



ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲର ଛତ୍ରପୁର ଠାରେ ଜାତୀୟ ଆଇନସେବା ପ୍ରାଧିକରଣ ଅନୁକୁଲ୍ୟରେ ବିଶାଳ ଆଇନସେବା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଯୋଗଦାନ କରି ମାମଲା ଗୁଡିକ ଦାୟର ପୂର୍ବରୁ ତାର ଆପୋଷ ବୁଝାମଣା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ୧୯୮୭ ମସିହାରୁ ଆଇନସେବା ପ୍ରାଧିକରଣ କାର୍ଯ୍ୟକାରୀ ହେଉଥିବା ସ୍ଥଳେ ଏହାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ କହିଥିଲେ । ଅଦ୍ୟାବଧି ଓଡ଼ିଶାରେ ୧୭ଗୋଟି ଏହିପରି ଶିବିର ଆୟୋଜନ କରାଯାଇ ୩୬ ହଜାର ଲୋକଙ୍କୁ ଆଇନସେବା ସହାୟତା ପ୍ରଦାନ କରାଯାଇଛି । ପ୍ରାକ ଆଇନ ସେବା ସ୍ୱେଚ୍ଛାସେବୀ ରୂପେ କାର୍ଯ୍ୟ କରିବା ପାଇଁ ଜନ ସାଧାରଣ ସହଯୋଗ କରିବାକୁ ଜଷ୍ଟିସ ପଣ୍ଡା ଆହ୍ୱାନ ଦେଇଥିଲେ ।

ହାଇକୋର୍ଟର ଅନ୍ୟତମ ବିଚାରପତି ତଥା ଗଞ୍ଜାମ ଜିଲ୍ଲାର ନୋଡାଲ ଜଜ ଜଷ୍ଟିସ ଡ଼ଃ ଅକ୍ଷୟ କୁମାର ରଥ, ନ୍ୟାୟରୁ ବଞ୍ଚିତ ହେଉଥିବା ବ୍ୟକ୍ତି ସେମାନଙ୍କର ସମସ୍ୟା ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି କିମ୍ବା ଆଇନସେବା ପ୍ରାଧିକରଣକୁ ପତ୍ର ମାଧ୍ୟମରେ ଜଣାଇଲେ ତତକ୍ଷଣାତ ତାଙ୍କୁ ଆଇନ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।


ଏହି ଅବସରରେ ଗଞ୍ଜାମ ଜିଲ୍ଲା ଜଜ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଇନସେବା ପ୍ରାଧିକରଣ ସଦସ୍ୟ ସଚ୍ଚିବ ଜଷ୍ଟିସ ଦେବାଶିଷ ନାୟକ ଏହାର ତାତ୍ପର୍ଯ୍ୟ ବିଷୟରେ ବିବରଣୀ ଦେଇଥିଲେ । ସିଭିଲ କୋର୍ଟର ରେଜିଷ୍ଟ୍ରାର ଜଷ୍ଟିସ ଅମିତ କୁମାର ସ୍ୱରୂପସେଠ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚ୍ଚିବ ଜଷ୍ଟିସ ବିଜୟ କୁମାର ଦାଶ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରୁଥିବା ୧୬ ଗୋଟି ନ୍ୟୟାଳୟର ବିଚାରପତି ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।



ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଛତ୍ରପୁର ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ନିଜର ଅଭିଭାଷଣରେ ଆଇନସେବାକୁ ତୃଣମୂଳସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ । ବ୍ରହ୍ମପୁର ଲୋକସଭା ସଦସ୍ୟ ଚନ୍ଦ୍ର ଶେଖର ସାହୁ, ଆସ୍କା ଲୋକସଭା ସଦସ୍ୟା ପ୍ରମିଳା ବିଷୋୟୀ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା,ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ପ୍ରଭୃତି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ବିଭିନ୍ନ ବିଭାଗ ତରଫରୁ ୨୬ ଗୋଟି ଷ୍ଟଲ ଖୋଲା ଯାଇଥିଲା । ସର୍ବଶିକ୍ଷା ଅଭିଯାନ, ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ,ଜିଲ୍ଲା କୃଷି ବିଭାଗ, ଜିଲ୍ଲା ସମାଜ ସୁରକ୍ଷା ବିଭାଗ ତରଫରୁ ସହାୟତା ଆବଣ୍ଟନ କରାଯାଇଥିଲା । ଜଷ୍ଟିସ ବିଜୟ କୁମାର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






