨, ସେରଗଡରେ ୧୦, ସୋରଡ଼ାରେ ୨, ସାନଖେମୁଣ୍ଡିରେ ୩, ବୁଗୁଡ଼ାରେ ୯, ଗଞ୍ଜାମରେ ୫, ହିଞ୍ଜିଳିକାଟୁରେ ୧୧, ଜଗନ୍ନାଥପ୍ରାସାଦରେ ୧୦, କବିସୁର୍ଯ୍ୟନଗରରେ ୨ଟି ବିଦ୍ୟାଳୟର ସିଓଆର ନଥିବା ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା